ବସ୍ତିରେ ଛାଇଁ ଗଲେଣି ଜେଲ୍ ଫେରନ୍ତା ଅପରାଧୀ
- ଜେଲ୍ ପରେଡ୍ ବନ୍ଦ ଯୋଗୁ ହୋଉ ପାରୁନାହାନ୍ତି ଚିହ୍ନଟ
- ସହରରେ ଚୋରି, ଲୁଟ୍, ଡକାୟତି, ନିଶା କାରବାର ଓ କୁକର୍ମ ପଛରେ ଜେଲ ଫେରନ୍ତାଙ୍କ ସମ୍ପୃକ୍ତି
ଭୁବନେଶ୍ୱର, ୮ ।୧୧ : ରାଜଧାନୀରେ ଘଟୁଥିବା ଏକାଧିକ ଅପରାଧ ପଛରେ ସହରର ବସ୍ତି ଅଞ୍ଚଳରେ ରହୁଥିବା ଜେଲ ଫେରନ୍ତାଙ୍କ ସଂପୃକ୍ତି । ସେମାନଙ୍କୁ ପୁଲିସ ଗିରଫ କରି ଜେଲ୍ ପଠାଇଲେ ମଧ୍ୟ ସେମାନେ ଜେଲ୍ରୁ ବାହାରି ଆସି ପୁଣି ଅପରାଧ ଘଟାଉଛନ୍ତି । ଯାହାଫଳରେ ସେମାନଙ୍କୁ ପୁଲିସ ଧରିବାରେ ବିଫଳ ହେଉଛି । କାରଣ ପୁଲିସ ସେମାନଙ୍କ ଉପରେ ନଜର ରଖିପାରୁନାହିଁ । ଯେଉଁଥି ପାଇଁ ଜେଲରୁ ଆସିବା ପରେ ସେମାନେ ପୁଣି ଅପରାଧ ଘଟାଉଛନ୍ତି । ପୂର୍ବରୁ ଜେଲରେ ଜେଲ ପରେଡ୍ ହେଉଥିବାରୁ ପୁଲିସ ଅପରାଧି ଏବଂ ଲୁଟେରାମାନଙ୍କୁ ଚିହ୍ନଟ କରିପାରୁଥିଲେ । କିନ୍ତୁ ବର୍ତ୍ତମାନ ଆଉ ଜେଲ ପରେଡ୍ ହେଉନଥିବାରୁ ପୁଲିସ ଅପରାଧିଙ୍କ ସମ୍ପର୍କରେ ମଧ୍ୟ ଜାଣିପାରୁ ନାହାନ୍ତି । କୋର୍ଟରେ ଜାମିନ୍ ପୂର୍ବରୁ ଜେଲ ଫେରନ୍ତା ଅପରାଧିଙ୍କୁ ଥାନାରେ ହାଜିରା ଦେବାକୁ କୁହାଯାଇଥିଲେ ମଧ୍ୟ ସେମାନେ ହାଜିରା ହେଉନାହାନ୍ତି । ଏହାସହ ଅପରାଧୀମାନେ ଗୋଟିଏ ବସ୍ତିରୁ ଆଉ ଗୋଟିଏ ବସ୍ତିକୁ ଠିକଣା ପରିବର୍ତ୍ତନ କରୁଛନ୍ତି । ପୁଲିସ ସେମାନଙ୍କୁ ବାରମ୍ବାର ନୋଟିସ କରୁଥିଲେ ମଧ୍ୟ ସେମାନଙ୍କ ଠିକଣା ପାଉନଥିବାରୁ ଫେରି ଆସୁଛି । ଯେଉଁଥି ପାଇଁ ଜେଲ ଫେରନ୍ତା ହାଜିରା ଦେଇ ପାରୁନାହାନ୍ତି । ଏନେଇ ଡିସିପି ବାରମ୍ବାର ଥାନା ଅଧିକାରୀଙ୍କୁ ତାଗିଦ କରିଥିଲେ ମଧ୍ୟ ଏହାକୁ କଡ଼ାକଡ଼ି କରାଯାଉନାହିଁ । ଯେଉଁମାନେ ଥାନାରେ ହାଜିରା ଦେଇନାହାନ୍ତି ଅବା ସେମାନଙ୍କ ଦିଆଯାଇଥିବା ଠିକଣାରେ ନଥିଲେ ତେବେ ସେମାନଙ୍କୁ ପାତାଳରୁ ଖୋଜି ଖୋଜି ଉଠାଇ ଆଣିବାକୁ ମଧ୍ୟ କୁହାଯାଇଥିଲା । କିନ୍ତୁ ଡ଼ିସିପିଙ୍କ ନିଦେ୍ର୍ଦଶକୁ ଫୁ କରୁଛନ୍ତି ବିଭିନ୍ନ ଥାନାର ପୁଲିସ । କାରଣ ରାଜଧାନୀରେ ଅଧିକାଂଶ ଅପରାଧିମାନେ ସହରର ବିଭିନ୍ନ ବସ୍ତିରେ ରହୁଛନ୍ତି । ବସ୍ତି ହେଉଛି ସେମାନଙ୍କ ସୁରକ୍ଷିତ ସ୍ଥାନ । ତେଣୁ ପୁଲିସ ଏହି ସବୁ ବସ୍ତିକୁ ଯାଇ ଜେଲ୍ ଫେରନ୍ତାଙ୍କୁ ଚିହ୍ନଟ କରିବା ଜରୁରୀ ରହିଛି ।
ସୂଚନା ଥାଉକି, ଜଣେ ଅଭିଯୁକ୍ତ କୋର୍ଟରୁ ଜାମିନ୍ ପାଇବା ପୂର୍ବରୁ କୋର୍ଟରେ କିଛି ସର୍ତ୍ତ ରଖାଯାଇଥାଏ । ସବୁଦିନ ନିୟମିତ ଭାବେ ସେ ଥାନାରେ ହାଜିରା ଦେବାକୁ ସର୍ତ୍ତ ରଖାଯାଇଥାଏ । ହେଲେ ଅଭିଯୁକ୍ତମାନେ ଜେଲରୁ ବାହାରିବା ପରେ ଠିକଣା ବଦଳାଇ ପୁଣି ଅପରାଧୀକ କାମରେ ଲିପ୍ତ ରହିଥାନ୍ତି । କାରଣ ଜେଲ ଫେରନ୍ତା ଜାଣିଛନ୍ତି ପୁଲିସ ସେମାନଙ୍କ ଉପରେ ନଜର ରଖିଛି । ଯଦି ସେମାନେ କିଛି ଭୁଲ କରୁଛନ୍ତି ତେବେ ପୁଲିସ ସେମାନଙ୍କୁ ଉଠାଇ ନେବ । ତେଣୁ ଜେଲ ଫେରାନ୍ତା ଜେଲରୁ ବାହାରିବା ପରେ ସଂଗେ ସଂଗେ ଠିକଣା ବଦଳାଇ ଦେଇ ଅନ୍ୟ ଏକ ବସ୍ତିରେ ରହିଥାଏ । ଯେଉଁ ଅଞ୍ଚଳରେ ରହୁଛନ୍ତି ସେଠାକାର ଥାନା ପୁଲିସ ସେମାନଙ୍କ ବିଷୟରେ କିଛି ଜାଣିପାରୁନାହିଁ । ନା ଥାନାରେ ହାଜିରା ଦେଉଛନ୍ତି ନା ପୁଲିସ ସେମାନଙ୍କୁ ଜାଣିଛି । ସେମାନେ ନିର୍ଭୟରେ ପୁଲିସକୁ ଖୋଲା ଚ୍ୟାଲେଞ୍ଚ୍ ଦେଇ ଅପରାଧ ଘଟାଉଛନ୍ତି । ପ୍ରାୟତ ପୁଲିସ ଥାନାରେ ହାଜିରା ଦେଉନଥିବା ଅପରାଧିଙ୍କ ତାଲିକା କରି ସେମାନଙ୍କ ବେଲ ବଣ୍ଡ କ୍ୟାନ୍ସଲ କରିବା ପାଇଁ କୋର୍ଟକୁ ଅନୁରୋଧ କରିବା କଥା, କିନ୍ତୁ ପୁଲିସ ଏଭଳି କରୁନଥିବାରୁ ଜେଲ ଫେରନ୍ତା ଅପରାଧୀମାନେ ନିଭର୍ୟରେ ବୁଲି ଚୋରି, ଲୁଟ୍, ଡକାୟତି, କୁକର୍ମ, ନିଶା କାରବାର ଭଳି ସଂଗୀନ ଅପରାଧ ଘଟାଉଛନ୍ତି । ଅନେକ ସମୟରେ ଦେଖାଯାଇଛି ଅପରାଧି ମାନେ ଜେଲ ଫେରିବା ପରେ ସୁଧୁରି ଯାଉଛନ୍ତି । କିନ୍ତୁ ସେମାନେ ଥାନାକୁ ହାଜିରା ଦେବାକୁ ଗଲେ ପୁଲିସ ସେମାନଙ୍କୁ ଭିନ୍ନ ଦୁଷ୍ଟିରେ ଦେଖୁଛି । ତାଙ୍କୁ ଅପରାଧି କହିବା ସହ ବିଭିନ୍ନ ପ୍ରକାର ଗାଳିଗୁଲଜ କରୁଛନ୍ତି । ଆହୁରି ମଧ୍ୟ ଅନେକ ସମୟରେ ପୁଲିସକୁ ଟାର୍ଗେଟ ଦିଆଯାଉଥିବା ପୁଲିସ ବାଧ୍ୟ କରି ସେମାନଙ୍କୁ ଉଠାଇ ଆଣୁଛି । କିନ୍ତୁ ସେମାନେ ଅପରାଧ ଛାଡ଼ି ଦେଇଥିଲେ ମଧ୍ୟ ପୁଲିସ ଗିରଫ କରିବା ଫଳରେ ସେମାନଙ୍କର ପୁଲିସ ଉପରୁ ବିଶ୍ୱାସ ଭାଙ୍ଗି ଯାଉଛି । ସେମାନେ ସୁଧୁରିବା ବଦଳରେ ପୁଣି ଅପରାଧ ରାସ୍ତାକୁ ଆପଣାଇ ଘଟାଉଛନ୍ତି ଅପରାଧ, ବନି ଯାଉଛନ୍ତି ଅପରାଧୀ । ଯାହାକୁ ନେଇ ଉପରସ୍ତ ଅଧିକାରୀଙ୍କ ଦୃଷ୍ଠି ରହିବା ନିହାତି ଆବଶ୍ୟକ ବୋଲି କିଛି ବୁଦ୍ଧୀଜିବୀ ମତ ପ୍ରକାଶ କରିଛନ୍ତି ।