ବିଭିନ୍ନ ବିଭାଗରେ ନାହାନ୍ତି ଅଫିସର

 ଆସିକା: ଆସିକା ବ୍ଲକ୍ରେ ଅନେକ କାର୍ଯ୍ୟାଳୟରେ ଅଫିସର ଶୂନ୍ୟ ହୋଇ ପଡିଛି । ରାଜ୍ୟ ସରକାର ଆରମ୍ଭ କରିଛନ୍ତି ବିକଶିତ ଗାଁ ଓ ବିକଶିତ ଓଡ଼ିଶା । କିନ୍ତୁ ଆସିକାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପଞ୍ଚାୟତି ରାଜ, ପାନୀୟ ଜଳ, କୃଷି, ଜଙ୍ଗଲ, ପୂର୍ତ୍ତ, ରାଜସ୍ୱ, ଅବକାରୀ, ସମବାୟ ବିଭାଗରେ ନାହାନ୍ତି ମୁଖ୍ୟ ଅଧିକାରୀ । ଭଗବାନଙ୍କ ଭରସାରେ ଚାଲିଛି ଆସିକାର ଉନ୍ନତି । ବ୍ଲକ ଠାରୁ ଏନଏସି ନେତାଙ୍କ ଟାଣୁଆ ନେତୃତ୍ୱ ହେଉ କିମ୍ବା ବିରୋଧୀଙ୍କ ସ୍ଥାଣୁତା କାରଣରୁ କିମ୍ବା ଜନସାଧାରଣଙ୍କ ସ୍ଥିରତା ହେଉ ଆସିକା ଅବହେଳିତ ହେଉଥିବା କୁହାଯାଉଛି । ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ସର୍ବବୃହତ ପଞ୍ଚାୟତ ସମିତି କାର୍ଯ୍ୟଳୟରେ ସ୍ଥାୟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିମ୍ବା ଅତିତିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାହାନ୍ତି । ଜିଲ୍ଲା ପରିଷଦ ଜୋନକୁ ନେଇ ଗଠିତ ହୋଇଥିବା ଏହି ପଞ୍ଚାୟତ ସମିତିରେ କୋଟି କୋଟି ଟଙ୍କାର ପ୍ରକଳ୍ପର ଉନ୍ନୟନ ମୂଳକ କାର୍ଯ୍ୟ କିଭଳି ହେଉଥିବ ତାହା ଲୋକମାନେ ଭୋଗୁଛନ୍ତି । ସରକାର କାର୍ଯ୍ୟଳୟରେ ଅଧିକାରୀ ନିଯୁକ୍ତି ଓ ଅନୁସଙ୍ଗିକ କର୍ମଚାରୀ ନିଯୁକ୍ତି ଦେବା ନିୟମ ରହିଥିଲେ ମଧ୍ୟ ଏଥି ପ୍ରତି ଦୃଷ୍ଟି ପଡୁନାହିଁ  । ତ୍ରିସ୍ତରୀୟ ପଂଚାୟତ ରାଜ ବ୍ୟବସ୍ଥାରେ ନିର୍ବାଚିତ କେତକ ଜନପ୍ରତିନିଧିଙ୍କୁ ମାସିକ ପ୍ରୋସôାହନ ରାଶି ପ୍ରଦାନ କରାଯାଉଥିଲେ ମଧ୍ୟ ସେମାନେ ନିୟମିତ ନଆସିବାରୁ କୌଣସି କର୍ମଚାରୀ ସଠିକ ଭାବେ କାହାର କଥା ଶୁଣିବାକୁ ନାରାଜ ରହୁଛନ୍ତି । ତେଣୁ ଏହି ଅଞ୍ଚଳରେ ବିଭିନ୍ନ ସମସ୍ୟା ଲାଗି ରହିଛି । ଚୋରା ଗଂଜେଇ, ଦେଶୀ ମଦ ବେପାର ବୃଦ୍ଧି ପାଉଥିବା ଶୁଣିବାକୁ ମିଳୁଛି । ଆସିକା ଏକ ଚାଷୀ ବହୁଳ ବ୍ଲକ ହୋଇଥିଲେ ମଧ୍ୟ ଆସିକା କୃଷି ଜିଲ୍ଲା କାର୍ଯ୍ୟାଳୟରେ ନା ଅଛନ୍ତି ସ୍ଥାୟୀ ଜିଲ୍ଲାକୃଷି ଅଧିକାରୀ ନା ଅଛନ୍ତି ହେଡ୍ ଅଫିସରେ ଅଧିକାରୀ, ସେହିଭଳି ଚାଷୀର ମାଟି ପରୀକ୍ଷା ପାଇଁ କବିସୂର୍ଯ୍ୟନଗର ବ୍ଲକ୍ର ମୃତ୍ତିକା ଅଧିକାରୀଙ୍କୁ ଆସିକା ଦାୟିତ୍ୱ ହେତୁ ଅନେକ ଚାଷୀ ମାଟି ପରୀକ୍ଷାରୁ ବଞ୍ଚôତ ହେଉଥିବା କୁହାଯାଉଛି । ଶେଷରେ ସମବାୟ ନଗରୀ ରୂପେ ପରିଚିତ ଆସିକା ଚିନି ଶିଳ୍ପରେ ଖାଲି ପଡିଛି ସମ୍ପାଦକ ପଦବୀ । ରାଜ୍ୟ ସରକାର ଆସିକାକୁ ସାବତ ପୁଅ ନଭାବି ଏହା ଏକ ସଂସଦୀୟ ନିର୍ବାଚନ ମଣ୍ଡଳୀ ହୋଇଥିଲେ ହେଁ ସବୁ କ୍ଷେତ୍ରରେ ଚରମ ଅବହେଳାରେ ରହିଛି । ଏହି ସବୁ ସମସ୍ୟା ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଲୋକେ ଦାବି କରିଛନ୍ତି ।