ଧାନ ଫସଲ ନଷ୍ଟ ଆଶଙ୍କା
ସାଲେପୁର: ଅଦିନିଆ ବର୍ଷାରେ ଧାନ ଫସଲ ଉପରେ ପାଣି ଜମି ରହିବା ନେଇ ଏବେ ଚାଷୀମାନଙ୍କ ମଧ୍ୟରେ ଚାଷ ଜମିରେ ପଡିରହିଥିବା ଧାନଗୁଡିକ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ଏହା ନେଇ ଚାଷୀମାନଙ୍କ ମଧ୍ୟରେ ଭାଳେଣି ପଡିଛି । ବର୍ତ୍ତମାନ ଧାନ ଅମଳର ସମୟ । ତେଣୁ ଚାଷୀମାନେ ନିଜ ନିଜ କ୍ଷେତରେ ଧାନ କାଟି ପକାଇଛନ୍ତି । କିନ୍ତୁ ଅଦିନିଆ ବର୍ଷା ଯୋଗୁଁ ଧାନକ୍ଷେତରେ ପାଦେ ଲେଖାଏଁ ପାଣି ଜମି ରହିବା ସହ ଅଧିକାଂଶ ବିଲରେ ଧାନ ପାଣିରେ ବୁଡ଼ି ରହିଛି । ପାଣିରେ ବୁଡ଼ି ରହିଥିବା ଧାନଗୁଡିକ ପଚିଯିବା ବା ଗଜା ହେବାର ଆଶଙ୍କା ଦେଖାଦେଇଛି । ବିଶେଷ କରି ସାଲେପୁର ବ୍ଲକ୍ର ଶିଶୁମନ୍ଦିର ଗହିରରେ ଥିବା ବହୁ ଧାନ ଫସଲ ନଷ୍ଟ ହେବା ଆଶଙ୍କା ଉପୁଜିଛି । ସରକାର ଚାଷ ଜମି ଗୁଡିକୁ ଘରବାରି କିସମ କରି ଘର କରିବାକୁ ଏହି ଅଞ୍ଚଳରେ ଅନୁମତି ମିଳିଛି । ବହୁ ଲୋକ ଘର କରି ବସବାସ କରିବା ସହ ଚାଷ ଜମିରୁ ଉଦ୍ବୃତ୍ତ ଜଳ ନିଷ୍କାସନ ଓ ଚାଷ ଜମିରେ ଜଳସେଚନ ପାଇଁ ନିର୍ମାଣ କରାଯାଇଥିବା କାଡ଼ା କେନାଲକୁ କେତେକ ସ୍ଥାନରେ ପୋତି ଦିଆଯାଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଘରର ନର୍ଦ୍ଦମା ପାଣି ଛାଡି କାଡ଼ା କେନାଲକୁ ଏକ ପ୍ରକାର ବନ୍ଦ କରାଯାଇଛି । ଫଳରେ ଏହି ଅଦିନିଆ ବର୍ଷା ପାଣି କାଡ଼ା କେନାଲ ମାଧ୍ୟମରେ ଚାଷ ଜମିରୁ ନିଷ୍କାସିତ ହୋଇପାରୁନାହିଁ । ବହୁ ଧାନ କଟାଯାଇଥିବା ଜମିରେ ପାଣି ଜମି ରହିଛି । ଏହା ନେଇ ଏହି ଅଞ୍ଚଳରେ ବହୁ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ତେଣୁ ଚାଷୀମାନେ ଏବେ ଚିନ୍ତାରେ ପଡିଛନ୍ତି ।