ମୋବାଇଲ ଚୋରକୁ ସଜ୍ଜା

ମୋବାଇଲ ଚୋରକୁ ସଜ୍ଜା


 ଭୁବନେଶ୍ୱର, ୧୬ା୫ : ଆଜି ଭୁବନେଶ୍ୱର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର-୫ର ବିଚାରପତି ପୂଜା ଜୈନ, ନୟାପଲ୍ଲୀ ଥାନା ଅଞ୍ଚଳରେ ହୋଇଥିବା ଏକ ଚୋରି ମାମଲାର ବିଚାର କରି ଅଭିଯୁକ୍ତ ଭିକି ଓରଫ ଆଶିଷ ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରି ସଜ୍ଜା ଶୁଣାଇଛନ୍ତି ।
ସୂଚନାଯୋଗ୍ୟଯେ, ଗତ ନଭେମ୍ବର ୧୨ ତାରିଖରେ ଅଭିଯୋଗକାରୀ ମଳୟ କୁମାର ନାୟକ ଦୀପାବଳି ପାଇଁ ଘର କାମରେ ବ୍ୟସ୍ତ ଥିବା ବେଳେ ତାଙ୍କର ମୋବାଇଲ ଫୋନ ଟିକୁ ଘରେ ଟେବୁଲ ଉପରେ ରଖିଥିଲେ । ଏହି ସମୟରେ ଅଭିଯୁକ୍ତ ଭିକି ସୁଯୋଗ ଦେଖି ମଳୟଙ୍କର ଘରେ ପଶି ଟେବୁଲରୁ ମୋବାଇଲ ନେଇ ଫେରାର ହୋଇଯାଇଥିଲା । ଏନେଇ ଅଭିଯୋଗକାରୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ନୟାପଲ୍ଲୀ ଥାନା କେସ ନମ୍ବର - ୫୨୯/୨୦୨୩, ଭାରତୀୟ ପିଙ୍ଗଳ କୋଡ୍ ଦଫା- ୪୫୪/୩୮୦ରେ ଏକ ମାମଲା ରୁଜୁ କରାଯାଇ ଥାନାର ଏଏସଆଇ ରଞ୍ଜିତ୍ ଦାସଙ୍କୁ ଏହାର ତଦନ୍ତ ଭାର ଦିଆଯାଇଥିଲା । ଏଏସଆଇ ଶ୍ରୀ ଦାସ ଏହି ମାମଲାକୁ ସଠିକ ଭାବେ ତଦନ୍ତ କରି ଅଭିଯୁକ୍ତ ଭିକି ଓରଫ ଆଶିଷ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି ମାମଲାର ବିଚାର କରି ଅଦାଲତ ବିଭିନ୍ନ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜ୍ ଗୁଡ଼ିକୁ ଆଧାର କରି ଆଜି ଅଭିଯୁକ୍ତ ଭିକିକୁ ଦଫା ୪୫୪ରେ ୧ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୫ ଶହ ଟଙ୍କାର ଜୋରିମାନା ଏବଂ ଦଫା ୩୮୦ରେ ୧ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୫ ଶହ ଟଙ୍କାର ଜୋରିମାନା ପ୍ରକାଶ କରିଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ୍ ପ୍ରୋସିକୁ୍ୟଟର କଳ୍ପତରୁ ସାହୁ, ସରୋଜ କୁମାର ସ୍ୱାଇଁ ଏବଂ ସବିତା କୁମାରୀ ଚୌଧୁରୀ ପରିଚାଳନା କରିଥିଲେ ।