ବିରଜା ରାଉତରାୟଙ୍କୁ ସୁବ୍ରତ ରଥ ପୁରସ୍କାର  

 କେନ୍ଦ୍ରାପଡ଼ା : ଓଡ଼ିଶାର ଜଣାଶୁଣା କଥାକାର ଡ. ବିରଜା ରାଉତରାୟଙ୍କୁ ୨୦୨୫ ବର୍ଷ ନିମନ୍ତେ ଯୁବସାହିତ୍ୟ ବର୍ଗରେ ସୁବ୍ରତ ରଥ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଛି  । କଟକସ୍ଥିତ କଳାବିକାଶ କେନ୍ଦ୍ର ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ଏକ ମନୋଜ୍ଞ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାଂସଦ ଭର୍ତ୍ତୃହରି ମହତାବ, ମୁଖ୍ୟବକ୍ତା ବରିଷ୍ଠ ଗବେଷକ ଓ ପ୍ରାବନ୍ଧିକ ଅସିତ ମହାନ୍ତି, ବରିଷ୍ଠ ସାହିତି୍ୟକ ବିଜୟାନନ୍ଦ ସିଂହ, ଫାଉଣ୍ଡେସନର ସଭାପତି ଡ. ଜୟନ୍ତ ରଥ, ସମ୍ପାଦିକା ତଥା ସାହିତି୍ୟକା ସୁସ୍ମିତା ରଥ ଏବଂ ଚଳିତ ବର୍ଷର ସାହିତ୍ୟ ଭାରତୀ ଶିଖର ସମ୍ମାନର ପ୍ରାପକ ବରିଷ୍ଠ ସାହିତି୍ୟକ ଶୈଳଜ ରବି ପ୍ରମୁଖ ବିରଜା ରାଉତରାୟଙ୍କୁ ମାନପତ୍ର ସହ କୋଣାର୍କ ଚକ୍ରର ଏକ ରୌପ୍ୟ ସ୍ମାରକୀ ସହିତ ଦଶ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ  । ପ୍ରକାଶଯୋଗ୍ୟ ଯେ, ଉଭୟ କବିତା ଓ କଥା ସାହିତ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିରଜାଙ୍କ ଏଯାବତ ୭ଗୋଟି ଗଳ୍ପ ସଂକଳନ, ୫ଗୋଟି କବିତା ସଙ୍କଳନ, ଗୋଟିଏ ପ୍ରବନ୍ଧ ସଙ୍କଳନ ଏବଂ ଭିନ୍ନକ୍ଷମତା ସମ୍ପର୍କିତ ଏକାଧିକ ଗଳ୍ପ ଓ ଅନ୍ୟାନ୍ୟ ପୁସ୍ତକର ସମ୍ପାଦନା ସହିତ “ପୁନର୍ବାସ ସମାଚାର” ପରି ଭିନ୍ନକ୍ଷମତା ସମ୍ପର୍କିତ ଏକ ସ୍ୱତନ୍ତ୍ର ସମ୍ବାଦପତ୍ରର ସମ୍ପାଦନା ମଧ୍ୟ କରିଛନ୍ତି  ।