ବିଳମ୍ବିତ ନ୍ୟାୟ ନେଇ ସିଜେଆଇଙ୍କ ଉଦ୍ବେଗ
ମଧ୍ୟସ୍ଥତାରେ ମାମଲା ବୋଝ କମାନ୍ତୁ
କଟକ : ବିଳମ୍ବିତ ନ୍ୟାୟ ଲୋକଙ୍କୁ ବୋଝ । ଏନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ । ମଧ୍ୟସ୍ଥତା ମାଧ୍ୟମରେ ମାମଲାର ବୋଝ କମାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ବିଚାରପତି । ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ରବିବାର ସ୍ଥାନୀୟ ସହିଦଭବନରେ ଆୟୋଜିତ ଜାତୀୟସ୍ତରର ଆଲୋଚନାଚକ୍ରରେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଯୋଗ ଦେଇଥିଲେ । ‘ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ, ମାମଲା ଖର୍ଚ୍ଚ ଏବଂ ବିଳମ୍ବ ହ୍ରାସ କରିବା ପାଇଁ ରଣନୀତି’ ଶୀର୍ଷକ ବିଷୟବସ୍ତୁକୁ ନେଇ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଲୋଚନାଚକ୍ରକୁ ଉଦଘାଟନ କରିଥିଲେ । ଉତ୍କଳର ଐତିହ୍ୟ ମହାନ । ସାଂପ୍ରତିକ ପରିସ୍ଥିତିରେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଆୟୋଜିତ ଏଭଳି ଏକ ଆଲୋଚନାଚକ୍ରର ବେଶ ଗୁରୁତ୍ୱ ରହିଛି ବୋଲି ସୂର୍ଯ୍ୟକାନ୍ତ ମତବ୍ୟକ୍ତ କରିଥିଲେ । ମାମଲା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଖର୍ଚ୍ଚ ବହୁଳ ହେଉଛି । ସାଧାରଣ ଲୋକ ନ୍ୟାୟ ପାଇବା କ୍ଷେତ୍ରରେ ବିଳମ୍ବ ଘଟୁଛି । ତେଣୁ ବିବାଦଗୁଡ଼ିକ ମେଡିଏସନ ବା ମଧ୍ୟସ୍ଥତା ମାଧ୍ୟମରେ ସମାଧାନ ହୋଇପାରିଲେ ମାମଲା ସଂଖ୍ୟା ହ୍ରାସ ପାଇ ସାଧାରଣ ଲୋକେ ନ୍ୟାୟ ପାଇପାରିବେ ବୋଲି ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ମତବ୍ୟକ୍ତ କରିଥିଲୋ
ଅଦାଲତଗୁଡ଼ିକରେ ମାମଲାର ବୋଝ ଚିନ୍ତାଜନକ ଥିବା କଥା ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ସ୍ୱୀକାର କରିଛନ୍ତି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଏକ ବିକଳ୍ପ ହୋଇନପାରେ ବୋଲି ସେ କହିଛନ୍ତି । ବୈଷୟିକ ଜ୍ଞାନ କୌଶଳ ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବ, କିନ୍ତୁ ଡିପ ଫେକ୍ ଏବଂ ଡିଜିଟାଲ ଆରେଷ୍ଟ ଭଳି ବାତାବରଣରେ ଏହା ଏତେ ସହାୟକ ହୋଇନପାରେ ବୋଲି ସେ ମତ ଦେଇଛନ୍ତି । ଆଲୋଚନାଚକ୍ରରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସେ ମଧ୍ୟ ସମାନ ମତ ରଖିଛନ୍ତି । ସେ କହିଛନ୍ତି, ରିଟ୍ ପିଟିସନ୍ ସଂଖ୍ୟା ବଢ଼ିବାରୁ କେଶ୍ ସଂଖ୍ୟା ବଢ଼ୁଛି । ତେଣୁ ଅଦାଲତଗୁଡ଼ିକରେ ମାମଲା ସଂଖ୍ୟା କମାଇବାରେ କାର୍ଯ୍ୟପାଳିକାର ବଡ଼ ଦାୟିତ୍ୱ ରହୁଛି । କାର୍ଯ୍ୟପାଳିକା ପାଖକୁ ଆସୁଥିବା ଅଭିଯୋଗ ଗୁଡ଼ିକର ତ୍ୱରିତ ସମାଧାନ ହେଲେ, ସେଗୁଡ଼ିକ ଆଉ ଅଦାଲତକୁ ଆସନ୍ତା ନାହିଁ ବୋଲି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ମତ ଦେଇଛନ୍ତି । ମଧ୍ୟସ୍ଥତା ଓ ଅଲଟରନେଟିଭ ଡିସପ୍ୟୁଟ ରିଜୋଲୁଏସନ ବା ଏଡିଆର ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ହାଇକୋର୍ଟ ମୁଖ୍ୟ ବିଚାରପତି କହିଛନ୍ତି । ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ବିଚାର ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଭାରତୀୟ ନ୍ୟାୟପାଳିକା ପ୍ରତି ସାଧାରଣ ଜନତାଙ୍କର ବିଶ୍ୱାସ ରହିବା ଦରକାର । ମାମଲାଗୁଡ଼ିକ ଯଥାଶୀଘ୍ର ଫଏସଲା ପାଇଁ ସବୁ ସ୍ତରରେ ଉଦ୍ୟମ କରିବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ୫୦ବର୍ଷରୁ ଅଧିକ ସମୟ ଧରି ଆଇନବୃତ୍ତିରେ ନିୟୋଜିତ ଥିବା ବରିଷ୍ଠ ଆଇନଜୀବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ବ୍ୟତୀତ ସର୍ବଭାରତୀୟ ବିଚାରପତି ବ୍ୟାଡ଼ମିଣ୍ଟନ ଚାମ୍ପିଆନସିପ ପ୍ରତିଯୋଗିତାରେ ବିଜେତା ଓ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାର କାଉନସିଲ ଅଫ ଓଡ଼ିଶାର ଅଧ୍ୟକ୍ଷ, ହାଇକୋର୍ଟ ବାର ଆସୋସିଏସନର ସଭାପତି, ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟଙ୍କ ସମେତ ବରିଷ୍ଠ ଆଇନଜୀବୀ ଓ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।