ଉକ୍ରଳୀୟ ନୌବାଣିଜ୍ୟର ଗୌରବମୟ ଐତିହ୍ୟ
ଅମ୍ବିକା ପ୍ରସାଦ କାନୁନ୍ଗୋ : ସମୟ ବଦଳିବା ସହିତ ଆମ ସଂସ୍କୃତି, ପରମ୍ପରା, କାର୍ଯ୍ୟଧାରା ଓ ଚଳନିରେ ମଧ୍ୟ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ସମ୍ପ୍ରତି ବିଜ୍ଞାନର ଅଗ୍ରଗତି ଫଳରେ ଦରିଆରେ ପାଲଟଣା ବୋଇତ ବଦଳରେ ଏବେ ବଡ ବଡ ପାଣି ଜାହାଜ ମାଲ ଓ ଯାତ୍ରୀ ପରିବହନରେ ବ୍ୟବହାର ହେଉଛି । ପାଲଟଣା ବୋଇତରେ ଅତଳ ସମୁଦ୍ରରେ ପାଲଟଣା ବୋଇତ ନେଇ ଯାଉଥିବା ନାଉରିଆ ମାନେ ଧ୍ରୃବତାରା ଓ ପବନର ଗତିକୁ ଦେଖି ଦିଗ ନିର୍ଣ୍ଣୟ କରୁଥିବାବେଳେ ଏବେ ଯାହାଜର ନାବିକ ମାନେ କମ୍ପାସ ଦେଖି ଦିଗ ନିର୍ଣ୍ଣୟ କରୁଛନ୍ତି । ଏ ମଧ୍ୟରେ ଅନେକ ପରିବର୍ତ୍ତନ ଘଟିଛି । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଆଜି ଏକ କିମ୍ବଦନ୍ତୀ । ସାଧବ ପୁଅମାନେ ଆଉ ପାଲଟଣା ବୋଇତ ନେଇ ଅଥଳ ସମୁଦ୍ରରେ ନୌବାଣିଜ୍ୟ କରିବାକୁ ଯାଉନାହିଁ ଜାଭା, ସୁମାତ୍ରା, ବୋର୍ଣ୍ଣିଓ, ବାଲି, ଚୀନ୍, ଜାପାନ, ରୋମ୍ କିମ୍ବା ଦକ୍ଷିଣପୂର୍ବ ଏସିଆ ଦେଶକୁ । ଆଜି ସେ ବୋଇତ ନାହିଁ କି ସାଧବ ପୁଅ ମଧ୍ୟରେ ଦେଖିବାକୁ ମିଳୁନାହିଁ ସେହି ଅଦ୍ୟମ ସାହସ । କର୍ପୁର ଉଡିଯାଇଛି, କନା ପଡିଥିବା ଭଳି ନୌବାଣିଜ୍ୟ ଆଜି କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ସ୍ମୃତି ଭାବେ ସୀମିତ ହୋଇରହିଯାଇଛି । ଆମେ ଏବେ କାର୍ତ୍ତିକ ପୂଣ୍ଣିମାରେ ପୋଖରୀ, ନଦୀ, ହ୍ରଦ ଓ ସମୁଦ୍ରରେ କାଗଜ କିମ୍ବା କଦଳୀ ପାଟୁକାର ଡଙ୍ଗାଟିଏ ଭସାଇ ସ୍ମରଣ କରୁଛୁ ଅତୀତର ସେହି ଗୌରବମୟ ଉତ୍କଳୀୟ ପରମ୍ପରାକୁ । ଏହି ଜାତି କ’ଣ ପରମ୍ପରାକୁ ସ୍ମରଣ କରି ସମୃଦ୍ଧ ହୋଇପାରିବ ନା ଅତୀତର ଐତିହ୍ୟ ଓ ପରମ୍ପରାକୁ ଟପି ଆଗକୁ ଯାଇ ଅଧିକ କିଛି କରି ରାଜ୍ୟକୁ ସମୃଦ୍ଧ କରିବ ? ଏହି ପଶ୍ନ ଆଜି ପ୍ରତ୍ୟେକ ଓଡିଆଙ୍କ ପାଇଁ । କଳିଙ୍ଗର ସାମ୍ରାଜ୍ୟ ଗଙ୍ଗାଠାରୁ ଗୋଦାବରୀ ଯାଏଁ ପରିବ୍ୟାପ୍ତ ଥିଲା । ବର୍ତ୍ତମାନ ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ପଶ୍ଚିମବଙ୍ଗ, ଓଡିଶା ଓ ଆନ୍ଧ୍ରପ୍ରଦେଶର କିଛି ଅଂଶକୁ ନେଇ ଗଢ଼ିଉଠିଥିଲା କଳିଙ୍ଗର ବିରାଟ ସାମ୍ରାଜ୍ୟ । ଏହି ସବୁ ରାଜ୍ୟର ଅବସ୍ଥିତି ବଙ୍ଗୋପସାଗର କୂଳରେ ହୋଇଥିବାରୁ ନୌବାଣିଜ୍ୟ ଏଠାରେ ପ୍ରସିଦ୍ଧିଲାଭ କରିଥିଲା ।ଐତିହାସିକଙ୍କ ମତରେ ଖ୍ରୀଷ୍ଟ୍ରପୂର୍ବ ୩୫୦ ବେଳକୁ କଳିଙ୍ଗର ନୌବାଣିଜ୍ୟ ପ୍ରାୟ ଆରମ୍ଭ ହୋଇଥିଲା । ୪୦୦ ଖ୍ରୀଷ୍ଟାବ୍ଦ ବେଳକୁ ନୌବାଣିଜ୍ୟ କ୍ଷେତ୍ରରେ ଉତ୍କଳ(ବର୍ତ୍ତମାନର ଓଡିଶା)ରେ ବେଶ୍ ପ୍ରସିଦ୍ଧିଲାଭ କରିଥିଲା ।
ପୂର୍ବ ଗମନା ଗମନ ଓ ମାଲ ପରିବହନ ପାଇଁ ସଡକ ପଥ ଓ ଆକାଶ ମାର୍ଗରେ ସୁବିଧା ନଥିଲା । ସେଥିଯୋଗୁ ଜଳ ପଥରେ ମୁଖ୍ୟତଃ ଦୂର ଦୂରାନ୍ତକୁ ଯାତାୟତ ଓ ମାଲ ପରିବହନ କରାଯାଉଥିଲା । ସେଥିପାଇଁ ସେ ସମୟରେ ପୁରୀ, କୋଣାର୍କ, ମାଣିକପାଟଣା, ପାଲୁର୍, ଚେଳିତୋଳ, ପିପିଲି, ଚାନ୍ଦବାଲି, ଗଞ୍ଜାମ, ଚିଲିକା, ଧାମରା ଆଦି ଅନେକ ସ୍ଥାନରେ ଛୋଟବଡ ବନ୍ଦରମାନ ରହିଥିଲା । ସେହିସବୁ ବନ୍ଦର ଦେଇ ଉତ୍କଳର ସାଧବ ପୁଅମାନେ ନୌବାଣିଜ୍ୟ କରିବାକୁ ଯାଉଥିଲେ । ଏତଦ୍ ବ୍ୟତୀତ ଓଡିଶାରେ ପ୍ରବାହିତ ମହାନଦୀ, ବ୍ରାହ୍ମଣୀ,ବୈତରଣୀ ଓ ଋଷିକୂଲ୍ୟା ନଦୀ ବଙ୍ଗୋପସାଗରରେ ମିଶିଥିବାରୁ ସାଧବପୁଅମାନେ ଏହିସବୁ ନଦୀ ସ୍ରୋତରେ ବୋଇତ ବାହି ଧାମରା, ପାଲୁର୍ ଆଦି ସ୍ଥାନରେ ବଙ୍ଗୋପସାଗରରେ ପହଞ୍ଚୁଥିଲେ । ବଙ୍ଗୋପସାଗର, ଭାରତ ମହାସାଗରର ସଂଲଗ୍ନ ହୋଇଥିବାରୁ ଅନ୍ତର୍ଜାତୀୟ ବାଣିଜ୍ୟ କାରବାରରେ ଏହା ସହାୟକ ହେଉଥିଲା । ସାଧବ ପୁଅମାନେ ସିଂହଳ (ବର୍ତ୍ତମାନର ଶ୍ରୀଲଙ୍କା), ବର୍ମା, ଦକ୍ଷିଣପୂର୍ବ ଏସିଆ, ଇଣ୍ଡୋନେସିଆ, ଚୀନ୍ ଆସି ଦୂର ଦେଶମାନଙ୍କୁ ବାଣିଜ୍ୟ କରିବାକୁ ସମର୍ଥ ହେଉଥିଲେ । ସେତେବେଳେ ନୌବାଣିଜ୍ୟ ପାଇଁ ବନ୍ଦରଗୁଡିକ ଗଢିଉଠିଥିବାବେଳେ ଭୂଚଳନ ଓ ଅନ୍ୟାନ୍ୟ କାରଣ ଯୋଗୁ କାଳକ୍ରମେ ବନ୍ଦରଗୁଡିକ ପୋତି ହୋଇପଡିଥିଲା ।
ନୌବାଣିଜ୍ୟ ପାଇଁ ବୋଇତରେ ଯାଉଥିବା ନାବିକମାନେ ଋତୁ ଅନୁଯାୟୀ ପବନର ଗତି ସହିତ ବେଶ୍ ସୁପରିଚିତ ଥିଲେ । ପବନର ଗତି ଅନୁଯାୟୀ ସେମାନଙ୍କ ପାଲଟଣା ବୋଇତ ଚାଳନା କରି ଲକ୍ଷ୍ୟସ୍ଥଳରେ ପହଞ୍ଚୁଥିଲେ । ସାଧାରଣତଃ ଜୁନ୍ଠାରୁ ସେପ୍ଟେମ୍ବର ମାସ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ବହିଥାଏ । ଏହି ସମୟରେ ସିଂହଳଠାରୁ କଳିଙ୍ଗ ଆସିବା ପାଇଁ ପବନର ଗତି ଅନୁକୂଳ ରହିଥାଏ । ତେଣୁ ଏହି ସମୟରେ ସାଧବପୁଅମାନେ ସିଂହଳ ଦେଇ କଳିଙ୍ଗକୁ ଫେରିଆସନ୍ତି । ସେହିପରି ଡିସେମ୍ବର ମାସର ପ୍ରଥମାର୍ଦ୍ଧ ଠାରୁ ମାର୍ଚ୍ଚ ମାସ ମଧ୍ୟରେ ପବନ କଳିଙ୍ଗରୁ ସିଂହଳ ଦିଗକୁ ବହିଥାଏ । ଏହି ସମୟରେ ସାଧବ ପୁଅମାନେ ବୋଇତ ନେଇ ସିଂହଳ ଦେଇ ତାଙ୍କ ନୌବାଣିଜ୍ୟ ଯାତ୍ରା ଆରମ୍ଭ କରିଥାଆନ୍ତି । ଦକ୍ଷିଣ-ପୂର୍ବ ଏସିଆରେ ଏହିପରି ଋତୁ ଅନୁଯାୟୀ ପବନ ବହିଥାଏ । ଇଣ୍ଡୋନେସିଆରେ ଜୁଲାଇ ଏବଂ ଅଗଷ୍ଟ ମାସରେ ପବନ ଅଷ୍ଟ୍ରେଲିଆରୁ ଉତ୍ତର-ପଶ୍ଚିମ ଦିଗକୁ, ଜାନୁଆରୀ ଏବଂ ଫେବୃୟାରୀ ମାସରେ ପବନର ଗତି ବିପରୀତମୁଖୀ ହୋଇଥାଏ । ତେଣୁ ପବନର ଗତିକୁ ଆଧାର କରି ନାବିକମାନେ ନୌକା ଚାଳନା କରିଥାନ୍ତି । ଆକାଶରେ ଦିନରେ ସୂର୍ଯ୍ୟ ଏବଂ ରାତିରେ ତାରାପୁଞ୍ଜକୁ ନିରୀକ୍ଷଣ କରି ସେମାନେ ଦିଗ ନିର୍ଣ୍ଣୟ କରନ୍ତି । ଏତଦ୍ବ୍ୟତୀତ ଆକାଶରେ ଉଡୁଥିବା ପକ୍ଷୀ ମଧ୍ୟ ଦିଗ ନିର୍ଣ୍ଣୟରେ ନାବିକମାନଙ୍କୁ ସହାୟତା କରିଥାନ୍ତି ।
ସାଧବପୁଅମାନେ ବିଶେଷକରି ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନର ଭୂଗର୍ଭରୁ ସଂଗୃହୀତ ହୀରା, ଲୀଳା, ମାଣିକ୍ୟ ଭଳି ମୂଲ୍ୟବାନ ପଥର, ହାତୀଦାନ୍ତ ସ୍ୱର୍ଣ୍ଣ ଅଳଙ୍କାର, ହସ୍ତତନ୍ତ ବସ୍ତ୍ର, ଶସ୍ୟ ଭଳି ଅନେକ ପଦାର୍ଥ ନେଇ ବାଣିଜ୍ୟ କରିବାକୁ ଯାଉଥିଲେ । ଏପରିକି ଶ୍ରୀଲଙ୍କାକୁ ହାତୀ ନିଆଯାଇଥିବା କଥା ପ୍ରମାଣ ମିଳିଛି । ପ୍ରତି ବଦଳରେ ସାଧବପୁଅମାନେ ବିଦେଶରୁ ବହୁ ମୂଲ୍ୟବାନ ପଦାର୍ଥ, ଧନସମ୍ପଦ ଆଦି ଆଣୁଥିଲେ । ଟଲେମି ଜିଓଗ୍ରାଫି ଅଫ୍ ଆନସିଏଣ୍ଟ ଇଣ୍ଡିଆରେ ପୁସ୍ତକରେ ବର୍ଣ୍ଣନା କରାଯାଇଛି ଯେ, ଦ୍ୱିତୀୟ ଶତାବ୍ଦୀ ବେଳକୁ ଓଡିଶାର ପୁରୀ, କୋଣାର୍କ,କଟକ, ମହାନଦୀର ମୁହାଣ, ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ବନ୍ଦର ଥିଲା । ସେହିପରି ପର୍ସିଆନ୍ ଐତିହାସିକ ଇବନ୍ ଖୁର୍ଦିବିନ୍ ଓ ଇବନ୍ ରସ୍ତାଙ୍କ ରଚିତ ପୁସ୍ତକରୁ ସୂଚନା ମିଳେ ଯେ, ନବମ ଓ ଦଶମ ଶତାବ୍ଦୀ ବେଳକୁ ଭୌମ୍ୟକର ରାଜବଂଶର ରାଜତ୍ୱ କାଳରେ ବନ୍ଦରଗୁଡିକ ନୌବାଣିଜ୍ୟର ପ୍ରାଣକେନ୍ଦ୍ର ଥିଲା । ସେହିପରି ପଞ୍ଚଦଶ ଶତାବ୍ଦୀ ବେଳକୁ ବାଲେଶ୍ୱର, ଗଞ୍ଜାମ, ଚାନ୍ଦବାଲି ଓ ଧାମରା ବନ୍ଦରକୁ ନୌବାଣିଜ୍ୟକୁ ବ୍ୟାପକ ବ୍ୟବହାର କରାଯାଉଥିଲା । ପ୍ରତ୍ନତତ୍ତ୍ୱ ବିଭାଗର ଖନନବେଳେ ଶିଶୁପାଳଗଡ, ଜଉଗଡ, ତାମ୍ରଲିପ୍ତି, ପାଲୁର୍, ମାଣିକପାଟଣା, ଖଲକାପାଟଣା ଓ କଳିଙ୍ଗପାଟଣା ବନ୍ଦରଗୁଡିକରୁ ପାଶ୍ଚାତ୍ୟ୍ ରାଷ୍ଟ୍ରମାନଙ୍କୁ ନୌବାଣିଜ୍ୟ କରାଯାଉଥିଲା । ପାଶ୍ଚାତ୍୍ୟ ରାଷ୍ଟ୍ରର ପୁରୁଣା ମୁଦ୍ରା, ମୋହର ଓ ବିଦେଶୀ ଜିନିଷପତ୍ରର ଭଗ୍ନାବଶେଷ ମିଳିଥିଲା । ଓଡିଶା ନୌବାଣିଜ୍ୟ କ୍ଷେତ୍ରରେ ଅନ୍ୟ ରାଜ୍ୟମାନଙ୍କଠାରୁ ଆଗରେ ଥିବା କବି କାଳିଦାସ ତାଙ୍କ ରଘୁବଂଶ କାବ୍ୟରେ ସୂଚନା ନେଇଛନ୍ତି । କଳିଙ୍ଗ ରାଜାଙ୍କୁ ସେ ମହୋଦଧିପତି ବୋଲି ବର୍ଣ୍ଣନା କରିଛନ୍ତି । ସେହିପରି ଶଙ୍ଖ ଜାତକ, ସମୁଦ୍ର ଜାତକ, ମହାଜନ ଜାତକରେ ଦର୍ଶାଯାଇଛି ଯେ ପ୍ରାଚୀନ କାଳରେ ମଧ୍ୟ ଭାରତରୁ ବହୁ ସାମଗ୍ରୀ ବନାରସ ଦେଇ ତାମ୍ରଲିପ୍ତି ବନ୍ଦରରେ ପହଞ୍ଚୁଥିଲା । ସେଠାରୁ ସାଧବପୁଅମାନେ ନୌବାଣିଜ୍ୟ ପାଇଁ ସେହିସବୁ ପଦାର୍ଥକୁ ଦକ୍ଷିଣ-ପୂର୍ବ ଏସିଆକୁ ନେଇ ଯାଉଥିଲେ । ମହାବଂଶରୁ ଜଣାଯାଇଛି ଯେ ଅଶୋକ ବୌଦ୍ଧ ଧର୍ମର ପ୍ରଚାର ପାଇଁ ତାମ୍ରଲିପ୍ତି ବନ୍ଦର ଦେଇ ଧର୍ମଯାଜକମାନଙ୍କୁ ଶ୍ରୀଲଙ୍କା ପଠାଉଥିଲେ ।
ଭାସିନ୍ତରା ଜାତକ ସୂଚନା ଦିଏ ଯେ କଳିଙ୍ଗ ପ୍ରାଚୀନ କାଳରେ ଶିଳ୍ପ ଓ ବାଣିଜ୍ୟର ପେଣ୍ଠସ୍ଥଳ ଥିଲା । ବିଭିନ୍ନ ପ୍ରକାର ଶସ୍ୟ, ହାତୀ ଦାନ୍ତ, ହୀରା, ସୂକ୍ଷ୍ମ ହସ୍ତତନ୍ତ ବସ୍ତ୍ର ସମେତ ଅନେକ ଦ୍ରବ୍ୟ ବାଣିଜ୍ୟ ପାଇଁ ବିଦେଶକୁ ପଠାଯାଉଥିଲା । ‘କଥା ସରିତ ସାଗର’ରେ ସ୍ପଷ୍ଟ ଦର୍ଶାଯାଇଛି ଯେ ତାମ୍ରଲିପ୍ତି ବନ୍ଦରରୁ ଚୀନ୍କୁ ବାଣିଜ୍ୟ କାରବାର ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ବୌଦ୍ଧ ଗ୍ରନ୍ଥରୁ ସୂଚନା ମିଳେ ଯେ ପଞ୍ଚମ ଶତାବ୍ଦୀରୁ ଓଡିଶା ସହିତ ଶ୍ରୀଲଙ୍କାର ବାଣିଜ୍ୟ କାରବାର ଚାଲିଥିଲା । ଚୀନ୍ର ପରିବ୍ରାଜକ ହୁଏନ୍ସାଂ ମଧ୍ୟ ଓଡିଶା ସହିତ ଚୀନର ନୌବାଣିଜ୍ୟ ଚାଲିଥିଲା ବୋଲି ଦର୍ଶାଇଛନ୍ତି । କୋଣାର୍କ ମନ୍ଦିରରେ ପଥର ଖୋଦେଇ ଜିରାଫ୍ ହିଁ ପ୍ରମାଣିତ କରିଛି ଯେ ଆଫ୍ରିକା ସହ ଓଡିଶାର ବାଣିଜ୍ୟ କାରବାର ରହିଥିଲା । ନୌବାଣିଜ୍ୟ ପାଇଁ ଓଡିଶାରୁ ଦକ୍ଷିଣ ପୂର୍ବ ଏସିଆକୁ ଯାଉଥିବା ବୋଇତଗୁଡିକ ଆଣ୍ଡାମାନ ଦ୍ୱୀପପୁଞ୍ଜ ଦେଇ ଯାଉଥିଲା । ସେହିପରି ତାମ୍ରାଲିପ୍ତି, ପାଲୁର୍ ଓ କଳିଙ୍ଗ ପାଟଣାରୁ ନୌବାଣିଜ୍ୟ ପାଇଁ ଯାଉଥିବା ବୋଇତଗୁଡିକ ନିକୋବର ଦ୍ୱୀପପୁଞ୍ଜ ଦେଇ ଯାଉଥିଲେ । ଜଳପଥରେ ଏକାଦିକ୍ରମେ ଦୀର୍ଘ ଦିନ ଧରି ଯିବାକୁ ପଡୁଥିବାରୁ ସାଧବପୁଅମାନେ ଯଥାକ୍ରମେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରୁ ଖାଦ୍ୟ ଓ ପାନୀୟ ସଂଗ୍ରହ କରୁଥିବାର ପ୍ରମାଣ ରହିଛି । ଜାତକ ଗଳ୍ପ, ରଘୁବଂଶ, ସରିତା ସାଗର ଲେଖା ଏବଂ ପ୍ରତ୍ନତତ୍ତ୍ୱ ଖନନରୁ ମିଳିଥିବା ବିଭିନ୍ନ ଦେଶର ସାମଗ୍ରୀରୁ ସୂଚନା ମିଳେ ଯେ ଓଡିଶାର ବହୁ ପାଶ୍ଚାତ୍ ରାଷ୍ଟ୍ର ସହ ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କ ରହିଥିଲା ।
ଅତୀତର ସେହି ଗୌରବ କୀର୍ତ୍ତିକୁ ଆମେ ବର୍ଷକରେ ଗୋଟିଏ ଦିନ ସ୍ମରଣ କରି ଏବେ ଗର୍ବିତ ହେଉଛୁ । ଜଗତିକରଣ ପରେ ଯେତେ ବେଳେ ପୃଥିବୀର ଅନେକ ଦେଶ ତାଙ୍କର ଖଣିଜ ସମ୍ପଦକୁ ଭବିଷ୍ୟତ ପାଇଁ ସାଇତି ରଖୁଛନ୍ତି ଠିକ୍ ସେହି ସମୟରେ ଆମେ ଆମର ଖଣିଜ ସମ୍ପଦକୁ ମୂଲ୍ୟଯୁକ୍ତ ବିନିଯୋଗ ନକରି ମୁଲ୍ୟବାନ ଖଣିଜ ସମ୍ପଦକୁ ଆମେ ସାଗ ମାଛ ଦରରେ ବିଦେଶକୁ ପଠାଇ ଚାଲିଛୁ । ସେମାନେ ସେଥିରୁ ମୂଲ୍ୟଯୁକ୍ତ କରି ଯେଉଁ ଉତ୍ପାଦ ତିଆରି କରୁଛନ୍ତି ଆମେ ତାହାକୁ ଅଧିକ ଦାମ ଦେଇ କିଣୁଛୁ । ସାଧବ ପୁଅମାନଙ୍କ ଭଳି ବିଦେଶରୁ ଏବେ ମୂଲ୍ୟବାନ ସମ୍ପଦ ଆମ ଦେଶକୁ ଆଣି ପାରୁନାହୁଁ । ବାଣିଜ୍ୟ କ୍ଷେତ୍ରରେ ବିଶ୍ୱ ବଜାରରେ ଆମର ପ୍ରଭାବ ବିସ୍ତାର ପାଇଁ ବିଦ୍ଧିବଦ୍ଧ ଯୋଜନା ନାହିଁ । ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଏବଂ ଅଧିକାଶଂ ଉତ୍ପାଦର ମାନ ବିଶ୍ୱସ୍ତରୀୟ ନହେବାରୁ ବିଶ୍ୱ ବଜାର ଚୀନ,ଜାପାନ, ଜର୍ମାନ ଭଳି ଆମେ ପ୍ରଭାବ ବିସ୍ତାର କରିପାରୁନାହୁଁ । ବାଣିଜ୍ୟ କ୍ଷେତ୍ରରେ ଆଗକୁ ଯିବାର ଉଦ୍ୟମ ହେଉନାହିଁ । ଏହିଭଳି ସ୍ଥଳେ ରାଜ୍ୟ ଓ ଦେଶର ସମୃଦ୍ଧି ହେବ କିପରି ?
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
ମୋ-୭୯୭୮୮୭୫୯୦୭