ସଙ୍କୋଚ ତ ଦୁଃଖ !

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ  ।' ‘ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନରେ ସଙ୍କୋଚ କେମିତି ଦୁଃଖ, ସେ ବାବଦରେ କିଛି କଥା କ୍ଷ ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।
ମଣିଷ ହେଉଛି ଏକ ସାମାଜିକ ପ୍ରାଣୀ  । ଅନ୍ୟମାନଙ୍କ ସହ ମିଳିମିଶି ସେ ନିଜକୁ ଯେତେ ଅଧିକ ଆତ୍ମପ୍ରକାଶମୁଖୀ କରାଇବ, ସେହି ପରିମାଣରେ ସେ ସୁଖୀ ହୋଇପାରିବ  । ଅନ୍ୟମାନଙ୍କ ସହ ମିଶି ପାରୁଥିବା ବ୍ୟକ୍ତି ସୁଖୀ ଏବଂ ଅନ୍ୟମାନଙ୍କ ସହ ମିଶିବା ଏକ ସ୍ୱତନ୍ତ୍ର ଗୁଣ  । 
ଅନ୍ୟମାନଙ୍କ ସହ ହଠାତ୍ ସମସ୍ତେ ମିଶିପାରିବେ ନାହିଁ  । ମେଳାପୀ ନହେଲେ ଜଣେ ଅଜଣା ବ୍ୟକ୍ତି ସହିତ କଥା ହୋଇପାରିବ ନାହିଁ  । ସମସ୍ତଙ୍କ ସହିତ ସମଭାବାପନ୍ନ ହୋଇ ଚଳିବା ସାଧାରଣ କଥା ନୁହେଁ  । ଏ ପ୍ରବୃତ୍ତିଟି ସମସ୍ତଙ୍କ ଠାରେ ସମାନ ଭାବରେ ନଥାଏ  । ସମସ୍ତେ ନିଜର ଆତ୍ମପ୍ରକାଶକୁ ସ୍ୱକୀୟ ଶୈଳୀରେ କରନ୍ତି  । କିନ୍ତୁ ନିଜ ଶୈଳୀର ଆତ୍ମପ୍ରକାଶ ଅନ୍ୟମାନଙ୍କ ପାଇଁ କେତେ ଦୂର ଗ୍ରହଣୀୟ ହେବ ବା ଗ୍ରହଣଯୋଗ୍ୟ, ତାହାର ମଧ୍ୟ ଏକ ବିଚାର ରହିଛି  । ନିଜର ଆତ୍ମପ୍ରକାଶ ନିଜ ପାଇଁ ଯୁକ୍ତିସଙ୍ଗତ ହୋଇପାରେ  । କିନ୍ତୁ ଅନ୍ୟପାଇଁ ମଧ୍ୟ ଗ୍ରହଣୀୟ ହେବା ଆବଶ୍ୟକ  । ଏତିକି ନହେଲେ ସମାଜରେ ଏକ ସ୍ୱାଭାବିକ ଜୀବନଯାପନ କରିବା ସମ୍ଭବ ନୁହେଁ  । ସମସ୍ତଙ୍କ ଜୀବନ ବ୍ୟକ୍ତିଗତ ହେଲେ ସୁଦ୍ଧା ସମାଜ ଭିତରେ ବା ପାଞ୍ଚଲୋକଙ୍କ ଗହଣରେ ସାମାଜିକ ଭାବେ ଚଳିବା ଗୁରୁତ୍ୱପୂର୍ଣ୍ଣ  । ବ୍ୟକ୍ତି ନିଜ ପାଇଁ ନିଜ ପସନ୍ଦର କିଛି ବି କରିପାରେ  । କିନ୍ତୁ ତାହା ସମାଜ ପାଇଁ ଗ୍ରହଣୀୟ ହେବ ବୋଲି କୁହାଯାଇପାରିବ ନାହିଁ । ବ୍ୟକ୍ତି ଏବଂ ସମାଜ ପରସ୍ପର ଠାରୁ ଅଭିନ୍ନ ଏବଂ କେହି କାହାକୁ ଛାଡି ରହିପାରିବେ ନାହିଁ  । ସମାଜକୁ ଛାଡି ଦେଲେ ବ୍ୟକ୍ତିର ସ୍ଥିତିି ନାହିଁ ଏବଂ ମଣିଷ ଭାବରେ ଗୁଣ ବହନ କରି ସେ ଚଳିପାରିବ ନାହିଁ  । ସମାଜରୁ ବିଚୁ୍ୟତ ହେଲେ ମଣିଷ ଆଉ ସାମାଜିକ ପଦବାଚ୍ୟ ହୋଇ ରହେ ନାହିଁ  । 
ପୁଣି ବ୍ୟକ୍ତିକୁ ଛାଡି ଦେଲେ ସମାଜ ବୋଲି କିଛି ନାହିଁ  । ତେଣୁ ପ୍ରତ୍ୟେକ ବ୍ୟକ୍ତି ମନରେ ଆତ୍ମପ୍ରକାଶର ଏକ ଭାବନା ରହିଛିି ଏବଂ ନିଜର ବ୍ୟକ୍ତିଗତ ଚରିତ୍ରର ପ୍ରସାରଣକୁ ପ୍ରତ୍ୟେକ ବ୍ୟକ୍ତି ଅହରହ କରି ଚାଲିଥାଏ  । ବ୍ୟକ୍ତିଗତ ସୁଗୁଣର ପ୍ରସାରଣ ମଣିଷକୁ ସାମାଜିକ କରି ତୋଳେ  । ତେଣୁ ବ୍ୟକ୍ତି ନିଜ ଚରିତ୍ରର ସଙ୍କ?ଚନ କରିଲେ ଏହା ବ୍ୟକ୍ତିତ୍ୱର ମୃତୁ୍ୟ ଘଟାଏ  । ସଙ୍କୋଚ ହିଁ ଦୁଃଖ, ପ୍ରସାରଣ ହିଁ ସୁଖ  ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ  । ନମସ୍କାର  ।