ଲୁଣ କିଲୋ ୧୪୫ ଟଙ୍କା

ଲୁଣ କିଲୋ ୧୪୫ ଟଙ୍କା

 ନୂଆଦିଲ୍ଲୀ: ଲୁଣ କିଲୋ ୧୪୫ ଟଙ୍କା  । ଯିଏ ବି ଶୁଣିବ ସେ ବିଶ୍ୱାସ କରିପାରିବେନି । ହେଲେ ଶ୍ରୀଲଙ୍କାରେ ଲୁଣ ସଂକଟ ସ୍ଥିତି ସୃଷ୍ଟିହୋଇଛି  । ଚାରିପଟେ ସମୁଦ୍ର ଥିଲେବି ଲୁଣ ପାଇଁ ଏବେ ସେଠାକାର ଲୋକ ଡହଳବିକଳ ହେଉଛନ୍ତି  । ସେଠାରେ ଏବେ ଲୁଣ ମହଙ୍ଗା ହୋଇଯାଇଛି  ।
ସମ୍ପ୍ରତି ବର୍ଷା ଋତୁ ଆରମ୍ଭ ହୋଇଗଲାଣି  । ଗତ କିଛିଦିନ ଧରି ବର୍ଷା ବି ଲାଗି ରହିଛି  । ଫଳରେ ଉତ୍ପାଦନ ଠପ୍ ହୋଇଯାଇଛି  । ଅପରପକ୍ଷରେ ପ୍ରବଳ ବର୍ଷା କାରଣରୁ ରହିଥିବା ଲୁଣ ବି ଧୋଇ ହୋଇଯାଇଛି  । ଶ୍ରୀଲଙ୍କା ନିଜ ଦେଶରେ ଆବଶ୍ୟକ ହେଉଥିବା ଲୁଣର ମାତ୍ର ୨୩% ଉତ୍ପାଦନ କରିଥାଏ  । ତେଣୁ ଲୁଣ ପାଇଁ ଭାରତ ଉପରେ ହିଁ ନିର୍ଭର କରେ  । ହେଲେ ଏବେ ସ୍ଥିତି ଏମିତିଯେ, ଲୋକଙ୍କ ବ୍ୟବହାର ପାଇଁ ମଧ୍ୟ ସେଠାରେ ଲୁଣ ନାହିଁ  । ଏହି ମଉକାରେ କଳାବଜାରୀ ସକ୍ରିୟ ହୋଇଯାଇଛନ୍ତି  । ଯେଉଁଥିପାଇଁ ଲୁଣ ଦାମ୍ ଚାରିଗୁଣା ବଢ଼ିଯାଇଛି  । ଅପରପକ୍ଷରେ କେତେକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କାକୁ ଭାରତରୁ ୩୦୫୦ ମେଟ୍ରିକ୍ ଟନ ଲୁଣ ଯିବବୋଲି ଚର୍ଚ୍ଚା ହେଉଛି  । ଶ୍ରୀଲଙ୍କାର ମିଡ଼ିଆ ରିପୋର୍ଟ ଅନୁଯାୟୀ, ଭାରତରୁ ସେଠାକୁ ୨୮ ଶହ ମେଟ୍ରିକ ଟନ୍ ଲୁଣ ଯାଇଥିଲା  । ଅପରପକ୍ଷରେ ଶ୍ରୀଲଙ୍କାର କମ୍ପାନୀଗୁଡ଼ିକ ମାତ୍ର ୨୫୦ ମେଟ୍ରିକ ଟନ୍ ଲୁଣ ଉତ୍ପାଦନ କରିଥିଲେ  । ତେବେ ସରକାରଙ୍କ ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବ୍ୟବସାୟୀମାନେ କହିଛନ୍ତି  । ୩୦ ହଜାର ମେଟ୍ରିକ ଟନ୍ ଲୁଣ ଆମଦାନୀ ପାଇଁ କିଛି ପଦକ୍ଷେପ ନିଆଯାଇନଥିଲା  । ପୂର୍ବରୁ ଶ୍ରୀଲଙ୍କା ଓ ବାଂଲାଦେଶ ଭାରତ ସହ ସୁସମ୍ପର୍କ ରଖିଥିଲେ  । କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ବିଦେଶ ନୀତି ବଦଳି ଯାଇଥିଲା  । ଯେଉଁଥିପାଇଁ ଭାରତ ଆଉ ଆଗଭଳି ସହାୟତା ଦେଉନାହିଁ  । ଶ୍ରୀଲଙ୍କାରେ ସମ୍ପ୍ରତି ୬୦ ଲକ୍ଷ ଲୋକ ଅନାହାରର ସାମ୍ନା କରୁଥିବାନେଇ ଅନ୍ତର୍ଜାତୀୟ ରିପୋର୍ଟ ପ୍ରକାଶ ପାଇଛି  ।