ବିଶ୍ୱରେ ପ୍ରମୁଖ ଶକ୍ତିକେନ୍ଦ୍ର ହେବ ଓଡ଼ିଶା

 ନୂଆଦିଲ୍ଲୀ/ଭୁବନେଶ୍ୱର : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ବୈଠକରେ ଓଡ଼ିଶା ସରକାର ଏବଂ ଉର୍ଜା କ୍ଷେତ୍ରରେ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ଏହି ବୁଝାମଣା ଦ୍ୱାରା ଓଡ଼ିଶା ବିଶ୍ୱ ପାଇଁ ପ୍ରମୁଖ ଶକ୍ତି କେନ୍ଦ୍ରରେ ପରିଣତ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ପାରାଦୀପ ଠାରେ ୫୮୦୪୨ କୋଟି ଟଙ୍କାର ମେଗା ଡୁଆଲ ଫିଡ୍ କ୍ରାକର ଏବଂ ଏହାର ଡାଉନଷ୍ଟ୍ରିମ ୟୁନିଟ୍ ପାଇଁ  ଓଡ଼ିଶା ସରକାର ଏବଂ ଆଇଓସିଏଲ୍ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ଯାଜପୁର ଚଣ୍ଡିଖୋଲ ଠାରେ ୮୭୪୩ କୋଟି ଟଙ୍କା ବ୍ୟୟରେ କ୍ରୁଡ ଅଏଲ ଷ୍ଟୋରେଜ୍ ଫାସିଲିଟି ପାଇଁ ଓଡ଼ିଶା ସରକାର ଏବଂ ଇଣ୍ଡିଆନ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ୍ ଏବଂ ଗୋପାଳପୁର ଠାରେ ୨୩୦୬ କୋଟି ଟଙ୍କା ବ୍ୟୟରେ ଏଲ୍ଏନ୍ଜି ଟର୍ମିନାଲ ପାଇଁ ଓଡ଼ିଶା ଏବଂ ପେଟ୍ରୋନେଟ୍ ଏଲଏନଜି ଟର୍ମିନାଲ ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଇଣ୍ଡିଆନ ଅଏଲର ପାରାଦୀପ ତୈଳ ବିଶୋଧନାଗାର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରନô ଅଟଳ ବିହାରୀ ବାଜପେୟୀଙ୍କ ଓଡିଶା ପାଇଁ ଅବଦାନ । ଏହାକୁ ବାଜପେୟୀଜୀ ଶୁଭ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ । ସେହି ସମୟରେ ଏଠାରେ ପେଟ୍ରୋଲିୟମ ଉତ୍ପାଦ ସହ ପେଟ୍ରୋକେମିକାଲ ଉତ୍ପାଦ ବାହାର କରିବା ପାଇଁ ଯୋଜନା ହୋଇଥିଲା । ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟିରେ ଏକ ନୂଆ ଆଶା ଓ ଦିଗ ସୃଷ୍ଟି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ସମ୍ଭାବନା ବିଷୟରେ ସ୍ପଷ୍ଟ ଭାବେ ଅବଗତ ଅଛନ୍ତି ଏବଂ ଏହି ସମ୍ଭାବନାକୁ ଉପଲବ୍ଧ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଏକ ବହୁ-ଅଂଶୀଦାର ସମବାୟ ଆଭିମୁଖ୍ୟ ଓଡ଼ିଶାର ବିକାଶକୁ ନୂଆ ଶିଖରରେ ପହଞ୍ଚାଇବ ।