ବିଶ୍ୱସ୍ତରରେ ରଗ୍ବୀ ଖେଳିବ ଓଡ଼ିଶା ଦଳ: କଳିଙ୍ଗ ବ୍ଲାକ୍ ଟାଇଗର୍ସର ଜର୍ସି ଓ ମାସ୍କଟ୍ ଉନ୍ମୋଚିତ

ଭୁବନେଶ୍ୱର : ଦେଶରେ ରଗ୍‌ବି ପ୍ରିମିୟର ଲିଗ୍‌ ଉଦ୍ଘାଟନ ସହିତ ଭାରତ ବୃତ୍ତିଗତ କ୍ରୀଡା କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ କରିବାକୁ ଯାଉଛି । ଏ ଅବସରରେ ଲିଗ୍ର ଅନ୍ୟତମ ପ୍ରତିଷ୍ଠାତା ଦଳ କଳିଙ୍ଗ ବ୍ଲାକ ଟାଇଗର୍ସ ପକ୍ଷରୁ ଆଜି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆନୁଷ୍ଠାନିକ ଭାବେ ଦଳର ଜର୍ସି ଓ ମାସ୍କଟ୍ ଉନ୍ମୋଚନ କରାଯାଇଛି । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାକୁ ନିରନ୍ତର ସମର୍ଥନ କରି ଆସୁଥିବା  ପୁଞ୍ଜିନିବେଶ ସଂସ୍ଥା ହଞ୍ଚ ଭେଞ୍ଚର୍ସ ସମର୍ଥନରେ କଳିଙ୍ଗ ବ୍ଲାକ ଟାଇଗର୍ସ ଆଜି ଜର୍ସି ଓ ମାସ୍କଟ୍ ଉନ୍ମୋଚନ କରିଛି । କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଯୋଗ ଦେଇ କଳିଙ୍ଗ ବ୍ଲାକ ଟାଇର୍ଗସର ଜର୍ସି ଉନ୍ମୋଚନ କରିବା ସହିତ ଟିମ୍‌ ଏବଂ ରଗ୍‌ବି ପ୍ରିମିୟର ଲିଗ୍‌କୁ ସ୍ୱାଗତ କରିଥିଲେ ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରଗ୍‌ବି ଇଣ୍ଡିଆ ସଭାପତି  ରାହୁଲ ବୋଷ, ଓଡ଼ିଶା ରଗ୍‌ବି ଫୁଟବଲ ଆସୋସିଏସନ (ଓଆରଏଫଏ)ର ପ୍ରେସିଡେଣ୍ଟ ପ୍ରିୟଦର୍ଶୀ ମିଶ୍ର, ହଞ୍ଚ ଭେଞ୍ଚର୍ସ ଏବଂ ସହ-ମାଲିକ କଳିଙ୍ଗ ବ୍ଲାକ ଟାଇଗର୍ସର ପ୍ରତିଷ୍ଠାତା କରନପାଲ ସିଂ, ମୁଖ୍ୟ କୋଚ ମାଇକ ଫ୍ରାଇଡେ, ସହକାରୀ କୋଚ ରାଜୀବ ନାଥ ଏବଂ କଳିଙ୍ଗ ବ୍ଲାକ୍ ଟାଇଗର୍ସର ସମ୍ପୂର୍ଣ୍ଣ ଟିମ୍‌ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ରଗ୍‌ବି ପ୍ରିମିୟର ଲିଗ୍‌ର ପୃଷ୍ଠପୋଷକମାନେ ଏଥିରେ  ଉପସ୍ଥିତ ଥିଲେ । ନୂଆକରି ଉନ୍ମୋଚିତ ଜର୍ସି ଓଡ଼ିଶାର ସମୃଦ୍ଧ ଐତିହ୍ୟ ଏବଂ ଅଦମ୍ୟ ଉତ୍ସାହ ପ୍ରତି ଭବ୍ୟ ସମ୍ମାନ ପ୍ରଦର୍ଶନ ହୋଇଛି । ଏହି ଅଞ୍ଚଳର ଜଙ୍ଗଲରେ ବାସ କରୁଥିବା ବିରଳ ଓ ଶକ୍ତିଶାଳୀ ମେଲାନିଷ୍ଟିକ କଳା ବାଘଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ଡିଜାଇନରେ ଟିମ୍‌ର ମୂଲ୍ୟବୋଧ ସାମର୍ଥ୍ୟ ଏବଂ ମଜଭୁତପଣ ପ୍ରତିଫଳିତ ହୋଇଛି । ସାଂସ୍କୃତିକ ପ୍ରତୀକକୁ ଯୋଗକରି ଟିମ୍‌ ମଧ୍ୟ ତାହାର ଆନୁଷ୍ଠାନିକ ମାସ୍କଟ ‘ପାଇକ’ ଉନ୍ମୋଚନ କରିଛି । ଯାହା କିମ୍ବଦନ୍ତୀ କଳିଙ୍ଗ ଯୋଦ୍ଧାମାନଙ୍କର ବୀରତ୍ୱକୁ ପ୍ରତିନିଧିତ୍ୱ କରୁଛି ।