ବର୍ଷା କାଚୁଛି, ତଥାପି ନିଅଣ୍ଟିଆ

ଭୁବନେଶ୍ୱର : ଗତ କିଛି ସପ୍ତାହ ଧରି ବର୍ଷା କାଚୁଛି  । କିଛି ସ୍ଥାନରେ ବନ୍ୟା ବିତ୍ପାତ ବି ଦେଖିବାକୁ ମିଳୁଛି  । ତଥାପିବି ରାଜ୍ୟର ୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଏବେ ଚିନ୍ତାର କାରଣ ପାଲଟିଛି  । ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ଯାଜପୁରରେ ନିଅଣ୍ଟିଆ ବର୍ଷା ହୋଇଛି  । ଫଳରେ ଚାଷବାସ ପ୍ରଭାବିତ ହୋଇଛି  । ଦୀର୍ଘଦିନ ଧରି ବର୍ଷା ନିଅଣ୍ଟିଆ ସ୍ଥିିତି ଚାଷୀଙ୍କୁ ଚିନ୍ତାରେ ପକାଇଦେଇଛି  । ଓଡ଼ିଶା ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ସକାଳ ସାଢ଼େ ୮ ପର୍ଯ୍ୟନ୍ତ ଜାରି ରହିଥିଲା  । ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ୭.୬ କିମି ଉଚ୍ଚତା ପର୍ଯ୍ୟନ୍ତ ଲମ୍ବି ଥିବାବେଳେ ଉଚ୍ଚତା ସହ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି  । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଧିରେଧିରେ ସମଗ୍ର ଓଡ଼ିଶାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଅଛି  ।
ଆସନ୍ତାକାଲି ସକାଳ ସାଢ଼େ ୮ ପର୍ଯ୍ୟନ୍ତ ମାଲକାନଗିରି ଓ କୋରାପୁଟକୁ ଅରେଞ୍ଜ ୱାର୍ଣ୍ଣିଂ ଜାରିହୋଇଛି  । ସେହି ଦୁଇ ଜିଲ୍ଲାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ତେବେ କାଲି ଦିନ ସାରା ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼ର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ସୋନପୁର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନାଗିରିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ବହିବା ସହ ବଜ୍ରପାତର ସମ୍ଭାବନା ଅଛି  । ଅପରପକ୍ଷରେ ଆସନ୍ତା ୩୦ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୩ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି  ।