ବୁକିଂ ନାଁରେ ଦେଢ଼ଲକ୍ଷ ଚଳୁ; ଶୋରୁମ କର୍ମଚାରୀ ଗିରଫ
ଭୁବନେଶ୍ୱର, ୧୮ ।୧୨ : ରାଜଧାନୀର ଯେ କୌଣସି ବାଇକ ଅବା କାର ଶୋରୁମରେ ଗାଡି କିଣିବା ପାଇଁ ବୁକିଂ କରୁଥିଲେ ହୋଇଯାଆନ୍ତୁ ସାବଧାନ । ନିଜ ଫୋନ-ପେ ଜରିଆରେ ଗ୍ରାହକଙ୍କ ଠାରୁ ଟଙ୍କା ନେଇ ଚଳୁ କରିଦେଉଛନ୍ତି ଶୋରୁମ କର୍ମଚାରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଇନଫୋସିଟି ଥାନା ଅଧିନ ପଟିଆ ଖିମିଜୀ ହୋଣ୍ଡା ଶୋରୁମରେ । ଜଣେ ମହିଳା ଗ୍ରାହକଙ୍କୁ ବାଇକ ବୁକିଂ ନାଁରେ ୬୦ ହଜାର ଟଙ୍କା ଚୁନ ଲଗାଇ ବନ୍ଧା ହୋଇଛି ଶୋରୁମର ଜଣେ ସେଲ୍ସମ୍ୟାନ୍ । ଏନେଇ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗକାରିଣୀ । ଗିରଫ ଅଭିଯୁକ୍ତ ହେଲା ପୁରୀ ଜିଲ୍ଲାର ବିଶ୍ୱଜିତ୍ ଦଳେଇ । ଅଭିଯୁକ୍ତ ଖାଲି ମହିଳାଙ୍କ ଠାରୁ ନୁହଁ ପୂର୍ବରୁ ଆହୁରି କିଛି ଗ୍ରାହକଙ୍କ ଠାରୁ ମଧ୍ୟ ବୁକିଂ ନାଁରେ ନିଜ ଫୋନ-ପେ ଜରିଆରେ ପ୍ରାୟ ୧ ଲକ୍ଷ ୨୯ ହଜାର ଟଙ୍କା ନେଇ ଫେରାର ରହିବା ସହ ସେ ଆଉ କାହାରିକୁ ଧରାଛୁଆଁ ଦେଉନଥିବା ବେଳେ, ଶୋରୁମକୁ ମଧ୍ୟ ଆସୁନଥିବା ଥାନାରେ ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ପଟିଆ ଠାରେ ଥିବା ଖିମଜୀ ହୋଣ୍ଡା ଶୋରୁମର ବିଜନେସ ହେଡ୍ । ଗତ ୨୦.୧୧.୨୦୨୪ ତାରିଖ ଦିନ ଜଣେ ଗ୍ରାହକ ଅଭିଯୋଗକାରିଣୀଙ୍କ ଉକ୍ତ ଶୋରୁମ୍କୁ ଯାଇ ସେଠାରେ ସେଲ୍ସମ୍ୟାନ୍ ଭାବେ କାର୍ଯ୍ୟରତ ଅଭିଯୁକ୍ତ ବିଶ୍ୱଜିତ୍କୁ ସାକ୍ଷାତ କରିବା ସହିତ ବିଭିନ୍ନ ଦୁଇଚକିଆ ଯାନ ବିଷୟରେ ପଚାରି ବୁଝିଥିଲେ । ପରେ ବିଶ୍ୱଜିତ୍ ଠାରୁ ସମସ୍ତ ବିଷୟରେ ବୁଝି ସାରିବା ପରେ ଏକ ଦୁଇଚକିଆ ଯାନ ବୁକିଂ ନିମନ୍ତେ ଅଭିଯୁକ୍ତ କହିବା ମୁତାବକ ପ୍ରଥମେ ସେ ଫୋନ-ପେ ଜରିଆରେ ଅଭିଯୁକ୍ତର ବ୍ୟକ୍ତିଗତ ଆକାଉଣ୍ଡକୁ ୫ ହଜାର ଟଙ୍କା ପଠାଇ ତାଙ୍କ ନିକଟରୁ ଏକ ରସିଦ୍ ମଧ୍ୟ ନେଇଥିଲେ । ପରେ ଗତ ୨୭.୧୧.୨୦୨୪ ତାରିଖ ଦିନ ଗ୍ରାହକ ଜଣକ ଶୋରୁମ ଯିବା ଲାଗି ଫୋନ କରି ଅଭିଯୁକ୍ତକୁ ପଚାରିବାରୁ, ଅଭିଯୁକ୍ତ ଜଣକ ୬୦ ହଜାର ଟଙ୍କା ସାଙ୍ଗରେ ନେଇ ଆସିବା ଲାଗି କହିଥିଲା ଏବଂ ୪୦ ହଜାର ଟଙ୍କା ନଗଦ ଆକାରରେ ଦେଲେ ସେ ବୁକିଂ କରିଥିବା ଗାଡି ତାଙ୍କୁ ଖୁବ୍ ଶିଘ୍ର ଡେଲିଭରି ହୋଇପାରିବ ବୋଲି କହିଥିଲା । ଅଭିଯୁକ୍ତ ଠାରୁ ଏହି ଆଶ୍ୱାସନା ପାଇବା ପରେ ଗ୍ରାହକ ଜଣକ ଶୋରୁମ ଯାଇ ଅନ୍ୟାନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ତାଙ୍କୁ ୫୦ ହଜାର ଟଙ୍କା ନଗଦ ଆକାରରେ ଦେଇଥିଲେ ଏବଂ ୨୫ ହଜାର ଟଙ୍କା ତା ବ୍ୟକ୍ତିଗତ ଆକାଉଣ୍ଟକୁ ଫୋନ-ପେ ଜରିଆରେ ପଠାଇଥିଲେ । ଟଙ୍କା ଦେବା ପରେ ଗ୍ରାହକ ଜଣକ ଅଭିଯୁକ୍ତଙ୍କୁ ରସିଦ ମାଗିବାରୁ, ନେଟ୍ ସ୍ଲୋ ଥିବା ତଥା ରସିଦ୍ ତାଙ୍କୁ ପରେ ମିଳିଯିବ କହି ଫେରାଇ ଦେଇଥିଲା ଅଭିଯୁକ୍ତ । ଏହି ଘଟଣା ପରେ ଗ୍ରାହକ ଜଣକ ବାରମ୍ବାର ରସିଦ ମାଗିବା ପରେ ମଧ୍ୟ ଅଭିଯୁକ୍ତ ବିଶ୍ୱଜିତ୍ ତାଙ୍କୁ ରସିଦ ଦେଉନଥିଲା, କି ଗାଡି ଡେଲିଭରି ମଧ୍ୟ କରୁନଥିଲା । ପୁଣି ଗତ ୪ ତାରିଖରେ ଗ୍ରାହକ ଜଣକ ଅଭିଯୁକ୍ତକୁ ଯୋଗାଯୋଗ କରିବା ଲାଗି ପ୍ରୟାସ କରିଥିଲେ ମଧ୍ୟ ଅଭିଯୁକ୍ତ ତାଙ୍କର ଫୋନ ଉଠାଇନଥିଲା । ପରେ ୫ ତାରିଖରେ ଗ୍ରାହକ ଶୋରୁମ ଯାଇ ଶୋରୁମ ମୁଖ୍ୟଙ୍କୁ ସାକ୍ଷାତ କରିବା ସହିତ ଘଟଣା ସମ୍ପର୍କରେ ଜଣାଇଥିଲେ । ଏଭଳି ଘଟଣା ଶୁଣି ଶୋରୁମ ମୁଖ୍ୟ ରୋମିଲା ମଜୁମଦାର ଏନେଇ ଖୋଳତାଡ କରିବା ପରେ, ଅଭିଯୁକ୍ତ ବିଶ୍ୱଜିତ୍ ଶୋରୁମକୁ ଆସୁଥିବା ବିଭିନ୍ନ ଗ୍ରାହକଙ୍କ ନିକଟରୁ ମୋଟ ୧ ଲକ୍ଷ ୨୯ ହଜାର ଟଙ୍କା ହଡପ କରିଥିବା ଜାଣିବାକୁ ପାଇଥିଲେ । ପରେ ଅଭିଯୁକ୍ତକୁ ଶୋରୁମକୁ ଆସିବାକୁ କୁହାଯାଇଥିବା ବେଳେ, ସେ ସ୍ଥାନୀୟ ଅଞ୍ଚଳରୁ ଫେରାର ହୋଇଯାଇଥିଲା । ଏନେଇ ଗତ ୧୪ ତାରିଖରେ ଶୋରୁମ ମୁଖ୍ୟ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ପୁରୀରୁ ଗିରଫ କରିଛି ।