୩ ଅଭିଯୁକ୍ତଙ୍କୁ ଜାମିନ୍; ସର୍ତ୍ତ ମୂଳକ ଜାମିନ୍ ଦେଲେ ସିବିଆଇ କୋର୍ଟ

ମର୍ସିଡିଜରୁ ୧୦ଲକ୍ଷ ଟଙ୍କା ଜବତ ଘଟଣା
ଭୁବନେଶ୍ୱର, ୧୮ା୧୨ : ତାରକା ହୋଟେଲ ସାମ୍ନାରୁ ମର୍ସିଡିଜ କାରରୁ ୧୦ ଲକ୍ଷ ଟଙ୍କା ସିବିଆଇ ଜବତ କରିବା ଘଟଣା । ସିବିଆଇରେ ଜଣକ ପରେ ଜଣେ ହାଜର ହେବାରେ ଲାଗିଛନ୍ତି । ଏହି ଘଟଣାରେ ଗିରଫ ହୋଇ ଜେଲରେ ଥିବା ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀର ୩ କର୍ମଚାରୀ ଚଞ୍ଚଲ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରଣାଙ୍କ ବୁଧବାର ଜାମିନ୍ ଶୁଣାଣି ଶେଷ ହୋଇଛି । ଶୁଣାଣି ପରେ ସର୍ତ୍ତ ମୂଳକ ଜାମିନ୍ ଦେଇଛନ୍ତି ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟ । ମୁଣ୍ଡ ପିଛା ୧ ଲକ୍ଷ ଟଙ୍କା ସହ ଭୁବନେଶ୍ୱର ଛାଡି ବାହାରକୁ ନ ଯିବାକୁ ରହିଛି ନିଦେ୍ର୍ଧଶ । ଗତ ସୋମବାର ଦିନ ୩ ଅଭିଯୁକ୍ତ କୋର୍ଟରେ ଜାମିନ୍ ପାଇଁ ଆବେଦନ କରିଥିଲେ । ଅନ୍ୟପଟେ ବୁଧବାର ଦିନ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ଆଇଏଏସ୍ ବିଷ୍ଠୁପଦ ସେଠୀଙ୍କୁ ସମନ କରିଥିଲା ସିବିଆଇ । ହେଲେ ଆଜି ସେ ଦିନ ୫ଟା ପର୍ଯ୍ୟନ୍ତ ସିବିଆଇ ଅଫିସରେ ହାଜର ହୋଇନଥିଲେ । ମଙ୍ଗଳବାର ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀ (ଇଣ୍ଡିଆ) ଲିମିଟେଡ୍ର ଜିଏମ୍ ଭୂପେନ୍ଦ୍ର କୁମାର ସିଂହ । ୧୦ ଲକ୍ଷ ଟଙ୍କା ଜବତ ଘଟଣାରେ ଭୂପେନ୍ଦ୍ର କୁମାର ସିଂହଙ୍କୁ ସିବିଆଇ ଅଫିସରେ ଗୁଡାଇ ତୁଡାଇ ଜେରା କରାଯାଇଥିଲା ।
 ସୂଚନାଯୋଗ୍ୟ ଯେ, ଟେଣ୍ଡର ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଗିରଫ ତିନି ଅଭିଯୁକ୍ତ  ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀ (ଇଣ୍ଡିଆ) ଲିମିଟେଡ୍ର ଜିଜିଏମ୍ ଚଞ୍ଚଲ ମୁଖାର୍ଜୀ, ଆଦିତ୍ୟଦେବ ଇନ୍ଫ୍ରା କମ୍ପାନୀର ଏମ୍ଡି ଦେବଦତ୍ତ ମହାପାତ୍ର ଏବଂ ଠିକାଦାର ସନ୍ତୋଷ ମହାରଣାଙ୍କୁ ପ୍ରଥମେ ୩ ଦିନ ଓ ପରେ ୫ ଦିନ ରିମାଣ୍ଡରେ ନେଇ ଗୁଡାଇ ତୁଡାଇ ଜେରା କରିଥିଲା  ସିବିଆଇ । ଗତ ସୋମବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରିବାରୁ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତେବେ ସେଠାରେ ସେମାନଙ୍କ ପକ୍ଷରୁ ହୋଇଥିବା ଜାମିନ୍ ଆବେନକୁ କୋର୍ଟ ସ୍ଥଗିତ ରଖିବାରୁ ଅଭିଯୁକ୍ତମାନଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା ଓ ୨୮ ତାରିଖରେ ପୁଣି ଥରେ ସେମାନଙ୍କ ଜାମିନ୍ର ଶୁଣାଣି ରହିଥିଲା  । ଆଜି ୩ ଅଭିଯୁକ୍ତଙ୍କ ଜାମିନ୍ ଶୁଣାଣି ଶେଷ ହୋଇଛି । ୩ ଜଣଙ୍କୁ ସର୍ତ୍ତ ମୂଳକ ଜାମିନ୍ ପ୍ରଦାନ କରିଛନ୍ତି ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟ ।
ଅନ୍ୟପଟେ ଏହି ମାମଲାରେ ସିବିଆଇ ବିଷ୍ଣୁପଦ ସେଠୀଙ୍କୁ ଗତ ୧୧ ତାରିଖରୁ ସିବିଆଇ ସମନ କରିଥିଲେ ମଧ୍ୟ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଏପର୍ଯ୍ୟନ୍ତ ସିବିଆଇରେ ହାଜର ହୋଇନାହାନ୍ତି  । ତେବେ ଗତ ୪ ତାରିଖରେ ବ୍ରିଜ୍ ଆଣ୍ଡ ରୁଫ୍ର ଜିଏମ୍ ଓ ଜିଜିଏମ୍ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଦେଖା କରିବାକୁ ଲେଖିଥିବା ଚିଠି ଏବେ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ୪ ତାରିଖରେ ଏମାନେ ସଚିବ ବିଷ୍ଣୁପଦ ସେଠୀଙ୍କୁ ଦେଖା କରିବାକୁ ଚାହୁଁଥିଲେ ଆଉ ୭ ତାରିଖରେ ସିବିଆଇ କର୍ପୋରେସନର ଜିଜିଏମ୍ ଚଞ୍ଚଲ ମୁଖାର୍ଜୀଙ୍କୁ ଗିରଫ କରିଥିଲା । ଗତ ସୋମବାର ଯୁଗ୍ମ ନିଦେ୍ର୍ଦଶକ ରାଜେଶ ପ୍ରଧାନ ସିବିଆଇରେ ପହଞ୍ଚି ଏହି ମାମଲାର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି  ।