୪ ଅଭିଯୁକ୍ତ ଗିରଫ ; ୬ ମୋବାଇଲ ଓ ତାର ଜବତ
ଭୁବନେଶ୍ୱର, ୧୧ା୯ : ଭିନ୍ନ ଭିନ୍ନ ୪ଟି ମାମଲାରେ ଭରତପୁର ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ୪ ଜଣ ଲୁଟେରାଙ୍କୁ ଗିରଫ କରିଛି । ୩ଟି ମୋବାଇଲ ଚୋରି ମାମଲା ରହିଥିବା ବେଳେ ଅନ୍ୟଟି କମ୍ପାନୀରୁ କପର ତାର ଚୋରି ଅଭିଯୋଗରେ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ହେଲା, କମ୍ପାନୀର ସାଇଟ୍ ଇନଚାଜ,ର୍ ମନୋଜ କୁମାର ନାୟକ । ୩ ମୋବାଇଲ ଲୁଟେରା ହେଲେ, ରଘୁନାଥ ନଗର ଡୁମୁଡୁମାର ସିଲୁ ପ୍ରଧାନ, ସାଁପୁରର ପବିତ୍ର ନାୟକ ଓ ଭରତପୁର ବସ୍ତିର ରାଜା ନାୟକ । ସେମାନଙ୍କ ଠାରୁ ୬ଟି ମୋବାଇଲ ଓ ୪ଟି କପର ତାର ବଣ୍ଡଲ ଜବତ କରାଯାଇଛି । ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯୋଗ୍ୟଯେ, ମଙ୍ଗଳବାର ଦିନ ଭରତପୁର ଥାନାରେ ଭିନ୍ନ ଭିନ୍ନ ୪ଟି ଅଭିଯୋଗ ହୋଇଥିଲା । ଏହା ଭିତରୁ ୩ଟି ମୋବାଇଲ ଓ ଏକ ତାର ଚୋରି । ପ୍ରଥମ ଅଭିଯୋଗ ଆଳୁଗୋଦିରୁ ପିକପ୍ ଭ୍ୟାନରେ ଅଭିଯୋଗକାରୀ ଅଖୟ ପ୍ରଧାନ ନାମକ ଡ୍ରାଇଭର ବିଶ୍ରାମ ନେଉଥିବା ବେଳେ, ତାଙ୍କ ପକେଟରୁ ଲୁଟେରା ମୋବାଇଲ ଚୋରି କରି ସେହି ଅଞ୍ଚଳରେ ଅନ୍ୟକୁ ସସ୍ତାରେ ବିକ୍ରି କରୁଥିଲା । ଯାହାକି ପୁଲିସ ଚଢ଼ାଉ କରି ଅଭିଯୁକ୍ତକୁ କାବୁ କରିବା ସହ ତାଠାରୁ ୪ଟି ମୋବାଇଲ ଫୋନ୍ ଜବତ କରିଛି । ସେହିଭଳି ବିୟୁଟିପାର୍ଲରୁ କାମ ସାରି ଘରକୁ ଫେରୁଥିବା ବେଳେ କଳିଙ୍ଗ ଷ୍ଟୁଡ଼ିଓ ଛକରେ ଲୁଟେରା ଜଣଙ୍କ ଅଟକାଇ ମାଡ ମାରି ତାଙ୍କ ଠାରୁ ମୋବାଇଲ ଓ ୫ ହଜାର ଟଙ୍କା ଚୋରି କରି ନେଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଲୁଟେରାକୁ ଗିରଫ କରିବା ସହ ତାଠାରୁ ଚୋରା ମୋବାଇଲ ଜବତ କରିଛି । ସେହିପରି ଘରେ ଶୋଇଥିବା ସମୟରେ ଲୁଟେରା ଜଣଙ୍କ ଘରେ ପଶି ମୋବାଇଲ ଓ କିଛି ଟଙ୍କା ଚୋରି କରି ନେଇଯାଇଥିଲା । ଏନେଇ ମଧ୍ୟ ଭରତପୁର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଲୁଟେରାକୁ ଗିରଫ କରି ତାଠାରୁ ମଧ୍ୟ ମୋବାଇଲ ଜବତ କରିଛନ୍ତି । ଅନ୍ୟପଟେ ସମ ନିକଟରେ ଚାଲିଥିବା ଏକ କମ୍ପାନୀରେ ସାଇଟ୍ ଇନଚାର୍ଜ ଭାବେ କାମ କରୁଥିବା ଅଭିଯୁକ୍ତ ଟଙ୍କା ଲୋଭରେ ସେଠାରୁ ୧୬ଟି କପର ତାର ବଣ୍ଡଲ ଚୋରି କରି ୧୨ଟି ତାର ବଣ୍ଡଲକୁ ୫ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ବେଳେ ବାକି ୪ଟି ବଣ୍ଡଲ ତାର ନିଜ ପାଖରେ ରଖିଥିଲା । ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୁଲିସ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏଭଳି ୪ଟି ମାମଲାର ଅଭିଯୁକ୍ତଙ୍କୁ ୧୨ ଘଣ୍ଟା ଭିତରେ ଗିରଫ କରିବାରେ ସଫଳ ହୋଇଛି ଭରତପୁର ଥାନା ପୁଲିସ ।