ବୁଲା କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ଟେଣ୍ଡର ଆହ୍ୱାନ
ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମର ଉଦ୍ୟମରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କାର୍ଯ୍ୟକ୍ରମକୁ ଗତିଶୀଳ କରିବା ପାଇଁ ଡେପୁଟି କମିଶନର ତଥା ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଆଶୀର୍ବାଦ ପରିଡ଼ାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ନିଗମ କମିଶନର ତଥା ଭାରତୀୟ ପ୍ରଶାସନିକ ଅଧିକାରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଯୋଗ ଦେଇ ମହାନଗର ଅଞ୍ଚଳରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ତୁରନ୍ତ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯିବ । ଏହି ସମ୍ପର୍କରେ ଚଳିତ ମାସ ୮ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଟେଣ୍ଡର ପ୍ରକ୍ରିୟା ଚାଲିବ । କୁକୁରଧରିବା ସହ ଯେଉଁ ସ୍ଥାନରୁ ଅଣାଯାଇଛି ସେହି ଜାଗାରେ ଛାଡ଼ିବା, ଔଷଧ, ଖାଦ୍ୟ ଓ ବନ୍ଧ୍ୟାକରଣ ପାଇଁ କୁକୁର ପିଛା ୨,୦୦୦ ଟଙ୍କା ଦର ଧାର୍ଯ୍ୟ କରାଯାଇଛି । ନିଗମ କମିଶନରଙ୍କ ନିଦେ୍ର୍ଦଶ ଅନୁଯାୟୀ, ପ୍ରତିମାସ କମ୍ ସେ କମ୍ ୭୦ଟି କୁକୁରକୁ ବନ୍ଧ୍ୟାକରଣ କରିବା ପାଇଁ ଲକ୍ଷ ରଖାଯାଇଛି । ଯେଉଁ ସଂସ୍ଥାକୁ ଏହି କାର୍ଯ୍ୟ ଦାୟିତ୍ୱ ଦିଆଯିବ, ସେମାନଙ୍କ ପକ୍ଷରୁ ବନ୍ଧ୍ୟାକରଣ ପାଇଁ ଅନୁଭବୀ ଜଣେ ପଶୁ ଡାକ୍ତର, ଜଣେ ଆଟେଣ୍ଡାଣ୍ଟ ଓ ଜଣେ ଲାଇଭଷ୍ଟକ୍ ଇନ୍ସପେକ୍ଟର୍ ନିଯୁକ୍ତ କରିବା ବାଧ୍ୟତାମୂଳକ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମେୟର ସଂଘମିତ୍ରା ଦଳେଇ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ଡୁଙ୍ଗୁଡୁଙ୍ଗୁ, ନିଗମ କର୍ପୋରେଟର ଟି. କିଶୋର ପାତ୍ର, ବ୍ରହ୍ମପୁର ପ୍ରାଣୀସମ୍ପଦ ଚିକିସôାଧିକାରୀ ଡ. ସତ୍ୟନାରାୟଣ କର, ଉପଖଣ୍ଡ ପ୍ରାଣୀସମ୍ପଦ ଚିକିସôାଧିକାରୀ ଡ଼. ଅରବିନ୍ଦ ବେହେରା, ଏସ୍ପିସିଏ ସଦସ୍ୟ ଲଲାଟେନ୍ଦୁ ଚୌଧୁରୀ, ସମାଜସେବୀ ଓ ପଶୁପ୍ରେମୀ ଅନିଲ କୁମାର ଚୌଧୁରୀ, ଡାଟା ଏଣ୍ଟ୍ରି ଅପରେଟର ରାଜେଶ କୁମାର ବେହେରାଙ୍କ ସମେତ ନିଗମର କର୍ମଚାରୀ ଓ ପଶୁପ୍ରେମୀମାନେ ଉପସ୍ଥିତ ଥିଲେ ।