ପୁଅକୁ ଛୁରି ଭୁସି ହତ୍ୟା ଉଦ୍ୟମ ଘଟଣା : ଆକ୍ରମଣକାରୀ ବାପା ଗିରଫ 

 ହିଞ୍ଜିଳିକାଟୁ : ପାରିବାରିକ କଳହକୁ କେନ୍ଦ୍ର କରି ବୁଧବାର ଅପରାହ୍ନରେ ମଦ୍ୟପ ବାପା ଛୁରୀ ଭୁଷି ନାବାଳକ ପୁଅକୁ ହତ୍ୟା ଉଦ୍ୟମ କରିଥିଲେ । ଘଟଣା ନେଇ ଆହତଙ୍କ ମା’ ବାସନ୍ତୀ ବେହେରା ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ ୯୨/୨୫ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ଗୁରୁବାର ସକାଳେ ଆକ୍ରମଣକାରୀ ବାପା ମନୋଜ ବେହେରାଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ସୁନିଳ କଣ୍ଡାଗୋରି କହିଛନ୍ତି । 
ପ୍ରକାଶ ଯେ,  ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ମନୋଜ ବେହେରା ଓ ସ୍ତ୍ରୀ ବାସନ୍ତୀଙ୍କ ମଧ୍ୟରେ ଗତ ୫ଧରି ପାରିବାରିକ କଳହ ଲାଗି ରହିଥିଲା । ବିଭିନ୍ନ ସମୟରେ ଛୋଟ ଛୋଟ ଘଟଣାକୁ କେନ୍ଦ୍ର କରି ମନୋଜ ସ୍ତ୍ରୀ ବାସନ୍ତିଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଗତ ୭ ମାସ ପୂର୍ବେ ସ୍ୱାମୀଙ୍କ ନିର୍ଯାତନା ସହ୍ୟ କରିନପାରି ବାସନ୍ତୀ ୨ପୁଅ ଶିବ (୧୩) ଓ ସୁମନ(୧୦) ଙ୍କୁ ସାଥିରେ ନେଇ ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ଭୁବନେଶ୍ୱର ଚାଲି ଯାଇଥିଲେ । ଶନିବାର ମନୋଜ ଭୁବନେଶ୍ୱରରେ ପହଞ୍ଚି ଭବିଷ୍ୟତରେ ଏଭଳି ଘଟଣା ନ କରିବାକୁ ପ୍ରତିଶ୍ରୁତି ଦେବା ସହ ସ୍ତ୍ରୀ ଓ ୨ ପୁଅଙ୍କୁ ସାଙ୍ଗରେ ନେଇ ସୋମବାର ଗାଁକୁ ଫେରିଥିଲେ । ମଙ୍ଗଳବାର କୌଣସି କଥାକୁ କେନ୍ଦ୍ର କରି ପୁଣି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା । ଏଥିରେ ମନୋଜ ଉତ୍ତ୍ୟକ୍ତ ହୋଇ ୨ ପୁଅକୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ । ବାପାଙ୍କ ହତ୍ୟା ଧମକ ଶୁଣି ୨ପୁଅ ଘରୁ ବାହାରକୁ ଚାଲି ଯାଇଥିଲେ । ବୁଧବାର ମନୋଜ ମଦ ନିଶାରେ ଚୁର ହୋଇ ଗାଁ ଦାଣ୍ଡରେ ଯାଉଥିବାବେଳେ ସାନପୁଅ ସୁମନ ଖେଳୁଥିବା ଦେଖି ଧରିଥିବା ଏକ ଧାରୁଆ ଛୁରୀରେ ମୁହଁକୁ ଆକ୍ରମଣ କରିଥିଲା । ଆକ୍ରମଣରେ ସୁମନ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡିଯିବା ପରେ ଆକ୍ରମଣକାରୀ ବାପା ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଖବର ପାଇ ବାସନ୍ତୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ପୁଅ ସୁମନ୍ତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସିତ ପରେ ଘଟଣା ନେଇ ବାସନ୍ତୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ।