ବେଆଇନ କେନ୍ଦୁପତ୍ର ବ୍ୟବସାୟରେ ଲାଗିବ ଅଙ୍କୁଶ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ କେନ୍ଦୁପତ୍ର ବ୍ୟବସାୟ ଉପରେ ଅଙ୍କୁଶ ଲଗାଇବାକୁ ପ୍ରଶାସନ ନିଷ୍ପତି ନେଇଛି । ଏ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାରେ ଏକ ଟାକ୍ସଫୋର୍ସ ଗଠନ ସହିତ କେନ୍ଦୁପତ୍ର ଚୋରାଚାଲାଣକୁ ରୋକିବା ପାଇଁ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ହୋଇଛି । ଜିଲ୍ଲାର ୯ଟି ପଞ୍ଚାୟତର ୧୯ଟି ଗାଁରେ ଗ୍ରାମସଭାକୁ ୨୦୦୬ ମସିହାରେ ଜଙ୍ଗଲ ଅଧିକାର ଆଇନ ବଳରେ କେନ୍ଦୁପତ୍ର ବିକ୍ରି ପାଇଁ କ୍ଷମତା ଦିଆଯାଇଛି । ନିର୍ଦ୍ଧିଷ୍ଟ ଭାବେ କେଉଁ ଗ୍ରାମସଭା କେତେ ଅଞ୍ଚଳରୁ କେନ୍ଦୁପତ୍ର ସଂଗ୍ରହ କରିପାରିବେ, କେତେ ବଳକା କେନ୍ଦୁପତ୍ର ସରକାରୀ ବିଭାଗକୁ ଦେଲେ ସେନେଇ କୌଣସି ନିର୍ଦ୍ଧିଷ୍ଟ ନିୟମ ପାଳନ କରୁ ନ ଥିବା ଅଭିଯୋଗ ହେଉଛି । ଏପରିକି ଗ୍ରାମସଭା ଗୁଡିକ ବିଭାଗୀୟ ଡିଏଫ୍ଓଙ୍କ ନିକଟରୁ ପର୍ମିଟ ନ ନେଇ ହାତଲେଖା କାଗଜରେ ଆଦେଶ ପତ୍ର ଦେଉଛନ୍ତି । ଏହାର ସୁଯୋଗ ନେଇ ବାହାର ରାଜ୍ୟର ଘରୋଇ ବ୍ୟବସାୟୀ ମାନେ ଗଳାବାଟ ଦେଇ ବ୍ୟବସାୟ କରୁଛନ୍ତି । ତୋଳାଳୀ ମାନଙ୍କୁ କେରି ପିଛା ଅଧିକ ୨ଟଙ୍କା ଦେବା ଆଳରେ ବାର୍ଷିକ ଖରଦିର ପ୍ରାପ୍ୟ ଦେଉନଥିବା ଅଭିଯୋଗ ହେଉଛି । ଘରୋଇ ବ୍ୟବସାୟିଙ୍କ କିଣାବିକାରେ କୈାଣସି ସ୍ୱଚ୍ଛତା ରହୁନାହିଁ । ତେଣୁ ତୋଳାଳୀ ଶୋଷଣର ଶିକାର ହେଉଥିବା ବେଳେ ସରକାର ମଧ୍ୟ ରାଜସ୍ୱ ହରାଉଛି । ଏଣୁ ଆଇନ ଅନୁମୋଦିତ ପ୍ରକାରେ ପ୍ରତ୍ୟେକ ଗ୍ରାମସଭା କେତେ ହେକ୍ଟର ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହ କରିପାରିବେ ଡିଏଫ୍ଓଙ୍କ ନିକଟକୁ ଟିଟି ଆଦଶପତ୍ର ନେବାକୁ ବାଧ୍ୟତାମୂଳକ କରାଯିବା, ଘରୋଇ ବ୍ୟବସାୟୀଙ୍କ ସଂପୂର୍ଣ୍ଣ ଠିକଣା ବିଭାଗ ନିକଟରେ ରହିବା ଆଦି ବୈଠକରେ ଆଲୋଚନା କରାଯାଇଥିଲା । ଘରୋଇ ବ୍ୟବସାୟୀ ଗୋଟିଏ ଜିଏସ୍ଟି ବିଲ୍ ଦେଇ ଏକାଧିକ ଗାଡିରେ ଜିଏସ୍ଟି ବିଲ ଫାଙ୍କି କେନ୍ଦୁପତ୍ର ପରିବହନ କରୁଛନ୍ତି । ନିକଟରେ ଝାଡ଼ଖଣ୍ଡ ଅଞ୍ଚଳରେ କେତେକ ଗାଡି ଧରାପଡିବା ପରେ ଜିଏସଟି ଫାଙ୍କି ଜଣାପଡିଥିଲା ବୋଲି ବୈଠକରେ ଅସ୍ଥାୟୀ କର୍ମଚାରୀ ଓ ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ । ଏହି ବୈଠକରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗଦେଇ ଆଇନ ଅନୁମୋଦିତ ପ୍ରକାରେ କେନ୍ଦୁପତ୍ର ବିକ୍ରି ଉପରେ ଗୁରୁତ୍ୱାରୋପ କରିଥିଲେ । ଧର୍ମଗଡ ବିଧାୟିକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଯୋଗଦେଇ କେବଳ ଡି ରେଗୁଲେସନ ଅଞ୍ଚଳରେ ଘରୋଇ ବ୍ୟବସାୟୀ ସ୍ୱଚ୍ଛତାର ସହିତ କେନ୍ଦୁପତ୍ର କିଣିବା ଉପରେ ମତ ରଖିଥିଲେ । ଆଇନ ଅନୁଯାୟୀ ଗ୍ରାମସଭା ଗଠନ ହୋଇଛି କି ନାହିଁ ତାର ତଦାରଖ କରିବା, ତୋଳାଳୀ କେତେ ତୋଳିଲେ, ବ୍ୟବସାୟୀ କେତେ ପ୍ରାପ୍ୟ ଦେଲେ ତାର ହିସାବ କେନ୍ଦୁପତ୍ର ବିଭାଗ ନିକଟରେ ରହିବା ସହିତ ଡିଏଫ୍ଓ ଟିଟି ଆଦେଶ ପତ୍ର ଦେବା ବାଧ୍ୟତାମୂଳକ କରିବାକୁ ଶ୍ରୀ ପାଟ୍ଟଯୋଶୀ ବୈଠକରେ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସଂପାଦକ ତଥା ରାଜ୍ୟ କେନ୍ଦୁପତ୍ର ଉନ୍ନୟନ ପରିଷଦ ସଦସ୍ୟ ଯଦୁମଣି ପାଣିଗ୍ରାହୀ ବୈଠକରେ ଯୋଗଦେଇ କେନ୍ଦୁପତ୍ର ତୋଳାଳୀ ଓ ଅସ୍ଥାୟୀ କର୍ମଚାରୀଙ୍କୁ ଶୋଷଣ ମୁକ୍ତ କରିବାକୁ ଗୁରତ୍ୱ ଦେଇଥିଲେ । ଜିଲ୍ଲାରେ ନିୟନ୍ତ୍ରିତ ଭାବେ କେନ୍ଦୁପତ୍ର ଉତ୍ପାଦନ, ବ୍ୟବସାୟୀ ସହିତ ତୋଳାଳୀ ଓ ଅସ୍ଥାୟୀ କର୍ମଚାରୀଙ୍କୁ ଶୋଷଣ ମୁକ୍ତ କରିବାକୁ ଶ୍ରୀ ପାଣିଗ୍ରାହୀ ପ୍ରଶାସନ ନିକଟରେ ଦିବି ଉପସ୍ଥାପନ କରିଥିଲେ । ଏହି ବୈଠକରେ କେନ୍ଦୁପତ୍ର ଆରସିସିଏଫ ରଞ୍ଜିତ ମଲିକ, କେନ୍ଦୁପତ୍ର ଡିଏଫଓ ଗଦାଧର ପାତ୍ର ଜିଲ୍ଲା କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ସଂଘ ସଭାପତି ଚିରାଗ ସିଂହଦେଓ ସମେତ ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।