ବେଆଇନ ପଥର ଖଣିରେ ଚଢାଉ, ୨ ଗିରଫ

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲା ସଦର ଥାନା  ଓଡାପଡା ତହସିଲ ଅନ୍ତର୍ଗତ ଘଟିପିରି ଭୁଆଷୁଣି ପାହାଡରେ ଦୀର୍ଘବର୍ଷ ଧରି ବେଆଇନ ଭାବେ କଳାମୁଗୁନି ପଥର କଟା ହେଉଥିବାବେଳେ ସଦର ଥାନା ପୁଲିସ ପକ୍ଷରୁ ଚଢାଉ କରାଯାଇ ପଥର କଟାରେ ବ୍ୟବହୃତ ବ୍ୟାପକ ସାମଗ୍ରୀ ଜବତ କରାଯିବା ସହ ୧୦ ଜଣଙ୍କୁ ଉଠାଇ ଆଣିଥିଲେ । ସେଥିମଧ୍ୟରୁ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବାବେଳେ ୮ଜଣଙ୍କୁ ଛାଡି ଦିଆଯାଇଛି । ଜବତ ସାମଗ୍ରୀ ମଧ୍ୟରେ ୭ଟି ଟ୍ରାକ୍ଟର, ୫ ବୁଲଡୋଜର ଓ ୬ଟି ବ୍ଲାଷ୍ଟିଂ ମେସିନ ରହିଛି ।
ସୂଚନା ଅନୁଯାୟୀ, ଭୁଆଷୁଣି ପାହାଡରୁ ଦୀର୍ଘଦିନ ହେବ ବେଆଇନ ଭାବେ କଳାମୁଗୁନି ପଥର ଉତ୍ତୋଳନ କରାଯାଇ ବ୍ୟାପକ ଚୋରା ଚାଲାଣ ହେଉଥିଲା । ଏଥିରେ ସରକାରଙ୍କର କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବା ବେଳେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ ସମେତ ପୁଲିସର ହାତ ଭଲ ଚିକ୍କଣ ହେଉଥିଲା ବୋଲି ଅଭିଯୋଗ ହେଉଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକରଙ୍କ ନିଦେ୍ର୍ଦଶକ୍ରମେ ସଦର ଥାନା  ୧ପ୍ଲାଟୁନ ପୁଲିସ୍ ସହ  ସେଠାରେ ଚଢାଉ କରିଥିଲେ । ପାହାଡ କଟା ଚାଲିଥିବା ବେଳେ ପୁଲିସ ସେଠାରୁ ୫ ବୁଲଡୋଜର, ୭ ଟ୍ରାକ୍ଟର  ଏବଂ ୬ଟା ବ୍ଲାଷ୍ଟିଂ ମେସିନ  ଜବତ କରିବା ସହ ୧୦ ଜଣ ଶ୍ରମିକ ଉଠାଇ ଆଣି  ଅଟକ ରଖିଥିଲା । ପରେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟମାନଙ୍କୁ ନୋଟିସ୍ ଦେଇ ଛାଡିଦେଇଛନ୍ତି । । ଜବତ ସାମଗ୍ରୀ ଗୁଡିକ ଭାପୁର ଫାଣ୍ଡିରେ ରହିଥିବା ବେଳେ ସେଥିରେ ସଂପୃକ୍ତ ଥିବା ଆଉ କିଛି ଲୋକଙ୍କୁ ଖୋଜା ଚାଲିଥିବା ପୁକିସ୍ ପକ୍ଷରୁ ଜଣାଯାଇଛି । ଗିରଫ ୨ ଜଣ ହେଲେ ସଦର ଥନା ବୃନ୍ଦାବନପୁର ଗ୍ରାମର ଦୁର୍ଗାଚରଣ ରଥ ଏବଂ ଭାପୁର ଫାଣ୍ଡି ଘଟିପିରି ଅଂଚଳର ବିପିନ ସାହୁ ବୋଲି ଜଣାଯାଇଛି । ସୂଚନାଯୋଗ୍ୟ, ଭୁଆଶୁଣୀ ପାହାଡ ନିକଟରେ ଗୋଟିଏ ମାତ୍ର ପ୍ଲଟକୁ ଲିଜ୍ ନେଇ ମାଫିଆମାନେ ନିକଟସ୍ଥ ବିସ୍ତୀର୍ଣ୍ଣ ଅଚଂଳରେ ଦୀର୍ଘର୍ ବର୍ଷ ଧରି ମୁଗୁନି ପଥର ଲୁଟ୍ ଚାଲିଛନ୍ତି । ଏପରିକି ମାଫିଆମାନେ ରାତିରେ ବ୍ଲାଷ୍ଟିଂ କରି ପଥର ଉତ୍ତୋଳନ କରୁଥିବାବେଳେ ସ୍ଥାନୀୟ ଅଞ୍ଚଳ ଥରି ଉଠୁଥିଲା । ମାଫିଆଙ୍କ ଭୟରେ ସ୍ଥାନୀୟ ବାସିନ୍ଦାମାନେ ଏହାକୁ ଖୋଲା ଖୋଲି ବିରୋଧ କରୁନଥିବାବେଳେ ଏ ନେଇ ଓଡାପୋଡା ତହସିଲ କାର୍ଯ୍ୟାଳୟ ସମେତ ସ୍ଥାନୀୟ ରାଜସ୍ୱ କର୍ମଚାରୀ ଓ ସ୍ଥାନୀୟ ପୁଲିସ୍ମାନଙ୍କ ସହ ମାଫିଆମାନଙ୍କ ମଧୁଚନ୍ଦି୍ରକାରେ ଏହା ଖୁଲମଖୁଲା ଚାଲିଥିଲା ବୋଲି ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି ।