ସ୍କୁଲ୍ ଭିତ୍ତିଭୂମି ସୁଦୃଢ଼ ହୋଇଛି : ଧର୍ମେନ୍ଦ୍ର

 ଢେଙ୍କାନାଳ : ଭାରତକୁ ଏକବିଂଶ ଶତାବ୍ଦୀର ବିଶ୍ୱ ଜ୍ଞାନ ଶକ୍ତିରେ ପରିଣତ କରିବାକୁ ହେଲେ ଆମକୁ ସମାନ ଶିକ୍ଷା ଓ ସମାନ ସୁଯୋଗକୁ ସୁନିଶ୍ଚିତ କରିବାକୁ ହେବ । ୨୦୩୬ ସୁଦ୍ଧା ଓଡିଶା ଏବଂ ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ପାଇଁ ଗୁଣାତ୍ମକ ଶିକ୍ଷା ସହ ଦକ୍ଷତା ଆଧାରିତ ଶିକ୍ଷାକୁ ପ୍ରାଥମିକତା ଦେବାକୁ ହେବ । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା-ଶ୍ରୀମୂଳା ସ୍ଥିତ ପିଏମ୍ଶ୍ରୀ ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଏକ ଭିଡିଓ ବାର୍ତ୍ତା ଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 
ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇବା ସହ ପ୍ରାଚୀନ ଯୁଗରୁ ଆମର ଢେଙ୍କାନାଳ ବୀରଭୂମି ନାମରେ ଖ୍ୟାତ ବୋଲି କହିଛନ୍ତି । ଢେଙ୍କାନାଳ ଜିଲ୍ଲା ଶହୀଦ ବୀର ବାଜି ରାଉତ, ପବିତ୍ର ମୋହନ ପ୍ରଧାନ, ସଂଗ୍ରାମୀ ମହେଶ ଚନ୍ଦ୍ର ସୁବାହୁ ସିଂହ, ସାରଙ୍ଗଧର ଦାସ, ତୀର୍ଥବାସୀ ସାହୁ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ବେଣୁଧର ପଣ୍ଡାଙ୍କ ସଂଗ୍ରାମୀ ଭୂମି ବୋଲି ମତବ୍ୟକ୍ତ କରିଥିଲେ । ଏହାସହ ଧର୍ମେନ୍ଦ୍ର କହିଥିଲେ ଯେ, ପଞ୍ଚସଖା ସରକାରୀ ହାଇସ୍କୁଲ୍ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ପିଏମ୍ଶ୍ରୀ ସ୍କୁଲ୍ରେ ବିକଶିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ ୧୦ ବର୍ଷ ମଧ୍ୟରେ ସ୍କୁଲ୍ର ଭିତ୍ତିଭୂମି ମଜଭୁତ ହୋଇଛି । ସ୍ମାର୍ଟ କ୍ଲାସ୍ରୁମ୍, ଶୌଚାଳୟ, ପାନୀୟ ଜଳ ସୁବିଧା, କମ୍ପୁ୍ୟଟର, ଇଂଟରନେଟ୍ ସଂଯୋଗ, ପାଠାଗାର, ଖେଳ ପଡିଆ ଓ ଆନୁସଙ୍ଗିକ ଭିତିଭୂମି ସୁଦୃଢ ହୋଇଛି । ଡବଲ ଇଞ୍ଜିନ ସରକାର ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେଇ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ବିକଶିତ କରିବାର ଦାୟିତ୍ୱ ନେଇଛନ୍ତି । ଏହି ଆଧାରରେ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍ ବହି ଯୋଗାଇ ଦେବା ପାଇଁ ସରକାର "ଭାରତୀୟ ଭାଷା ପୁସ୍ତକ ଯୋଜନା' ଆରମ୍ଭ କରିବା ପାଇଁ ଯାଉଛନ୍ତି ବୋଲି କହିଥିଲେ । ଶ୍ରୀ ପ୍ରଧାନ ଭିଡିଓ ବାର୍ତାରେ କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ନାଗରିକ ଏବଂ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ପଦ୍ମବିଭୂଷଣ ଡକ୍ଟର କେ କସ୍ତୁରୀରଙ୍ଗନଙ୍କ ବିୟୋଗରେ ଦୁଃଖ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।