ବେଆଇନ ବନ୍ଧୁକର ନୂଆ ବଜାର

ଗତ କିଛିବର୍ଷ ହେଲା ରାଜଧାନୀ ଭୁବନେଶ୍ୱରରେ ଚୋରା ମାଉଜର୍ କାରବାର ବଢୁଥିବା ଲକ୍ଷ୍ୟ କରାଯାଇଛି । ଅପରାଧୀମାନେ ଛୋଟ ମୋଟ ଘଟଣାରେ ମାଉଜର ବ୍ୟବହାର କରୁଥିବା ଏବଂ ସେଥିରେ ଲୋକେ ମୃତାହତ ହେଉଥିବା ଦେଖାଯାଇଥିଲା । ଏବେ ଗଞ୍ଜାମ ଜିଲ୍ଲା ଚୋରା ମାଉଜର୍ ବ୍ୟବହାରର ସବୁଠାରୁ ବଡ଼ବଜାରରେ ପରିଣତ ହୋଇଥିବା ଅନୁଭବ କରାଗଲାଣି । ଗଞ୍ଜାମ ଜିଲ୍ଲାରେ ଛୋଟ ମୋଟ ଘଟଣା ଗୁଡ଼ିକରେ ଚୋରା ବନ୍ଧୁକ ବ୍ୟବହାର ହେଉଥିବା ଘଟଣା ଦୃଷ୍ଟିକୁ ଆସିବା ପରେ ପ୍ରତ୍ୟେକଟି ଘଟଣାର ତଦନ୍ତ ଏସ୍ଟିଏଫ୍ ବର୍ତ୍ତମାନ କରୁଛି । ଏସବୁ ବନ୍ଧୁକ କେଉଁଠାରୁ ଗଞ୍ଜାମ ଜିଲ୍ଲାକୁ ଆସୁଛି ତାହା ଉପରେ ତଦନ୍ତ ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ଜଣାପଡ଼ିଛି ଜଣେ ବ୍ୟକ୍ତି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନକୁ ବନ୍ଧୁକ ଯୋଗାଉଥିଲା । ପୁଲିସ୍ର ରେକର୍ଡ୍ ଅନୁସାରେ ହତ୍ୟା, ଜମି ହଡପ୍, ଠିକାଦାରୀ, ଡକାୟତି, ବୋମା ମାଡ଼, ଲୁଟ୍, ଦାଦାବଟି କେସ୍ ଆଦିରେ ଚୋରା ବନ୍ଧୁକର ବ୍ୟବହାର ହୋଇଥିବା ଦେଖାଯାଇଛି । ଏହି ଚୋରା ବନ୍ଧୁକର କାରବାର ଓଡ଼ିଶାରେ ବର୍ତ୍ତମାନ ୫୦ ଜଣ କରୁଥିବା ଜଣାପଡ଼ିଲାଣି । ଏହି ୫୦ ଜଣଙ୍କୁ ଏସ୍ଟିଏଫ୍ ଚିହ୍ନଟ କରିସାରିଲାଣି । ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି । ଏସ୍ଟିଏଫ୍ର ଦୁଇଟି ଟିମ୍ ଗଞ୍ଜାମ ଜିଲ୍ଲାର ୭ ଜଣ ବନ୍ଧୁକ ଡ଼ିଲର୍ଙ୍କୁ ଚିହ୍ନଟ କରିଛି । ଏହିସବୁ ବନ୍ଧୁକ ବିହାରର ମୁଙ୍ଗେର୍ ଅଞ୍ଚଳରୁ ଆସୁଛି । ବର୍ତ୍ତମାନ ମୁଙ୍ଗେର୍ର ପୁଲିସ୍ ଓଡ଼ିଶା ପୁଲିସ୍ ସହିତ ମିଶି ଏଭଳି ଚୋରା ବନ୍ଧୁକ କାରବାର କରୁଥିବା ଲୋକମାନଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛନ୍ତି । 
ଇତିମଧ୍ୟରେ ୨୦ଟି ବନ୍ଧୁକ ଗଞ୍ଜାମ ଜିଲ୍ଲାକୁ ଆସିଥିବା କଥା ଏସ୍ଟିଏଫ୍ ଜାଣିପାରିଛି । ଚୋରା ବନ୍ଧୁକ କାରବାର କରୁଥିବା ଏକ ଜଣାଶୁଣା ଅପରାଧୀ ଦୀର୍ଘ ଦିନ ହେଲା ଜେଲ୍ରେ ଥିବାରୁ ଆଉ ଜଣେ ନୂଆ ବ୍ୟକ୍ତି ଏହି ଚୋରା ବନ୍ଧୁକ କାରବାର ଆରମ୍ଭ କରିଥିବା ଜଣାପଡ଼ିଲାଣି । ଗଞ୍ଜାମ ଜିଲ୍ଲାରେ ଏହି ନୂଆ ବ୍ୟକ୍ତି ଜଣକ ଗ୍ୟାଙ୍ଗ୍ୱାର୍ କରିବାକୁ ମଧ୍ୟ ବଡ଼ ଯୋଜନା କରିଥିବା ଜଣାପଡ଼ିଛି । ୧୮ ଜଣ ଅଭିଯୁକ୍ତଙ୍କୁ ୨୦ଟି ବନ୍ଧୁକ ଉପହାର ଆକାରରେ ଦିଆଯାଇଥିବା କଥା ପୁଲିସ୍ ଦୃଷ୍ଟିକୁ ଆସିସାରିଲାଣି । ଅଳ୍ପିଦନ ତଳେ ୪୨ ମଉଜାରେ ପ୍ରସ୍ତୁତ ହେଉଥିବା ଚୋରା ବନ୍ଧୁକ ଗଞ୍ଜାମରୁ ମିଳିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାର ନୟାଗଡ଼, କେନ୍ଦ୍ରାପଡ଼ା, ପୁରୀ ସମେତ ୭ଟି ସହରକୁ ଚୋରା ବନ୍ଧୁକ ଯାଇଥିବା ପୁଲିସ୍ ଜାଣିପାରିଛି । 
ରାଜ୍ୟର ଆଇନ୍ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା କ୍ଷେତ୍ରରେ ପୁଲିସ୍ ଯେତେ ଉଦ୍ୟମ କରିଲେ ମଧ୍ୟ ଅପରାଧିଙ୍କ ହାତରେ ଚୋରା ବନ୍ଧୁକ, ମାଉଜର୍ ଆଦି ପଡ଼ି ଯାଉଥିବାରୁ ଅପରାଧକୁ ରୋକା ଯାଇପାରୁନାହିଁ । ଏ କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୁଙ୍ଗେର୍ ତିଆରି ହେଉ କି ବୟାଳିଶି ମଉଜାରେ ତିଆରି ହେଉ, ଏସବୁ ବନ୍ଧୁକ ସହିତ ଗୁଳି ମଧ୍ୟ ପ୍ରସ୍ତୁତ ହେଉଛି । ଦେଖିବାକୁ ଗଲେ ପୁଲିସ୍କୁ ଚ୍ୟାଲେଞ୍ଜ୍ ଦେବା ଭଳି ଏକ ଅପରାଧୀ ଗ୍ୟାଙ୍ଗ୍ ରାଜ୍ୟରେ ସୃଷ୍ଟି ହେଉଛି । ଏହି ଗ୍ୟାଙ୍ଗ୍ ଅନେକ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଜଣା ପଡ଼ିସାରିଲାଣି । ଏ କ୍ଷେତ୍ରରେ ଗୋଟିଏ କଥା ସ୍ପଷ୍ଟ ହୋଇଯାଉଛି ଯେ ବନ୍ଧୁକ ତିଆରିର ସ୍ଥାନ, ଏସବୁ କାରବାର କରୁଥିବା ବ୍ୟକ୍ତିଙ୍କ ବାବଦରେ ପୁଲିସ୍ ହାତରେ ନିର୍ଦ୍ଦିଷ୍ଟ ସୂଚନା ନିଶ୍ଚିତ ଭାବେ ପହଞ୍ଚି ସାରିଲାଣି । ଏଭଳି କାରବାରରେ ଲିପ୍ତ ଥିବା ଅପରାଧୀମାନେ ବର୍ତ୍ତମାନ ଫେରାର୍ ଥିବା ପୁଲିସ୍ ରେକର୍ଡ୍ କହୁଛି । ଏହି ଫେରାର୍ ଅପରାଧୀମାନେ ନିଶ୍ଚିତ ଭାବରେ ସେମାନଙ୍କ କଳା ସାମ୍ରାଜ୍ୟ ଏବଂ ଗ୍ରାହକମାନଙ୍କ ସହିତ ଯୋଗାଯୋଗର ଏକ ନେଟ୍ୱାର୍କ୍ ସ୍ଥାପନ କରିଛନ୍ତି । ଏହା ଫଳରେ ସେମାନଙ୍କୁ ଧରିବାକୁ ଚେଷ୍ଟା କରାଗଲେ ମଧ୍ୟ ସେମାନେ ଖସି ଯାଉଛନ୍ତି । ଏ ଦିଗରେ ଜନସାଧାରଣ ପାଉଥିବା ସୂଚନାକୁ ପୁଲିସ୍ଙ୍କୁ ଦେଲେ ଅପରାଧୀମାନେ ବେଶୀ ଦିନ ଲୁଚି ରହିପାରିବେ ନାହିଁ ।