ଅସୁରକ୍ଷିତ ବ୍ରହ୍ମବରଦା ପୋଷ୍ଟ ଅଫିସ : ନାହିଁ ସିସି କ୍ୟାମେରା, ନାହାନ୍ତି ସୁରକ୍ଷା କର୍ମୀ

ବ୍ରହ୍ମବରଦା : ରସୁଲପୁର ବ୍ଲକ ବ୍ରହ୍ମବରଦା ପୋଷ୍ଟ ଅଫିସ ନାନା ସମସ୍ୟା ଦେଇ ଗତ କରୁଛି । ବିନା ସିସିଟିଭି କ୍ୟାମେରା ଓ ସୁରକ୍ଷା କର୍ମୀଙ୍କ ଅଭାବରୁ ଖୋଲା ମେଲାରେ ଚାଲୁଥିବା ଏହି ପୋଷ୍ଟ ଅଫିସ  ଦିନକୁ ଅସୁରକ୍ଷିତ ହୋଇପଡିଛି । ଫଳରେ ଧିରେ ଧିରେ ଏହା ଅଞ୍ଚଳବାସୀଙ୍କ ଆସ୍ଥା ହରାଉଥିବା ବେଳେ ବହୁ ଗ୍ରାହକ ଏଠାରୁ ଏବେ ମୁହଁ ଫେରାଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି । ସୁଚନା ଥାଉଛି ବ୍ରହ୍ମବରଦା ପୋଷ୍ଟ ଅଫିସ ଆଖପାଖ ପଞ୍ଚାୟତର ବାସିନ୍ଦାଙ୍କ ପାଇଁ ଟଙ୍କା ଜମା ଓ ଉଠାଣ କରିବାର ସବୁଠୁ ବିଶ୍ୱସ୍ତ ସଂସ୍ଥା ହୋଇଥିବା ବେଳେ, ଏହାରି ମାଧ୍ୟମରେ ସାଧାରଣ ଲୋକଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଚିଠି, ଏଟିଏମ୍ କାର୍ଡ, ଆଧାର କାର୍ଡ, ପାନ୍ କାର୍ଡ, ଭୋଟପରିଚୟ ପତ୍ର ଓ ଡାକ ପାର୍ସଲ ଆଦି ଯିବା ଆସିବା କରିଥାଏ । ଏହାବାଦ ବ୍ରହ୍ମବରଦା ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ସହ ଏଠାକାର ଅଧିକାଂଶ ଲୋକେ ବିଦେଶରେ ରହୁଥିବା ହେତୁ ଏଠାରେ ହଜାର ହଜାର ଲୋକଙ୍କ ସ୍ୱଂୟ ଖାତା ମଧ୍ୟ ରହିଛି । ଯାହା ଫଳରେ ଦୈନିକ ସହ ସହ ସଂଖ୍ୟାରେ ଗ୍ରାହକ ଏଠାକୁ ନିଜର କଷ୍ଟ ଉପାର୍ଜିତ ଟଙ୍କା ଜମା ଓ ଉଠାଣ କରିବାକୁ ଆସିଥାନ୍ତି । କିନ୍ତୁ ଲୋକେ ଏବେ ଉକ୍ତ ପୋଷ୍ଟ ଅଫିସରେ ଟଙ୍କା ଜମା ଓ ଉଠାଣ କରିବା ସମୟରେ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି । କାରଣ ଏଠାରେ କୌଣସି ସୁରକ୍ଷା କର୍ମୀ ନିୟୋଜିତ ନଥିବା ବେଳେ ସିସିଟିଭି କ୍ୟାମେରାର ମଧ୍ୟ ବନେ୍ଦାବସ୍ତ କରାଯାଇନି । ଯାହା ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି । କାରଣ ସମ୍ପ୍ରତି ଅତ୍ୟାଧୁନିକ ସମୟରେ ବ୍ୟାଙ୍କ ଓ ପୋଷ୍ଟ ଅଫିସ ପରି ଅର୍ଥ କାରବାର ହେଉଥିବା ସ୍ଥାନରୁହିଁ ଡକାୟତି ହେବା ସହ ସାଧାରଣ ଲୋକେ ଚୋରି ଓ ଲୁଟପାଟ ଶିକାର ହେଉଥିବାର ଘଟଣା ବାରମ୍ବାର ଦେଖିବାକୁ ମିଳୁଛି । କିନ୍ତୁ ଏପରି ସମ୍ବେଦନଶୀଳ ସ୍ଥାନ ଯେଉଁଠିକି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଦୈନିକ ଲକ୍ଷ ଲକ୍ଷ ଟଙ୍କାର କାରବାର ହେଉଛି ସେଠାରେ ସିସିଟିଭି କ୍ୟାମେରା ଓ ସୁରକ୍ଷା କର୍ମୀ ନିୟୋଜିତ ନ ହେବା ସମ୍ପୃକ୍ତ ଡାକ ବିଭାଗର ଢ଼ିଲାପଣକୁ ପଦାରେ ପକାଇଛି ନିଶ୍ଚୟ । କାରଣ ଆଗାମୀ ଦିନରେ ଜଦି ପୋଷ୍ଟ ଅଫିସ କିମ୍ୱା ସେଠାକୁ ଯାଉଥିବା ଗ୍ରାହକ ମାନେ ଲୁଟପାଟର ଶିକାର ହୁଅନ୍ତି ତା ହେଲେ ପୁଲିସ ଦୁର୍ବୃତ ମାନଙ୍କ କୌଣସି ଟେର ପାଇପାରିବ ନାହିଁ ଓ ତଦନ୍ତ ବାଟବଣା ହେବାର ସମ୍ଭାବନା ରହିଛି । 
ଏହା ବ୍ୟତୀତ ବ୍ରହ୍ମବରଦା ପୋଷ୍ଟ ଅଫିସ ଏବେ ବିଶୃଙ୍ଖଳିତ ପରିବେଶ ପାଇଁ ମଧ୍ୟ ଚର୍ଚିତ ହୋଇପଡିଛି । ଏଠାରେ କିଏ ଡାକଘର କର୍ମଚାରୀ ଆଉ କିଏ ଗ୍ରାହକ ତାହା ଜାଣିବା ମୁସ୍କିଲ୍ ହୋଇପଡ଼ିଛି । ଗ୍ରାହକ ମାନେ ଲାଇନରେ ରହି ଟଙ୍କା ଜମା ଓ ଉଠାଣ କରିବା ପରିବର୍ତେ ଯିଏ ଯୋଉ ବାଟେ ଚାହିଁଲା ସିଏ କାର୍ଯ୍ୟାଳୟ ଭିତରେ ପଶି କାରବାର କରୁଥିବାର ଦେଖିବାକୁ ମିଳିଛି । ଯାହା ସମ୍ପୃକ୍ତ ଡାକଘରର ଡାକ ପାଳଙ୍କ କର୍ତବ୍ୟ ଓ ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତା ଛଡା ଏଠାରେ ଅଧିକାଂଶ ସମୟରେ ନେଟୱାର୍କ ରହୁ ନ ଥିବା ବେଳେ, ଇଲେକ୍ଟ୍ରି ଡିଜି ଟିଏ ମଧ୍ୟ ନାହିଁ । କରେଣ୍ଟ ଯିବାଠାରୁ ଆସିବା ପର୍ଯ୍ୟନ୍ତ ଗ୍ରାହକ ମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ହନ୍ତସନ୍ତ ହେବାକୁ ପଡୁଛି । ଆହୁରିପୁଣି ପୋଷ୍ଟ ଅଫିସ ମାଧ୍ୟମରେ ଆସୁଥିବା ସାଧାରଣ ଲୋକଙ୍କ ବହୁ ଚିଠି, ପାନ କାର୍ଡ, ଭୋଟର ପରିଚୟ ପତ୍ର, ଆଧାର କାର୍ଡ,ଏଟିଏମ କାର୍ଡ ବଣ୍ଟା ନହୋଇ ପୋଷ୍ଟ ଅଫିସରେ ଗଦାଗଦା ହୋଇ ପଡିରହୁଥିବା ଅଭିଯୋଗ ହୋଇଛି । ଡାକ ପିଅନ ଜଣକ ଚିଠି ଓ ଆବଶ୍ୟକ କାଗଜପତ୍ର ଗୁଡିକୁ ଘରେ ଘରେ ପହଁଚାଇବା ପରିବର୍ତେ ଲୋକଙ୍କୁ ପୋଷ୍ଟ ଅଫିସକୁ ଯାଇ ସେ ସବୁକୁ ଆଣିବାକୁ ପଡୁଛି । ଯାହା ଡାକ ବିଭାଗର କର୍ମଚାରୀଙ୍କ ଦାୟିତ୍ୱ ପ୍ରତି ସନେ୍ଦହ ସୃଷ୍ଟି କରିଛି । ତେଣୁ ଗ୍ରାହକ ଓ ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ରହ୍ମବରଦା ପୋଷ୍ଟ ଅଫିସରେ ଆବଶ୍ୟକ ସୁରକ୍ଷା କର୍ମଚାରୀ, ସିସିଟିଭି ଓ ଅତ୍ୟାବଶ୍ୟକ ଉପକରଣ ମହଜୁଦ ରଖିବାକୁ ସାଧାରଣରେ ଦାବି ହୋଇଛି ।