ବେଆଇନ ବାଲିଘାଟ ବନ୍ଦ ପାଇଁ ଦାବି

 ବ୍ରହ୍ମବରଦା : କିଛି ମାସ ପୂର୍ବରୁ ବାଲି ମାଫିଆଙ୍କ ଦ୍ୱାରା ବେଆଇନ ବାଲିଘାଟରୁ ସୃଷ୍ଟ କୃତ୍ରିମ ଗଭୀର ଗଣ୍ଡରେ ବୁଡି ବ୍ରହ୍ମବରଦା ଥାନା ଚାନ୍ଦପୁର-ମହେଶ୍ୱରପୁର ଗ୍ରାମର ଜଣେ +୨ କଲେଜ ଛାତ୍ରର ଜୀବନ ଯାଇଥିଲା । ଯାହାକୁ ନେଇ ଗ୍ରାମବାସୀ ରାସ୍ତା ରୋକ ଠାରୁ ଆରମ୍ଭ କରି ବେଆଇନ ବାଲିଘାଟରେ ସମ୍ପୃକ୍ତ ଚୋରା ବାଲି ମାଫିଆଙ୍କୁ ବାନ୍ଧିବା ପାଇଁ ମଧ୍ୟ ଦାବି ଉଠିଥିଲା । 
ସେ ସମୟରେ ଜିଲା ଖଣି ବିଭାଗ ଓ ସ୍ଥାନୀୟ ପୁଲିସ ପ୍ରଶାସନ ମଧ୍ୟ ତତ୍ପରତା ଦେଖାଇ ଘଟଣାସ୍ଥଳରୁ ଦୁଇଗୋଟି ପ୍ରୋକଲିନ ଜବତ କରିବା ସହ ଚୋରା ବାଲି ମାନଙ୍କ ପ୍ରତିଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଲେ । ତାଛଡା ଉକ୍ତ ବେଆଇନ ବାଲିଘାଟକୁ ସଂଯୋଗ ନଦୀବନ୍ଧ ରାସ୍ତାଗଡାକୁ ମଧ୍ୟ ପ୍ରଶାସନ ଲୋକ ଦେଖାଣିଆ ମେସିନ ଲଗାଇ କାଟିଥିଲା । ମାତ୍ର ଆଶ୍ଚର୍ଯ୍ୟର କଥା ଏତେ ସବୁ ଘଟଣା ଘଟିବାର ମାତ୍ର କିଛି ମାସ ନ ପୁରୁଣୁରୁ ଯୋଉ କଥାକୁ ସେଇ କଥା । ମାନେ ପୁଣି ସେଇ ମୃତୁ୍ୟର ସୌଦାଗର ବେଆଇନ ବାଲିଘାଟ ଚାଲିଲା । ଯାହାକୁ ନେଇ ରସୁଲପୁର ତହସିଲ ଅଧିନ ମଙ୍ଗରାଜପୁର, ଚାନ୍ଦପୁର-ମହେଶ୍ୱରପୁର, ଖଣ୍ଡାସ ଓ ଯାଜପୁର ତହସିଲ ଅଧିନ ଝାଲପଡା ପଞ୍ଚାୟତର ଗ୍ରାମବାସୀ ଉକ୍ତ ବେଆଇନ ବାଲିଘାଟକୁ ବନ୍ଦ କରିବାକୁ ଯାଜପୁର ଜିଲାପାଳ, ଯାଜପୁର ଏ୍ସପିଙ୍କ ଠାରୁ ଆରମ୍ଭ କରି ରସୁଲପୁର ଓ ଯାଜପୁର ବିଡିଓ, ତହସିଲଦାରଙ୍କ ସମେତ ବ୍ରହ୍ମବରଦା ଥାନା ଅଧିକାରୀଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ସୁଚନାନୁଯାୟୀ କି ରସୁଲପୁର ତହସିଲ ଅଧିନରେ ଥିବା ବ୍ରହ୍ମବରଦା ଅଂଚଳର ବ୍ରାହ୍ମଣୀ ନଦୀ ଶଯ୍ୟା ଏବେ ବାଲି ମାଫିଆଙ୍କ ଚରାଭୁଇଁ ପାଲଟିଛି । ମାଫିଆ ବଡବଡ ମେସିନ ଲଗାଇ ଦିନ ରାତି ଶହଶହ ଗାଡି ବାଲି ଚୋରା ଚାଲାଣ କରୁଛନ୍ତି । ବ୍ରାହ୍ମଣୀ ନଦୀରୁ ଏବେ ବାଲି ଶେଷ ହେବାକୁ ବସିଥିବା ବେଳେ ଗାଁ ରାସ୍ତାରେ ଯିବା ଆସିବା ସମୟରେ ଭାରୀଯାନ ମାନଙ୍କ ବିକଟାଳ ଶବ୍ଦ ଓ ବାୟୁ ପ୍ରଦୂଷଣକୁ ନେଇ ଗାଁ ଦାଣ୍ଡ ଏବେ ଅଶାନ୍ତ ହୋଇପଡିଛି । ଗାଁର ଅଣଓସାରିଆ ରାସ୍ତାରେ ଭାରୀଯାନ ଚଳାଚଳକୁ ନେଇ ପ୍ରତିକ୍ଷଣରେ ଜୀବନ ସହିତ ଲଢେଇ କରୁଛନ୍ତି ଗ୍ରାମବାସୀଙ୍କ ସହିତ କୁନିକୁନି ପିଲାମାନେ । ବ୍ରହ୍ମବରଦା, ଚାନ୍ଦପୁର, ମହେଶ୍ୱରପୁର, ମଙ୍ଗରାଜପୁର, ଖଣ୍ଡାସ, କାକୁଡ଼ିକୁଦ ଆଦି ଅଞ୍ଚଳରେ ବେଆଇନ ବାଲିଘାଟ ଚାଲିଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଶୁନ । କିନ୍ତୁ ଗୋଟିଏ ପଟେ ରାଜ୍ୟରେ ଚାଲିଥିବା ବ୍ୟାପକ ଖଣିଜ ପଦାର୍ଥର ହରିଲୁଟ୍ ଓ କୋଟି କୋଟି ଟଙ୍କା ରାଜସ୍ୱ ହାନି ସମ୍ପର୍କିତ ଖବର ବିଭିନ୍ନ ବୈଦୁ୍ୟତିକ ଗଣମାଧ୍ୟମ ଓ ଦୈନିକ ଖବର କାଗଜ ପୃଷ୍ଠାରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ତା ୨୯/୦୨/୨୦୨୫ରିଖରେ ଡ଼ାଇରେକ୍ଟର ଅଫ ମାଇନର ମିନେରାଲ ତରଫରୁ ଖଣି ଚୋରି ବନ୍ଦ କରିବା ପାଇଁ ପଦକ୍ଷପ ନେବାପାଇଁ ରାଜ୍ୟର ସମସ୍ତ ଖଣି ଅଧିକାରୀ ଓ ଖଣି ଉପ ନିଦେ୍ର୍ଦଶକଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଖଣି ଖନନ ଅଞ୍ଚଳରେ ସମସ୍ତ ଲିଜ୍ଧାରୀ ୪/୦୩/୨୦୨୫ ତାରିଖ ମଧ୍ୟରେ ଖନନ ଅଞ୍ଚଳରେ ଏକ ସୂଚନା ଫଳକରେ ଇଁରାଜୀ ଓ ଓଡ଼ିଆ ଭାଷାରେ ଖଣି ଲିଜ ସର୍ମ୍ପକିତ ସମସ୍ତ ତଥ୍ୟ ଦର୍ଶାଇବେ । ଖଣି ଖନନ ଅଞ୍ଚଳରେ ସିସିଟିଭି କ୍ୟାମେରା ସ୍ଥାପନ କରିବା ଜିପିଏସ ର୍ସଭିଲାନ୍ସ ବ୍ୟବସ୍ଥା କରିବା ଏବଂ ଖଣି ଅଂଚଳକୁ ଏକକ ପ୍ରବେଶ ଓ ପ୍ରସ୍ଥାନ ପଥ ସହ ରେଜିଷ୍ଟର ମେନସନ କରିବା ପାଇଁ ନିଦେ୍ର୍ଦଶ ରହିଛି । କିନ୍ତୁ ରସୁଲପୁର ତହସିଲ ଅଧିନ ବ୍ରହ୍ମବରଦା ଘାଟ ନିଲାମ ଥିବା ବେଳେ ଏହାଠାରୁ ୨ କି.ମି ଦୂର ଅନ୍ୟ ଏକ ପଞ୍ଚାୟତ ଚାନ୍ଦପୁର-ମହେଶ୍ୱରପୁର ଗ୍ରାମର ବ୍ରାହ୍ମଣୀ ନଦୀପଠାରୁ ବାଲି ଉତ୍ତୋଳନ କରାଯାଉଛି । ତା ଛଡା ଘାଟ ନିଲାମଧାରୀ ରାଜନେତା, ଜିଲା ପ୍ରଶାସନ ଓ ସ୍ଥାନୀୟ କିଛି କୁଜି ନେତାଙ୍କ ସହଯୋଗରେ ଚଞ୍ଚକତା ଦେଖାଇ ଘାଟ ନିଲାମ ଥିବା ବ୍ରହ୍ମବରଦା ଅଂଚଳରେ ସିସିଟିଭି କ୍ୟାମେରା ଲଗାଇ ଅନ୍ୟସ୍ଥାନରୁ ବାଲି ଉତୋଲନ କରୁଛନ୍ତି । କିନ୍ତୁ ସବୁ ବେଆଇନ ବାଲିଘାଟକୁ ସରକାରଙ୍କ ଦ୍ୱାରା ବନ୍ଦ କରାଯାଇଥିବା ବେଳେ ବାଲି ମାଫିଆ ଦିନରେ ବାଲି ଉତୋଳନ ବନ୍ଦରଖି ରାତିରେ ବାଲି ଚେରାଚାଲାଣ କରୁଥିବା ଗ୍ରାମବାସୀଙ୍କ ଦ୍ୱାରା ଲିଖିତ ଅଭିଯୋଗ ହୋଇଛି । ମୃତୁ୍ୟର ସୌଦାଗର ସାଜିଥିବା ଚୋରାବାଲି ଘାଟ ବର୍ତମାନ ବାଲିମାଫିଆଙ୍କ ଆଡ୍ଡା ସ୍ଥଳୀ ଭାବେ ଦିନରେ ତାଲା ରାତିରେ ଖୋଲା କରି ଲୁଟିବାରେ ଲାଗି ପଡ଼ିଛନ୍ତି ।
 ସବୁଠୁ ବଡ କଥା ଚୋରା ବାଲି ଗାଡି ଗୁଡିକୁ ଦେଖାରେଖା କରୁଥିବା ବ୍ୟକ୍ତି ମାନଙ୍କ ବସାଉଠା ପାଇଁ ନଦୀ ଗର୍ଭରେ ସିମେଂଟ ଖୁଂଟରେ ଜରିପାଲ ଘେରାଯାଇ ଏକ ସ୍ୱତନ୍ତ୍ର ଘର ନିର୍ମାଣ କରାଯାଇଛି । ଏପଟେ ଚୋରା ବ୍ୟବସାୟୀ ମାନେ ଦିନ ବେଳା ସ୍ଥାନୀୟ ଟ୍ରାକ୍ଟର ବ୍ୟବସାୟି ମାନଙ୍କ ଠାରୁ ଗାଡି ପିଚ୍ଛା ଦୁଇଶହରୁ ତିନିଶହ ଟଙ୍କାରେ ରୟାଲିଟ କାଟି ବାଲି ବିକ୍ରି କରୁଥିବା ବେଳେ ବିଲଡର ମାନଙ୍କୁ ଡମ୍ପର ଭଳି ବଡବଡ ଗାଡି ମାଧ୍ୟମରେ ବାଲି ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ଯାହାଫଳରେ ଗାଁ ଗହଳି ରାସ୍ତା ନଷ୍ଟ ହେଉଥିବା ବେଳେ ଗାଁ ପିଲା ତଥା ରାସ୍ତା ପାଶ୍ୱର୍ରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଏଣୁ ଏଠାରେ ଏଭଳି ବେଆଇନ ବାଲିଘାଟ ବନ୍ଦ କରିବାକୁ ମଙ୍ଗରାଜପୁର,ଚାନ୍ଦପୁର-ମହେଶ୍ୱରପୁର, ଖଣ୍ଡସ ଓ ଝାଲପଡ଼ା ଗ୍ରାମର ପ୍ରଶାନ୍ତ କୁମାର ମୁଦୁଲି, ସୁରେନ୍ଦ୍ର ବେହେରା, ପୃଥିରଞ୍ଜନ ମାହାନ୍ତି, ସେକ୍ ସହିଦ ଅଲ୍ଲି, ସନାତନ ଦାସ, ଦିପ୍ତିରଞ୍ଜନ ମୁଦୁଲି, ଭାଗୀରଥି ପାଣିଗ୍ରାହୀ ଓ ସୌମ୍ୟରଞ୍ଜନ ପାଢୀଙ୍କ ବହୁ ଗ୍ରାମବାସୀ ଆଦି ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏନେଇ ବ୍ରହ୍ମବରଦା ଥାନା ଅଧିକାରିଣୀ ଅଂଶୁମାଳା ଦାସଙ୍କୁ ପଚାରିବାରୁ ସେ କହିଥିଲେ କି ଯଦି ଲିଜ୍ ଏରିଆ ବାହାରୁ ବାଲି ଉତୋଳନ କରାଯାଉଥିବ ତାହେଲେ ମାପଚୁପ କରାଯାଇ ଉକ୍ତ ବେଆଇନ ବାଲିଘାଟକୁ ବନ୍ଦ କରାଯିବ ।