ବେଗୁନିଆରେ ବେଆଇନ ହଷ୍ଟେଲ ଓ କୋଚିଂ ସେଣ୍ଟର : ଥାନାରେ ଅଭିଯୋଗ ପରେ ତନାଘନା
ସ୍ୱତନ୍ତ୍ର ପ୍ରତିନିଧି, ଗୋବିନ୍ଦ ଚନ୍ଦ୍ର ପଣ୍ଡା : ସବୁ ନୀତି ନିୟମକୁ ଫୁ କରି ଉଡାଇ ଦେଇଛନ୍ତି ବେଗୁନିଆରେ ଚାଲିଥିବା ହଷ୍ଟେଲ ଓ କୋଚିଂ ସେଣ୍ଟର । ଭିତିଭୂମି ଓ ଅନୁସଙ୍ଗିକ ବ୍ୟବସ୍ଥା ନଥାଇ ବେଗୁନିଆ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଚାଲିଥିବା ଆଇବିସି ହଷ୍ଟେଲ ଓ କୋଚିଂ ସେଣ୍ଟର ନାଁ ରେ ଆସିଛି ସଂଗୀନ ଅଭିଯୋଗ । ଅଭିଯୋଗ ପାଇ ବେଗୁନିଆ ପୁଲିସ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉକ୍ତ ବେଆଇନ ହଷ୍ଟେଲ ଓ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରିଛନ୍ତି । ସୂଚନା ଅନୁଯାଇ ଆଜି ମଧ୍ୟାହ୍ନ ସମୟରେ ଗୁଗୁଲ ଟ୍ରଷ୍ଟର ଏମଡି ସଂଯୁକ୍ତା ନାୟକ, ଅଧକ୍ଷ ରଞ୍ଜନ ନାୟକ ଓ ଉକ୍ତ କୋଚିଂ ସେଣ୍ଟର ତଥା ହଷ୍ଟେଲରେ ନିର୍ଯାତିତ ହୋଇଥିବା ଛାତ୍ରୀଙ୍କ ପିତା ମାତା ଭୁବନେଶ୍ୱରରୁ ଆସି ବେଗୁନିଆ ଥାନାରେ ପହଞ୍ଚି ହଷ୍ଟେଲ ଚଳାଉଥିବା ଅବୁ ବକ୍କର ସିଦ୍ଦିକି ନାଁରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଥାନା ଅଧିକାରୀ ତତକ୍ଷଣାତ ବେଆଇନ ହଷ୍ଟେଲରେ ପହଂଚିଥିଲେ । ହଷ୍ଟେଲରେ ରହୁଥିବା ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରି ଉପଯୁକ୍ତ ସୁବିଧା ମିଳୁନଥିବା ଜାଣିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ତଦନ୍ତ କରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ହଷ୍ଟେଲ ସମ୍ପର୍କରେ ଅବଗତ ନଥିଲି, ଏଠି ବେଆଇନ ଭାବେ ହଷ୍ଟେଲ ପରିଚାଳନା କରାଯାଉଛି । ହଷ୍ଟେଲ ଚଳାଇବା ପାଇଁ ସେଭଳି କୌଣସି ସୁବିଧା ଏଠାରେ ନାହିଁ । ସେମାନେ ଏମିତି ବେଆଇନ ହଷ୍ଟେଲ କିଭଳି ଚଳାଉଥିଲେ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କହିଥିଲେ । ଏହି ହଷ୍ଟେଲରେ ବେଗୁନିଆ ଓ ପିଚୁକୁଳି ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପଢ଼ୁଥିବା ମୋ ସାମ୍ନାକୁ ଆସିଛି । ବିନା କୌଣସି ସରକାରୀ ଅନୁମତିରେ ହଷ୍ଟେଲ ଚଳାଇବା ବେଆଇନ ବୋଲି ସ୍ପଷ୍ଟ କରିବା ସହ କୋମଳମତି ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇନ ଅନୁଯାୟୀ ସମ୍ପୃକ୍ତ ହଷ୍ଟେଲ ମୁଖ୍ୟଙ୍କ ବିରୁଦ୍ଧରେ ପୁଲିସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଥିଲେ । ଅନ୍ୟପଟେ ରାଜା ବେଆଇନ ଭାବେ ବେଗୁନିଆ ଓ କଳାପଥର ଭଳି ଅନେକ ସ୍ଥାନରେ ଏଭଳି ବେଆଇନ ହେଷ୍ଟେଲ ପ୍ରତିଷ୍ଠା କରି ଆଦର୍ଶ ଛାତ୍ରଛାତ୍ରୀଙ୍କୁ ଶୋଷଣ କରୁଥିବା ଚର୍ଚ୍ଚା ହେଉଛି । ହଷ୍ଟେଲ ପାଇଁ ମନଇଚ୍ଛା ଅର୍ଥ ଦାବୀ କରାଯାଉଥିବା ବେଳେ ଖାଦ୍ୟ ନିମ୍ନମାନର ପ୍ରଦାନ କରାଯାଉଥିବା ସହ ଦୁଇଜଣ ଶିକ୍ଷକଙ୍କ ଦ୍ୱାରା ସମସ୍ତ ବିଷୟ ପଢ଼ାଯାଉଥିବା, ଅସୁସ୍ଥ ହେଲେ କୌଣସି ସୁବିଧା ନଥିବା ଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁଁହ ବରଂ ଅଭିଭାବକ ମାନଙ୍କୁ ବିଭିନ୍ନ ସମୟରେ ଅର୍ଥ ଦାବୀ କରାଯାଉଛି ଏବଂ ନଦେଲେ ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆସିଛି । କିଭଳି ସବୁ ଜାଣି ବେଗୁନିଆ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଏଭଳି ଏକ ବେଆଇନ ହଷ୍ଟେଲ ପରିଚାଳନା କରାଯାଉଛି ତାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏଥିସହ ବେଆଇନ ହଷ୍ଟେଲ ଚଳାଉଥିବା ମୁଖ୍ୟଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ।