ଦୁର୍ଦ୍ଦଶା ଭୋଗୁଛନ୍ତି ୫୦ ପରିବାର : ଘର ସମ୍ମୁଖରେ ଜମି ରହିଛି କାଦୁଅ ପାଣି
ରାଜନଗର: ରାଜନଗର ବ୍ଲକ ସାନବଡଗୋପାଳପୁର ପଚାଂୟତର ନୁରୁଗାଁ । ଏହି ଗ୍ରାମର ପ୍ରଧାନ ସାହିର ଅବସ୍ଥା କହିଲେ ନସରେ । ସାମାନ୍ୟ ବର୍ଷା ହେଲେ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ୧୦ବର୍ଷ ପୂର୍ବରୁ ଘର ସମ୍ମୁଖରେ ଯାଇଥିବା ଅଣଓସାରିଆ ରାସ୍ତାରେ ପଚାଂୟତ ପକ୍ଷରୁ ଢଳେଇ କରାଯାଇଥିଲା । ଢଳେଇଗୁଡିକ ଫାଟି ଯିବାରୁ ଏହା କଂକ୍ରିଟ ରାସ୍ତା ହୋଇଥିଲା କି ନାହିଁ ତାହା ଜଣାପଡୁନାହିଁ । ଏହା ମଧ୍ୟରେ ମେଟାଲ ମୋରମ ମୁଠେ ହେଲେ ବି ପଡିନାହିଁ । ପଚାଂୟତ ହେଉ ବା ପଚାଂୟତ ସମିତିର ଦୃଷ୍ଟି ଆଢୁଆଳରେ ରହି ଯାଇଛି ଏହି ରାସ୍ତାଟି । ବର୍ଷାଦିନ ଆସିଲେ ପଚାଶରୁ ଊଦ୍ଧ୍ୱର୍ ପରିବାରଙ୍କ ଦୁଃଖ ବଳି ପଡେ । ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଯିବାକୁ ଇଛା କରନ୍ତି ନାହିଁ । ବାଇକ ତ ଦୂରର କଥା, ପାଦରେ ଚାଲିକରି ଯିବା କଷ୍ଟକର ହୋଇଥାଏ । ଟ୍ରାକ୍ଟର ପ୍ରଭୃତି ଗାଡିଗୁଡିକ ରାସ୍ତାକୁ ଫଟାଇ ଦେବା ସହିତ ଗାଢ କରି ଦେଇଛନ୍ତି । ସାମାନ୍ୟ ବର୍ଷା ହେଲେ ସେହି ଗାଢରେ ପାଣି ଜମି ରହୁଛି । ଅସାବଧାନ ହେଲା ମାତ୍ରେ ପଡିଯାଇ କାଦୁଅରେ ଘାଟିଂ ହେବା ନିଶ୍ଚିନ୍ତ । ଏକ କିଲୋମିଟରରୁ ଊଦ୍ଧ୍ୱର୍ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିଲେ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଉନଥିବା ନେଇ ମୁରବୀ ସୁଧିର ବଳ, ବାବାଜୀ ବଳ, ନିରଂଜନ ଦାସ, ହରେକୃଷ୍ଣ ବାରିକ, ଅଜାମ୍ବର ବାରିକ, ସହଦେବ ସାହୁ, ସୁବାଷଚନ୍ଦ୍ର ବାରିକ, ଜୟରାମ ବାରିକ, ବିଦ୍ୟାଧର ବାରିକ, ପବିତ୍ର ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି । ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଏହି ରାସ୍ତା ମରାମତି କରିବାକୁ କରିବାକୁ ସେମାନେ ଦାବି କରିଛନ୍ତି ।