ବେଧଡ଼କ ଲୁଟ୍ ହେଉଛି ଖଣିଜ ପଥର
କେନ୍ଦୁଝର/କୋଇଡା : ଖଣିଜ ପଥର ଚୋରା ଚାଲାଣରେ ରୋକ୍ ଲଗାଇବାକୁ ସରକାର ଅସମର୍ଥ ହୋଇଛନ୍ତି । କୋଇଡା ଖଣିମଣ୍ଡଳରେ ବିଭିନ୍ନ ଜଙ୍ଗଲରେ ବେଆଇନ ଖଣି ଚୋରା ଚାଲାଣ ହେଉଛି । ଯାହାଫଳରେ ମାଫିଆ ଏବଂ ବନ ବିଭାଗର କେତେକ ଅସାଧୁ ଅଧିକାରୀ ମାଲାମାଲ ହେଉଥିବାବେଳେ, ଜଙ୍ଗଲ ଧ୍ୱଂସ ହେବା ସହ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ବନ ବିଭାଗ ଜାଣତରେ ଯୋଜନାବଦ୍ଧ ଭାବେ ଚାଲିଛି ବେଆଇନ କାରବାର । ଖଣି ଚୋରଙ୍କ ଭୂସ୍ୱର୍ଗ ପାଲଟିଛି ସୁନ୍ଦରଗଡର କୋଇଡା ଖଣି ଅଞ୍ଚଳ । ଆନ୍ତଃରାଜ୍ୟ ମାଙ୍ଗାନିଜ ମାଫିଆମାନେ ବଡବିଲରେ ରହି ଚୋରା ଖଣି କାରବାର କରୁଛନ୍ତି । ବନ ବିଭାଗ ପକ୍ଷରୁ ଏହାକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉନଥିବାରୁ ଚୋରି ବଢୁଛି । ମାଫିଆମାନେ ନିକଟସ୍ଥ ଲୋକଙ୍କୁ ଅଳ୍ପ କିଛି ମଜୁରୀ ଦେଇ ସେମାନଙ୍କୁ ଖଣି ଚୋରୀ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ଯୋଡା ସର୍କଲ ଅନ୍ତର୍ଗତ ନୟାଗଡ ଖେସରା ଜଙ୍ଗଲ, ପୀଢପୋଖରୀ ଖେସରା ଜଙ୍ଗଲ, ମଲଦା ଖେସରା ଜଙ୍ଗଲରୁ ବ୍ୟାପକ ପରିମାଣର ଲୁହାପଥର ଏବଂ ମାଙ୍ଗାନିଜ ଚୋରି ହେଉଛି । କେନ୍ଦୁଝର ସର୍କଲ ଅନ୍ତର୍ଗତ ମାଲାଙ୍ଗଟୋଲୀ ଖେସରା ଜଙ୍ଗଲରେ ମଧ୍ୟ ବେଧଡକ ଖଣି ଚୋରି ହେଉଛି । ଖଣିଜ ସମ୍ପଦ ଚୋରି ରୋକିବା ପାଇଁ ବନ ବିଭାଗ ଖଣି ବିଭାଗକୁ ସହଯୋଗ କରୁ ନଥିବାରୁ ଚୋରି ବଢୁଛି । ବିଭିନ୍ନ ଜଙ୍ଗଲରେ ବେଆଇନ ଖଣି ଉତ୍ତୋଳନ ହୋଇ ମାସକୁ କୋଟି କୋଟି ଟଙ୍କା ମୂଲ୍ୟବାନ ମାଙ୍ଗାନିଜ ଏବଂ ଲୁହାପଥର ଚୋରୀ ହେଉଛି । ଏ ନେଇ କୋଇଡା ଖଣି ଉପନିଦେ୍ର୍ଦଶକ ଅସିତ୍ କୁମାର ବେହେରା ରାଜ୍ୟ ଖଣି ନିଦେ୍ର୍ଦଶକଙ୍କୁ ଅବଗତ କରିଥିଲେ । ଉପନିଦେ୍ର୍ଦଶକ ଚିଠି ସଂଖ୍ୟା ୩୯୫ ତା ୩୧/୦୧/୨୦୨୫ରେ ଉଲ୍ଲେଖ କରିଛନ୍ତି କୋଇଡାର ମାଲଦା, ଗଣୁଆ, କେନାଭେଟା, ଦଳିତା, ପାନପୋଷିଆ,ଗିଦେଇ, ପଟାବେଡା, କାକରପାଣି ଆଦି ଅଞ୍ଚଳରେ ମାଙ୍ଗାନିଜ ଉତୋଳନ ପାଇଁ ସଂରକ୍ଷିତ ଜଙ୍ଗଲରେ ବେଆଇନ ଖଣି ଖୋଳାଯାଉଛି । ସଂରକ୍ଷିତ ଜଙ୍ଗଲ ହୋଇଥିବାରୁ କୋଇଡା ରେଞ୍ଜର ଅଧିକାରୀ ଓ କର୍ମଚାରୀମାନେ ଏହି ଅଞ୍ଚଳରେ ପ୍ରବେଶ କରିବାକୁ ବାରଣ କରୁଛନ୍ତି । ଫଳସ୍ୱରୂପ ଏନ୍ଫୋର୍ସମେଣ୍ଟ ଟିମ୍ ବେଆଇନ ଖଣି ଉତ୍ତୋଳନକୁ ରୋକିବା ଏବଂ ବେଆଇନ ଉତ୍ତୋଳନ ହୋଇଥିବା ଖଣିଜ ପଥର ଜବତ୍ କରି ପାରୁନାହିଁ । କୋଇଡା ଖଣି ଉପ ନିଦେ୍ର୍ଦଶକଙ୍କ ଚିଠି ପରେ ବେଆଇନ ଉତ୍ତୋଳନକାରୀଙ୍କ ବିରୋଧରେ ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ ସ୍କାର୍ଡ କୌଣସି କାର୍ଯ୍ୟାନୁଷ୍ଠାନ କରୁ ନଥିବାରୁ ଚୋରି ବଢୁଛି । ବନକର୍ମଚାରୀଙ୍କ ଜ୍ଞାତସାରରେ ଏହି ଚୋରି ହେଉଛି । ଜଙ୍ଗଲ ଭିତରେ ଗଛ ତାଡିବା ଫଳରେ ବଡ ବଡ ଗର୍ତ ସୃଷ୍ଟି ହୋଇଥିବାରୁ ବନ୍ୟପ୍ରାଣୀଙ୍କ ପାଇଁ ବିପଦ ରହିଛି । ଟ୍ରକ୍ ଓ ଟିପ୍ପରରେ ଲୋଡିଂ ପରେ ଗଳାବାଟ ଦେଇ ତାହା କେନ୍ଦୁଝର ଖଣି ଅଞ୍ଚଳରେ ପହଞ୍ଚଛି । ସେଠାରୁ ସୀମାନ୍ତ ରାସ୍ତା ଦେଇ ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ମାଙ୍ଗାନିଜ ଫେରୋ ପ୍ଲାଣ୍ଟକୁ ଯାଉଛି । ସବୁକିଛି ପରିଚାଳିତ ହେଉଛି ଆନ୍ତଃରାଜ୍ୟ ଖଣି ମାଫିଆଙ୍କ ଇଙ୍ଗିତରେ । ଚୋରା ବଜାରରେ ମାଙ୍ଗାନିଜର ଟନ୍ ପିଛା ମୂଲ୍ୟ ୧ଲକ୍ଷରୁ ଅଧିକ ଟଙ୍କା । ଜଙ୍ଗଲ ଭିତରେ ବର୍ଷ ବର୍ଷ ଧରି ବେଆଇନ ଖଣି କାରବାର ଚାଲିଥିଲେ ମଧ୍ୟ ବନ ବିଭାଗ ଚୁପ କାହିଁକି ତାହାକୁ ନେଇ ପ୍ରଶ୍ନ ଉଠିଛି । ସୁନ୍ଦରଗଡ ଜିଲ୍ଲାରେ ଚାଲିଥିବା ବେଆଇନ ଖଣି କାରବାର ରୋକିବାକୁ ସ୍ୱତନ୍ତ୍ର ଟାକ୍ସଫୋର୍ସ ଗଠନ କରାଯାଉ ଓ ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଚିଠି ଲେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପୂର୍ବରୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖଣ୍ଟିଆଙ୍କୁ ଅବଗତ କରାଯାଇଥିଲା । ବନ ବିଭାଗର ଅଧିକାରୀ ସିଧାସଳଖ ସମ୍ପୃକ୍ତ ଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଏ ନେଇ ସେ ପଦକ୍ଷେପ ନେବେ ବୋଲି କହିଥିଲେ ମଧ୍ୟ କିଛି ଫଳ ମିଳିନି । ଜଙ୍ଗଲରେ ଖୋଲାଖୋଲି ଖଣି ଚୋରି ହେଉଥିବାରୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି ।