ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ
ନୂଆପଡା : ଆସନ୍ତା ବୈଶାଖ ପୂର୍ଣ୍ଣିମା ଦିନ ପବିତ୍ର ତୀର୍ଥ ପୀଠ ପାତାଳ ଗଙ୍ଗା ଠାରେ ଅନୁଷ୍ଠିତ ହେବାକୁ ଥିବା ମେଳା ପାଇଁ ଆଜି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ମନ୍ଦିର ପରିଚାଳନା କମିଟି ସଦସ୍ୟ,ବିଭିନ୍ନ ରାଜନୈତିକ ଦଳର ପଦାଧିକାରୀ, ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ସହ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ମନ୍ଦିର,ରାଧାକୃଷ୍ଣ ମନ୍ଦିର,ଗାୟତ୍ରୀ ମନ୍ଦିର, ଦୂର୍ଗା ମନ୍ଦିର,ଅଲେଖ ମଠ,ଗୋଣ୍ଡ ସମାଜର ବୁଢ଼ା ଦେଓ ମନ୍ଦିର,ଶିବ ମନ୍ଦିର,ହନୁମାନ ମନ୍ଦିର ପରିଚାଳନା କମିଟି ସଦସ୍ୟ ଯୋଗଦାନ କରିଥିବାବେଳେ ଏମାନଙ୍କ ପାଖରୁ ମତାମତ ନିଆଯାଇଥିଲା । ଜିଲ୍ଲାପାଳ ମଧୁସୂଦନ ଦାସ ସମସ୍ତଙ୍କ ମତକୁ ଦୃଷ୍ଟିରେ ରଖି ଲୋକଙ୍କ ସୁବିଧା ନିମିତ୍ତ ଶୃଙ୍ଖଳା,ପରିବହନ,ସ୍ୱାସ୍ଥ୍ୟ, ବିଜୁଳୀ,ପାନୀୟ ଜଳ ଯୋଗାଣ,ଖାଦ୍ୟ ଓ ପରିମଳ,ସ୍ୱଚ୍ଛତା,ଗାଡ଼ି ଗୁଡ଼ିକର ସୁରକ୍ଷା, ଇତ୍ୟାଦି ଦିଗରେ ବିସ୍ତୃତ ଆଲୋଚନା କରି ଉପରୋକ୍ତ ବ୍ୟବସ୍ଥା ଗୁଡ଼ିକ ପ୍ରଶାସନ ପକ୍ଷରୁ ଠିକ୍ ଭାବରେ ଯୋଗାଇଦେବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ କରିଥିଲେ । ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲମ୍ବୋଦର ନିଆଲ, ଆଇନ ଜିବୀ ଯୋଗେନ୍ଦ୍ର ନାଥ ମାଝୀ, ଅତିନ୍ଦ୍ର ଜୀତ ସିଂ ମଲ୍ଲିକ, ରାଜୁ ମାଝୀ,ରାଜୁ ହେର୍ଣା,ମଝିଆ ମାଝୀ,ନୀଳାମ୍ବର ମେହେର,ସଞ୍ଜୁ ଅଗ୍ରୱାଲ, ତୋପ ସିଂ ମାଝୀ ପ୍ରମୁଖ ଯୋଗଦାନ କରି ନିଜ ନିଜ ମତ ଉପସ୍ଥାପନ କରିବା ସହିତ ପାତାଳ ଗଙ୍ଗା ପାଇଁ ଥିବା ସମସ୍ୟା ଗୁଡ଼ିକର ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ବି ଡି ଓ କାର୍ମୀ ଓରାମ, ତହସିଲଦାର ଅନସୂୟା ବାଗଦେବୀ,ପୂର୍ତ୍ତ ବିଭାଗ ଏସ ଇ ଶଶାଙ୍କ ଶେଖର ଶୁକ୍ଳା ଓ ଏସ ଡି ଓ ଅମୋଘ ନାରାୟଣ ପଣ୍ଡା,ପୋଲିସ ଏସ ଆଇ ମଞ୍ଜୁଲତା ଖଡେଙ୍ଗା, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ରାଉତ, ଏ ପି ଓ ରବିନାରାୟଣ ରାଉତ, କନିଷ୍ଠ ଯନ୍ତ୍ରୀ ସଂଗ୍ରାମ କେଶରୀ ପରିଡ଼ା, କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ସାହୁ ଓ ଅମରେନ୍ଦ୍ର ବିଶ୍ୱାଳ ଯୋଗଦାନ କରିଥିଲେ ।