ବ୍ୟକ୍ତିତ୍ୱ ହିଁ ବଡ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ବ୍ୟକ୍ତିତ୍ୱ ହିଁ କେମିତି ବଡ କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଆପଣ ଜାଣିଥିବେ ପ୍ରବଳ ପ୍ରତାପୀ କର୍ଣ୍ଣ ସର୍ବଶ୍ରେଷ୍ଠ ଯୋଦ୍ଧା ଭାବରେ ସ୍ୱୀକୃତି ପାଇବା ପାଇଁ ଦାବି କରିଥିଲେ । କିନ୍ତୁ ଏହି ସ୍ୱୀକୃତି ଅର୍ଜୁନଙ୍କୁ ମିଳିଥିଲା । ଏହା ସତ୍ତ୍ୱେ କର୍ଣ୍ଣ ଭାଙ୍ଗି ପଡିନଥିଲେ, ତିଳେ ମାତ୍ର ବିଚଳିତ ହୋଇ ଯାଇନଥିଲେ । ଯୁଦ୍ଧ ପୂର୍ବରୁ ସର୍ବଶ୍ରେଷ୍ଠ କୂଟନୀତିଜ୍ଞ ଶ୍ରୀକୃଷ୍ଣ କର୍ଣ୍ଣଙ୍କୁ ପାଣ୍ଡବମାନଙ୍କ ପକ୍ଷକୁ ଆଣିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ । କିନ୍ତୁ କର୍ଣ୍ଣଙ୍କ ଅଟଳ ବିଶ୍ୱାସ ଆଗରେ ଶ୍ରୀକୃଷ୍ଣ ମଧ୍ୟ ହାର୍ ମାନିଲେ । ଜୀବନର ଘୋର ଦୁର୍ଦ୍ଦିନରେ କର୍ଣ୍ଣଙ୍କୁ ସମସ୍ତ ପ୍ରକାର ସହାୟତା ଏବଂ ସମ୍ମାନ ଦେଇଥିବା ଦୁର୍ଯେ୍ୟାଧନଙ୍କ ପରାଜୟକୁ ଆକଳନ କରି ନେଇଥିଲେ ମଧ୍ୟ, କର୍ଣ୍ଣ ଦୁର୍ଯେ୍ୟାଧନଙ୍କୁ ପରିତ୍ୟାଗ କରିବା ପାଇଁ ସ୍ପଷ୍ଟ ଭାବେ ମନା କରି ଦେଇଥିଲେ । କାରଣ ଏହା ଥିଲା କର୍ଣ୍ଣଙ୍କର ବ୍ୟକ୍ତିଗତ ବିଶ୍ୱାସ । ବିଶ୍ୱାସକୁ ନେଇ ସାହସର ସୃଷ୍ଟି ।
ମହାଭାରତ ଯୁଦ୍ଧରେ କର୍ଣ୍ଣ ପରାଜୟ ଏବଂ ମୃତୁ୍ୟବରଣ କଲେ ମଧ୍ୟ ତାଙ୍କ ନାମ ମହାଭାରତରେ ଚିରଞ୍ଜିବୀ ହୋଇରହିଛି । ପାଣ୍ଡବମାନଙ୍କ ପକ୍ଷକୁ ସେ ଯଦି ଚାଲି ଆସିଥାନ୍ତେ, ତେବେ ତାଙ୍କ ନାମ କଳଙ୍କିତ ହେଇ ଯାଇଥାନ୍ତା ।
ଏଇଠି ଏହା ସୂଚାଇ ଦେଉଛି ଯେ ବ୍ୟକ୍ତିଗତ ସଙ୍କଳ୍ପ, ବ୍ୟକ୍ତିଗତ ବିଶ୍ୱାସ ଏବଂ ମାନସିକ ଦୃଢତା ବା ଅଦମ୍ୟ ସାହସ ଆଗରେ ପୃଥିବୀର କୌଣସି ବି ଶକ୍ତି ତିଷ୍ଠିପାରେ ନାହିଁ । ବ୍ୟକ୍ତିର ବ୍ୟକ୍ତିତ୍ୱ ହିଁ ସର୍ବଶ୍ରେଷ୍ଠ ପରିଚୟ ।
ଦୋଦୁଲ୍ୟମାନସମ୍ପର୍ଣ୍ଣ ବ୍ୟକ୍ତି ମାନେ ଜୀବନରେ କିଛି କରିପାରନ୍ତି ନାହିଁ କିମ୍ବା ସମାଜ ସେମାନଙ୍କୁ ମନେ ରଖେ ନାହିଁ । ସମୟର ଏକ ଚକ୍ରରେ ଏବଂ ନିର୍ଦ୍ଦିଷ୍ଟ ବେଳର ବ୍ୟବଧାନରେ ପୋଖରୀରେ ପାଣି ଫୋଟକା ଭଳି ଜୀବନର ଅଲିଖିତ ଇତିହାସ ଭିତରେ ହଜିଯାଆନ୍ତି ।
ତେଣୁ ବ୍ୟକ୍ତିତ୍ୱ ହିଁ ବଡ ଏବଂ ବ୍ୟକ୍ତିତ୍ୱ ପ୍ରତି ବିଶ୍ୱାସ ଓ ସଙ୍କଳ୍ପ ତା' ଠାରୁ ବଡକଥା ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ନମସ୍କାର ।