ଭଉଣୀକୁ ହତ୍ୟା, ଦୁଇଭାଇ ଗିରଫ
ଆସିକା: ଆସିକା ଥାନା ରାଇପଲ୍ଲୀ ଗାଁରେ ନିଜ ଭଉଣୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୁଇଭାଇ ଅନନ୍ତ ପାତ୍ର ଓ ବାବାଜୀ ପାତ୍ରଙ୍କୁ ପୁଲିସ୍ ଗିରଫ କରିଛି । ମୃତ ଭଉଣୀ ଲକ୍ଷ୍ମୀ ମହାନ୍ତିଙ୍କୁ ଗତ ୧୬ ତାରିଖ ଭୋର୍ରେ ତାଙ୍କ ଭାଇ ବାବାଜୀ ପାତ୍ର ନିର୍ମମ ଭାବେ ହତ୍ୟା କରିଥିଲା । ଲକ୍ଷ୍ମୀଙ୍କ ବେକ ସମେତ ଶରୀରର ବିଭିନ୍ନ ସ୍ଥାନରେ ଛୁରି ଭୁସିବା ପରେ ଶିଳପୁଆରେ ମୁଣ୍ଡକୁ ପିଟି ହତ୍ୟା କରିଥିଲା । ଏହାକୁ ଭିତ୍ତି କରି ଆସିକା ଥାନାରେ କେସ୍ ନମ୍ବର ୪୨/୨୫ ରୁଜୁ ହୋଇଥିବା ବେଳେ ପୁଲିସ୍ ଏହାର ତଦନ୍ତ ଆରମ୍ଭ କରିଥିଲା । ମାମଲାରେ ଅନନ୍ତର ସମ୍ପୃକ୍ତି ଥିବା ନେଇ ପ୍ରଥମେ ପୁଲିସ୍ ଅନନ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ଭାଇ ବାବାଜୀ ଫେରାର୍ ଥିଲା । ଆଜି ଅଭିଯୁକ୍ତ ବାବାଜୀକୁ ପୁଲିସ ସୁରତରୁ ଗିରଫ କରିବାରେ ସଫଳ ହୋଇଛି । ଏହି ଅମାନୁଷିକ କାଣ୍ଡ ଘଟାଇବା ପର ବାବାଜୀ ପୁରୀ ଯାଇ ଟ୍ରେନ୍ ଯୋଗେ ସୁରତ ପଳାଇବା ସହ ସେଠାରେ କପୋବ୍ରା ଥାନା ଅଞ୍ଚଳରେ ଆତ୍ମଗୋପନ କରିଥିଲା । ଓଡ଼ିଶା ପୁଲିସ୍ ସହାୟତାରେ ସେଠାକାର ପୁଲିସ ତାକୁ କାବୁ କରି ଆସିକା ପୁଲିସକୁ ହସ୍ତାନ୍ତର କରିଛି ।
ସୂଚନାଯୋଗ୍ୟ, ମୃତକ ଲକ୍ଷ୍ମୀ ତାଙ୍କ ପୁଅ ସହିତ ଗତ କିଛିବର୍ଷ ହେଲା ବାପା ଶତ୍ରୁଘ୍ନ ପାତ୍ରଙ୍କ ଘରେ ରହୁଥିଲେ । ଏହାମଧ୍ୟରେ ଗତବର୍ଷ ଲକ୍ଷ୍ମୀଙ୍କ ପୁତୁରା ବିଦ୍ୟାଳୟରେ ଆତ୍ମହତ୍ୟା କରିଥିଲେ । ତେବେ ତାଙ୍କୁ ଲକ୍ଷ୍ମୀ ହିଁ ହତ୍ୟା କରିଛନ୍ତି ବୋଲି ବାବାଜୀ ସବୁବେଳେ ସନେ୍ଦହ କରି ଆସୁଥିଲେ । ଏଣୁ ପୁଅ ମୃତୁ୍ୟର ପ୍ରତିଶୋଧ ନେବାକୁ ଯାଇ ଗତ ୧୬ତାରିଖ ଭୋର୍ ସାଢ଼େ ୪ଟାରେ ଘରକୁ ଯାଇ ଲକ୍ଷ୍ମୀଙ୍କୁ ହତ୍ୟା କରିଥିଲା ଏବଂ ପୁଣି ଫେରାର ହୋଇଯାଇଥିଲା ।