ନୂଆପଡ଼ାରେ ନବୀନଙ୍କୁ କଡ଼ା ଜବାବ ଦେବେ ମୋହନ

ନୂଆପଡ଼ାରେ ନବୀନଙ୍କୁ କଡ଼ା ଜବାବ ଦେବେ ମୋହନ

ଭୁବନେଶ୍ୱର : ନୂଆପଡ଼ା ଉପନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଆରମ୍ଭ ହୋଇଯାଇଛି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି କୋମନାରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଚଳିତ ସପ୍ତାହରେ ଅର୍ଥାତ୍‌ ୭ରେ ପୁଣି ନବୀନଙ୍କ ନୂଆପଡ଼ାରେ ଶକ୍ତି ପ୍ରଦର୍ଶନର କାର୍ଯ୍ୟକ୍ରମ ରହିଛି । ଅପରପକ୍ଷରେ ଶେଷ ଦୁଇଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହାଇଭୋଲଟେଜ୍‌ ପ୍ରଚାର ପାଇଁ ସଜବାଜ ହେଉଛନ୍ତି । ନବୀନଙ୍କ କଥା ଆଉ ଜନସମାବେଶର କଡ଼ା ଜବାବ ଦେବାକୁ ବିଜେପି ଲକ୍ଷ୍ୟ ରଖିଛି ।

      ଆଜି ନୂଆପଡ଼ା ନିର୍ବାଚନମଣ୍ଡଳୀର କୋମନାରେ ନବୀନ ବଡ଼ ସମାବେଶ କରିଥିଲେ । ବଡ଼ ଏଇଥିପାଇଁଯେ, ଏଯାବତ୍‌ ନୂଆପଡ଼ାରେ ଯେତେ ସବୁ ପ୍ରଚାର ସଭା ହୋଇଛି, ତାହା ସବୁଠୁ ବଡ଼ ଥିଲା । କୋମନାରେ ନବୀନଙ୍କ ପ୍ରଚାର ପରେ ବ୍ୟାକଫୁଟରେ ଥିବା ବିଜେଡ଼ି ଏବେ ଟିକେ ଆଗକୁ ବଢିଛି । ପୁଣି ୭ରେ ନବୀନ ନୂଆପଡ଼ାରେ ରୋଡ଼ଶୋ’ କରିବେ । ନୂଆପଡ଼ା ବ୍ଳକ ଓ ଏନଏସିରେ ତାଙ୍କର ରୋଡ଼ଶୋ’ ପାଇଁ ବିଜେଡ଼ି ପ୍ରସ୍ତୁତି ଆରମ୍ଭ କରିଦେଇଛି । ନବୀନଙ୍କ ପ୍ରଚାର ସରିବା ପରେ ନୂଆପଡ଼ା ପ୍ରଚାରରେ ଶେଷ ସ୍ପର୍ଶ ଦେବାକୁ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆପଡ଼ା, କୋମନାରେ ସଭା ସହ ରୋଡ଼ଶୋ’ର ବି କାର୍ଯ୍ୟକ୍ରମ ରହିଛି । ନବୀନଙ୍କ ରୋଡ଼ଶୋ’ ଓ ସମାବେଶ ଠାରୁ ବଡ଼ ସମାବେଶ କରିବା ପାଇଁ ବିଜେପି ବି ସଂକଳ୍ପ ନେଇଯାଇଛି । ଏଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଇତିମଧ୍ୟରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌, ବୈଜୟନ୍ତ ପଣ୍ଡା, ପ୍ରାୟ ସମସ୍ତ ମନ୍ତ୍ରୀ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଠାରୁ ନେଇ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ପର୍ଯ୍ୟନ୍ତ ସମସ୍ତେ ତୁହାକୁ ତୁହା ପ୍ରଚାର ଜାରି ରଖିଛନ୍ତି । 

     ସାଧାରଣତଃ ଉପନିର୍ବାଚନ ବେଳେ ଶେଷ ପର୍ଯ୍ୟାୟ ପ୍ରଚାର ହାଇଭୋଲଟେଜ୍‌ ହୋଇଥାଏ । ଏହି ପ୍ରଚାର ମାହୋଲ ଜମାଇବାରେ ସକ୍ଷମ ହୋଇଥାଏ । ଯାହାର ପ୍ରଚାର ଯେତେ ଜୋରଦାର, ଭାସମାନ ଭୋଟ୍‌ ସେଇଆଡ଼କୁ ଢଳିଥାଏ ବୋଲି ନିର୍ବାଚନୀ ଅଙ୍କ କହିଥାଏ । ଆଗାମୀ ନୂଆପଡ଼ା ଉପନିର୍ବାଚନରେ କୋଡ଼ିଏରୁ ପଚିଶ ହଜାର ଭାସମାନ ଭୋଟ ନିର୍ବାଚନରେ ହାରଜିତ ସ୍ଥିର କରିବ । ଆଜିର ପ୍ରଚାର ବେଳେ ନବୀନ, ରାଜ୍ୟ ସରକାର ଓ ବିଜେପିକୁ କଡ଼ା ଭାଷାରେ କହିଛନ୍ତି । ବିଶେଷକରି ବିଜେପିର ପ୍ରାର୍ଥୀ ଚୋରିକୁ ସେ ସମାଲୋଚନା କରିବା ସହ ଏହାର ଜବାବ ଦେବାକୁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କର ପ୍ରଚାର କାଳରେ ନବୀନଙ୍କୁ କଡ଼ା ଜବାବ ଦେବେ । ଖାଲି ସେତିକିନୁହେଁ ପ୍ରଚାର ସରକାର, ରଙ୍ଗମରା ସରକାର ବୋଲି ନବୀନଙ୍କ ତାତ୍ସଲ୍ୟର ବି କଡ଼ା ଜବାବ ଦେବେ ମୋହନ ।