ଭାଙ୍ଗିରୁଜି ବେହାଲ ହୋଇପଡ଼ିଛି ଡ଼ୁବୁରୀ ଗୋଲେଇ ଛକ   , ଯାତ୍ରୀ ହନ୍ତସନ୍ତ, କାହା ସ୍ୱାର୍ଥରେ କଳିଙ୍ଗନଗର ପ୍ରଦୂଷଣ ବିରୋଧୀ ଜନମଞ୍ଚ 

ଦାନଗଦୀ: ଡ଼ୁବୁରୀକୁ କଳିଙ୍ଗନଗର ଶିଳ୍ପନଗରୀର ବ୍ୟସ୍ତ ବହୁଳ ଛକ ଭାବେ ବୁଝାଯାଏ । ଚାରିଛକ ହେଉଛି ଡ଼ୁବୁରୀ । ଗୋଟେ ପଟେ ଦୈତାରୀ, କେନ୍ଦୁଝରକୁ ରାସ୍ତା ଲମ୍ବିଥିବା ବେଳେ ଅନ୍ୟପଟେ ପାରାଦୀପକୁ ପଡ଼ିଛି ରାସ୍ତା । ସେହିପରି ଗୋଟେ ପଟେ ଅନୁଗୁଳକୁ ରାସ୍ତା ଲମ୍ବିଥିବା ବେଳେ ଆଉ ଗୋଟେ ପଟେ ବ୍ୟାସନଗର ସହରକୁ । ଟାଟା, ନୀଳାଚଳ ଭଳି ବୃହତ କାରଖାନା ଡ଼ୁବୁରୀ ଛକର ଅତି ନିକଟ । ଶିଳ୍ପାଞ୍ଚଳରୁ ଖଣି ଅଞ୍ଚଳ ଏବଂ ବିଭିନ୍ନ ରାଜପଥକୁ ଲମ୍ବିଥିବା ଏହି ରାସ୍ତାରେ ଦୈନିକ ହଜାର ହଜାର ସଂଖ୍ୟାର ଭାରୀଯାନ ଯିବା ଆସିବା କରିଥାଏ । ଏହାସହ ଶହଶହ ସଂଖ୍ୟାର ଯାତ୍ରୀବାହୀ ବସ ଏବଂ ଅନ୍ୟାନ୍ୟ ଗାଡ଼ି । କିନ୍ତୁ ଛକଟି ଭାଙ୍ଗିରୁଜି ବେହାଲ ହୋଇପଡ଼ିଛି । ହେଲେ କାହାର ନିଘା ନାହିଁ । ଛକଟିରେ ମୁଖ୍ୟତଃ ଟାଟା ଷ୍ଟିଲ ପାଇଁ ଭିଡ଼ ରହେ । ଦୁର୍ଭାଗ୍ୟର କଥା ଗୋଲେଇ ଛକଟିର ରାସ୍ତା ଭାଙ୍ଗିରୁଜି ଏପରି ଅବସ୍ଥା ହୋଇଛି ସେହି ଛକରେ ଯାତ୍ରୀ କି ବାଇକ, ସାଇକେଲ ଆରୋହୀ ଯିବା ଆସିବା କରିବା କଷ୍ଟକର ହେଇଯାଉଛି । ଶିଳ୍ପାଞ୍ଚଳକୁ ଆସୁଥିବା ଭାରି ଯାନ ଗୁଡିକ ଗୋଲେଇ ଛକ ଦେଇ ଅତିକ୍ରମ କଲା ବେଳେ ଧୂଳି ଉଡି ଛକରେ କୁହୁଡିର ଭ୍ରମ ସୃଷ୍ଟି କରୁଛି । ଯାହା ଫଳରେ ପଛରେ ଥିବା ବାଇକ, ସାଇକେଲ ଆରୋହୀ ମାନଙ୍କୁ ରାସ୍ତା ଦେଖା ଯାଉନାହିଁ । ଦୈନିକ ଛୋଟଛୋଟ ଦୁର୍ଘଟଣା ମାନ ଘଟୁଛି । ଦୋକାନ ମାନଙ୍କରେ ଲୋକମାନେ ଠିଆ ହୋଇ ପାରୁନାହାନ୍ତି । ଡ଼ୁବୁରୀରେ କଳିଙ୍ଗନଗର ଥାନା, ବିଭିନ୍ନ ଅଫିସ, ହାଟ, ବ୍ୟାଙ୍କ ଆଦି ଥିବାରୁ ଲୋକମାନଙ୍କ ଦୈନିକ ଭିଡ଼ ହେଉଛି । ଏହି ରାସ୍ତାର ଅବସ୍ଥା ଏପରି ହେଲାଣି ସନ୍ଧ୍ୟା ସମୟରେ ଧୂଳିରେ ଆଖିକୁ କିଛି ଦେଖା ଯାଉନାହିଁ । ଏତେ ମାତ୍ରରେ ବାୟୁ ପ୍ରଦୂଷଣ ହେଉଛି ଯେମିତି ଏହାର ପ୍ରତିକାର କରିବାକୁ କେହି ନାହାଁନ୍ତି । ସମସ୍ତଙ୍କ ପାଟି ଚୁପ । ସାଧାରଣ ଲୋକଙ୍କ ପ୍ରଶ୍ନ ଦୁଇ ବର୍ଷ ହେଲା ଗଠନ ହୋଇଥିବା କଳିଙ୍ଗନଗର ପ୍ରଦୂଷଣ ବିରୋଧୀ ଜନମଞ୍ଚ କାହା ସ୍ୱାର୍ଥରେ? କୌଣସି ନେତା, ପ୍ରଶାସନ, କାରଖାନା କର୍ତ୍ତୃପକ୍ଷ କି ପୂର୍ତବିଭାଗ ଦୃଷ୍ଟିରେ ରାସ୍ତାର ଏପରି ଅବସ୍ଥା ଦେଖା ଯାଉନାହିଁ । ବ୍ୟସ୍ତ ବହୁଳ ଏହି ଛକଟିରେ ଅନ୍ତତଃ ପକ୍ଷେ ପାଣି ସିଞ୍ଚନ କରିବା ସହ ରାସ୍ତା ମରାମତି କରିବା ଦିଗରେ କେହି ଆତୁଳ ହେଉ ନାହାନ୍ତି ।