ଯନ୍ତ୍ରୀଙ୍କୁ ଛାଡ଼ୁନି ସୁକିନ୍ଦା ମୋହ : ୧୭ବର୍ଷ ରହିବା ପରେ ପୁଣି ଡେପୁଟେସନ
ଯାଜପୁର: ସୁକିନ୍ଦା ବ୍ଲକ ଯନ୍ତ୍ରୀଙ୍କ ପାଇଁ ପାଲଟିଛି ଏକ ଦୁହିଁଆଳୀ ଗାଈ କି ? । ଏଭଳି ପ୍ରଶ୍ନ ସାଧାରଣରେ ଉଙ୍କିମାରିଛି । କାରଣଟା ହେଉଛି ଦୀର୍ଘ ୧୭ବର୍ଷ ଧରି କାର୍ଯ୍ୟ କରି ବଡ଼ଚଣା ବ୍ଲକକୁ ବଦଳି ହୋଇଥିବା ଯନ୍ତ୍ରୀ ବାଘରାଇ ମାଝୀ ଡ଼େପୁଟେସନରେ ପୁଣି ସୁକିନ୍ଦାକୁ ଆସୁଛନ୍ତି । ୨୦୦୬ ମସିହାରେ ଜଣେ ଠିକା କର୍ମଚାରୀ (ଜିପିଟିଏ.) ଭାବେ ଚାକିରି ଆରମ୍ଭ କରିଥିଲେ ଶ୍ରୀ ମାଝୀ । ଦୀର୍ଘ ଦିନର ଚାକିରି ପରେ କନିଷ୍ଠ ଯନ୍ତ୍ରୀ ଭାବେ ଚାକିରି ନିୟମିତ ହୋଇଥିଲେ । ଫଳରେ ତାଙ୍କର ଧର୍ମଶାଳା ବ୍ଲକକୁ ବଦଳି ହେଇଥିଲା । ବଦଳି ହେଲା ସିନା କିନ୍ତୁ ଡେପୁଟେସନରେ କାମ କଲେ ସୁକିନ୍ଦା ବ୍ଲକରେ । ପରେ ପରେ ସୁକିନ୍ଦାକୁ ବଦଳି ହେଇ ଆସିଲେ । ନିର୍ବାଚନ ପରେ ବଦଳି ହେଇଥିଲା ବଡ଼ଚଣା ବ୍ଲକକୁ । ସେଠି ପାଖା ପାଖି ୬ମାସ ରହିବା ପରେ ପ୍ରମୋସନ ପାଇ ଜିଲାପାଳ ତାଙ୍କର ପତ୍ର ସଂଖ୍ୟା ୩୩୫୧ ତା ୦୯/୦୭/୨୫ରେ ଗାଗାରାଇ ମାଝୀଙ୍କୁ ସୁକିନ୍ଦା ବ୍ଲକକୁ ଡେପୁଟେସନରେ ଅନ୍ୟାଦେଶ ପର୍ଯ୍ୟନ୍ତ କାମ କରିବାକୁ ନିଦେ୍ର୍ଦଶ ରହିଛି । ଏଣୁ ଯନ୍ତ୍ରୀଙ୍କୁ ଛାଡ଼ୁନି ସୁକିନ୍ଦା ମୋହ ବୋଲି ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି । ସୁକିନ୍ଦା ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ । ଏହି ବ୍ଲକର ସରଳ ଆଦିବାସୀ ମାନଙ୍କୁ ଭୁଆଁ ବୁଲେଇ ସହଜରେ ଅର୍ଥ ହଡପ କରିହେବ । ଆହୁରି ମଧ୍ୟ ଏହି ବ୍ଲକକୁ ଜିଲା ଖଣିଜ ପାଣ୍ଠି, ଆଇଏପି, ମାଡା, କାମ୍ପା ସମେତ ଅନେକ ଅନୁଦାନ ଅର୍ଥ ଆସିଥାଏ । ଏହି ଅର୍ଥ ହଡପ କରିଥିବା ଅଭିଯୋଗ ଏହି ଯନ୍ତ୍ରୀଙ୍କ ନାଆଁରେ ଅନେକ ଥର ଆସିଛି । ଯନ୍ତ୍ରୀଙ୍କ ଡେପୁଟେସନ ବାତିଲ କରାଯିବା ସହିତ ସୁକିନ୍ଦା ବ୍ଲକରେ ଦୀର୍ଘ ଦିନ ଧରି ଆଡ୍ଡା ଜମେଇ ଥିବା କର୍ମଚାରୀଙ୍କୁ ଜିଲାପାଳ ତୁରନ୍ତ ବଦଳି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି କରାଯାଇଛି ।