କୃଷି ଅର୍ଥନୀତିଜ୍ଞର ୩୨ତମ ଅନ୍ତର୍ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ


(ଏଜେନ୍ସି) ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀର ଜାତୀୟ କୃଷି ବିଜ୍ଞାନ କେନ୍ଦ୍ର ଠାରେ କୃଷି ଅର୍ଥନୀତିଜ୍ଞଙ୍କ ୩୨ତମ ଆନ୍ତର୍ଜାତିକ ସମ୍ମିଳନୀ (ଆଇସିଏଇ)କୁ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ସମ୍ମିଳନୀର ବିଷୟବସ୍ତୁ ହେଉଛି "ସ୍ଥାୟୀ କୃଷି  ଖାଦ୍ୟ ପ୍ରଣାଳୀ ଦିଗରେ ପରିବର୍ତ୍ତନ’ । ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ସମ୍ବଳ ଅବକ୍ଷୟ, ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଓ ସଂଘର୍ଷ ଭଳି ବୈଷୟିକ ଆହ୍ୱାନର ସମ୍ମୁଖୀନ ହୋଇ ସ୍ଥାୟୀ କୃଷିର ଜରୁରୀ ଆବଶ୍ୟକତାକୁ ମୁକାବିଲା କରିବା ହେଉଛି ଏହାର ଲକ୍ଷ୍ୟ  । ଏହି ସମ୍ମିଳନୀରେ ପ୍ରାୟ ୭୫ଟି ଦେଶର ପ୍ରାୟ ୧୦୦୦ ପ୍ରତିନିଧି ଅଂଶଗ୍ରହଣ କରିଥିଲେ  । ସମାବେଶକୁ ସମ୍ବୋଧିତ କରି  ମୋଦି କହିଥିଲେ, ୬୫ ବର୍ଷ ପରେ ଭାରତରେ ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀ (ଆଇସିଏଇ) ଅନୁଷ୍ଠିତ ହେଉଛି  । ସେ ଭାରତର ୧୨୦ ନିୟୁତ କୃଷକ, ୩୦ ନିୟୁତରୁ ଅଧିକ ମହିଳା କୃଷକ, ୩୦ ନିୟୁତ ମସô୍ୟଜୀବୀ ଓ ୮୦ ନିୟୁତ ପଶୁପାଳକଙ୍କ ତରଫରୁ ସମସ୍ତ ବ୍ୟକ୍ତିଙ୍କୁ ସ୍ୱାଗତ କରିଥିଲେ । ଆପଣ ସେହି ଭୂମିରେ ଅଛନ୍ତି ଯେଉଁଠାରେ ୫୦୦ ନିୟୁତରୁ ଅଧିକ ପଶୁସମ୍ପଦ ବାସ କରନ୍ତି  । କୃଷିପ୍ରଧାନ ଦେଶ ଓ ପଶୁପ୍ରେମୀ ଦେଶ ଭାରତରେ ମୁଁ ଆପଣଙ୍କୁ ସ୍ୱାଗତ କରୁଛି ବୋଲି ଶ୍ରୀ ମୋଦି କହିଥିଲେ ।
ଭାରତୀୟ କୃଷି ପରମ୍ପରାରେ ବିଜ୍ଞାନ ଓ ତର୍କକୁ ଦିଆଯାଉଥିବା ପ୍ରାଥମିକତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଖାଦ୍ୟର ଔଷଧୀୟ ଗୁଣ ପଛରେ ରହିଥିବା ସମଗ୍ର ବିଜ୍ଞାନର ଅସ୍ତିତ୍ୱ ବିଷୟରେ ଉଲ୍ଲେଖ କରିଥିଲେ  । ଭାରତରେ କୃଷି ଯୋଜନାରେ ସମସ୍ତ ଛଅଟି ଋତୁର ପ୍ରାସଙ୍ଗିକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ୧୫ଟି କୃଷି ଜଳବାୟୁ ଅଞ୍ଚଳର ସ୍ୱତନ୍ତ୍ର ଗୁଣ ବିଷୟରେ ଉଲ୍ଲେଖ କରିଥିଲେ । ପୂର୍ବରୁ ଭାରତର ଖାଦ୍ୟ ସୁରକ୍ଷା ଓ କୃଷି ପାଇଁ ଏକ ଆହ୍ୱାନମୂଳକ ସମୟ ଥିଲା  । କିନ୍ତୁ ଆଜି ଭାରତ ଏକ ଖାଦ୍ୟ ବଳକା ଦେଶ । 
ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱ ବନ୍ଧୁ ଭାବରେ ବିଶ୍ୱ କଲ୍ୟାଣ ପାଇଁ ଭାରତର ପ୍ରତିବଦ୍ଧତା ସମ୍ପର୍କରେ ଦୋହରାଇ ଥିଲେ  । ଗୋଟିଏ ପୃଥିବୀ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ ନାରା ନେଇ ଆଗେଇବାକୁ କହିଥିଲେ । ଭାରତର ଅର୍ଥନୈତିକ ନୀତିର କେନ୍ଦ୍ରରେ କୃଷି ରହିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ  ମଧ୍ୟ କରିଥିଲେ । ଭାରତର ୯୦ ପ୍ରତିଶତ କ୍ଷୁଦ୍ର କୃଷକ ଭାରତ ଖାଦ୍ୟ ନିରାପତ୍ତାର ସବୁଠାରୁ ବଡ ଶକ୍ତି ଅଟନ୍ତି । ଏସିଆର ଅନେକ ବିକାଶଶୀଳ ଦେଶରେ ସମାନ ସ୍ଥିତି ରହିଛି ଯାହା ଭାରତର ମଡେଲକୁ ଲାଗୁ କରୁଛି ବୋଲି ସେ ଦର୍ଶାଇଥିଲେ  । 
କୃଷିକୁ ଆଧୁନିକ ଜ୍ଞାନକୌଶଳ ସହ ଯୋଡିବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ସୌର ଚାଷ ଫଳରେ କୃଷକମାନେ ଶକ୍ତି ପ୍ରଦାନକାରୀ ପାଲଟିଛନ୍ତି ବୋଲି ଉଲ୍ଲେଖ କରିଥିଲେ । ଡିଜିଟାଲ କୃଷି ବଜାର ଇ - ନାମ, କିଷାନ କ୍ରେଡିଟ୍ କାର୍ଡ ଓ ପିଏମ ଫସଲ ବୀମା ଯୋଜନା ବିଷୟରେ ଆଲୋଚନା କରିଥିଲେ  । ଆମେ ପରସ୍ପର ଠାରୁ ଶିଖିବୁ ଓ ପରସ୍ପରକୁ ଶିକ୍ଷା ମଧ୍ୟ ଦେବୁ ବୋଲି ସେ ଏହି ଅବସରରେ କହିଥିଲେ  । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ  ଶିବରାଜ ସିଂହ ଚୌହାନ, ନୀତି ଆୟୋଗର ସଦସ୍ୟ ପ୍ରଫେସର ରମେଶ ଚାନ୍ଦ, ସମ୍ମିଳନୀ ସଭାପତି ପ୍ରଫେସର ମତିନ କୈମ୍ ଓ  ଆଇସିଏଆରର ଡିଜି ହିମାଂଶୁ ପାଠକ ପ୍ରମୁଖ ଉପସ୍ଥିତ ଥିଲେ  ।
ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସଂଘ ଦ୍ୱାରା ଆୟୋଜିତ ଏହି ତ୍ରିବାର୍ଷିକ ସମ୍ମିଳନୀ ୬୫ ବର୍ଷ ପରେ ଭାରତରେ ଆୟୋଜିତ ହେଉଥିବା ବେଳେ ଅଗଷ୍ଟ ୨ ତାରିଖରୁ ୭ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେଉଛି । ଏହି ସମ୍ମିଳନୀ ବିଶ୍ୱ କୃଷି ଆହ୍ୱାନଗୁଡିକର ମୁକାବିଲା ପାଇଁ ଭାରତର ସକ୍ରିୟ ଆଭିମୁଖ୍ୟ ଉପରେ ଆଲୋକପାତ କରିବ । ଏହି ସମ୍ମିଳନୀରେ ପ୍ରାୟ ୭୫ଟି ଦେଶର ପ୍ରାୟ ୧୦୦୦ ପ୍ରତିନିଧି ଅଂଶଗ୍ରହଣ କରିଥିଲେ  ।