ହିମାଚଳ ଓ ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ: ୩୩ ମୃତ
ାା ଏଜେନ୍ସି ।ା ଚଣ୍ଡୀଗଡ: ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବର୍ଷାର ତାଣ୍ଡବଲୀଳା ଅବ୍ୟାହତ ରହିଛି । ବିଗତ ଚବିଶ ଘଣ୍ଟାରେ ଦୁଇ ରାଜ୍ୟରେ ବର୍ଷା ବିତ୍ପାତରେ ୩୩ ଜଣ ପ୍ରାଣ ହରାଇଥିବାବେଳେ ୫୦ରୁ ଊର୍ଦ୍ଧ୍ୱ ନିଖୋଜ ଥିବା ଜଣାପଡିଛି । ଶୁକ୍ରବାର ହିମାଚଳ ପ୍ରଦେଶର ସିମଳା, ମଣ୍ଡି ଓ କୁଲୁ ଅଞ୍ଚଳରୁ ଆଉ ୭ଟି ମୃତଦେହ ଉଦ୍ଧାର କରାଯାଇଛି । ଫଳରେ ମୃତକଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ପ୍ରାୟ ଏକ ସପ୍ତାହ ଧରି ରାଜ୍ୟରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଲାଗି ରହିଥିବାବେଳେ ନିଖୋଜ ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେମାନଙ୍କୁ ଠାବ କରିବାକୁୁ ଏନଡିଆରଏଫ୍ ଓ ଏସଡିଆରଏଫ୍ ଯବାନଙ୍କୁ ନିୟୋଜିତ କରାଯାଇଥିବାବେଳେ ଡ୍ରୋନର ସହାୟତା ନିଆଯାଉଛି । ବିଭିନ୍ନ ସ୍ଥାନରୁ ଜଳବନ୍ଦୀ ଥିବା ୩୫ ଜଣଙ୍କୁ ଉଦ୍ଧାର କରାଯାଇଛି । ଏକାଧିକ ସ୍ଥାନରେ ଭୂସ୍ଖଳନ ଘଟି ରାଜ୍ୟ ଓ ଜାତୀୟ ରାଜପଥଗୁଡିକ ଅବରୋଧ ହୋଇପଡିଛି । ଭୂସ୍ଖଳନରେ ଚଣ୍ଡୀଗଡ଼-ମନାଲି ଜାତୀୟ ରାଜପଥ କ୍ଷତିଗ୍ରସ୍ତ ହୋଇଛି । କୁଲୁସ୍ଥିତ ମଲାନା ଡ୍ୟାମରେ ଫାଟ ସୃଷ୍ଟି ହୋଇଥିବା ସତ୍ତ୍ୱେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା କୁହାଯାଇଛି ।
ସିମଳା ଜିଲା ଅନ୍ତର୍ଗତ ଝାକେଡିଠାରେ ସେନା ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ବର୍ଷା ଓ ଭୂସ୍ଖଳନରେ ୨୦ଟି ବାସଗୃହ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ପ୍ରବଳ ବର୍ଷା ପ୍ରଭାବରେ ନାଲା ଓ ସତ୍ଲେଜ ନଦୀରେ ପ୍ରଖର ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି ବୋଲି ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ସୂଚନା ଦେଇଛନ୍ତି । ବର୍ତ୍ତମାନ ସ୍ଥିତିରେ ନଦୀ କିମ୍ବା ଜଳପ୍ରପାତ ନିକଟକୁ ଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ଅପରପକ୍ଷରେ ବିଗତ ଚବିଶ ଘଣ୍ଟାରେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ୧୩ ଜଣ ପ୍ରାଣ ହରାଇଛନ୍ତି । ଏଥିମଧ୍ୟରୁ ତେହରିରେ ୩, ଡେରାଡୁନରେ ୨ ଜଣ ପ୍ରାଣ ହରାଇଥିବାବେଳେ ପାଣିରେ ବୁଡି ୨ ଜଣ କାଉଡିଆଙ୍କର ମୃତୁ୍ୟ ଘଟିଛି । ବର୍ଷା ଓ ଭୂସ୍ଖଳନ ଯୋଗୁଁ ଶତାଧିକ ଲୋକ ବନ୍ୟାଘେରରେ ଫସିଯାଇଛନ୍ତି । ନଦୀଗୁଡିକର ଜଳସ୍ତର ବୃଦ୍ଧି ପାଉଥିବାରୁ ଏମାନଙ୍କୁ ଆକାଶମାର୍ଗରେ ଉଦ୍ଧାର କରିବାକୁ ଯୋଜନା କରାଯାଉଛି । ଏଥିପାଇଁ ବାୟୁସେନା ପକ୍ଷରୁ ଗୋଟିଏ ଚିନୁକ୍ ଓ ଏମଆଇ-୧୭ ହେଲିକପ୍ଟରକୁ କେଦାର ଉପତ୍ୟକାରେ ସଜାଗ ରଖାଯାଇଛି । ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି କେଦାରନାଥ ଯାତ୍ରାକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । କେଦାରନାଥ ଯାତ୍ରା ପଥରେ ପ୍ରାୟ ୨ ହଜାର ଶ୍ରଦ୍ଧାଳୁ ଅଟକିଥିବା ଜଣାପଡିଛି । ପାଣିପାଗରେ ଉନ୍ନତି ନ ଘଟିବା ପର୍ଯ୍ୟନ୍ତ କେଦାରନାଥ ଯାତ୍ରାପଥରେ ଅଗ୍ରସର ନ ହେବାକୁ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ହିମାଚଳ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ।