ଭାରତ-ଜୋର୍ଡାନ ୫ଶହ କୋଟି ଡଲାର ବ୍ୟବସାୟିକ ଚୁକ୍ତି : ବ୍ୟବସାୟିକ ଫୋରମକୁ ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟ ଅମ୍ମାନରେ ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରିଥିଲେ । ଏହି ବୈଠକରେ ଜୋର୍ଡାନର କ୍ରାଉନ ପ୍ରିନ୍ସ ହୁସେନ ଓ ସେଠାକାର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ତଥା ନିବେଶ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ରାଜା ଅବଦୁଲ୍ଲା ଦ୍ୱିତୀୟ ଓ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ସୁଦୃଢ଼ କରିବାର ଗୁରୁତ୍ୱକୁ ସ୍ୱୀକାର କରିଥିଲେ । ଉଭୟ ନେତା ପ୍ରଗତି ଓ ସମୃଦ୍ଧି ହାସଲ କରିବା ପାଇଁ ଏହି କ୍ଷେତ୍ରରେ ସମ୍ଭାବନା ଏବଂ ସୁଯୋଗକୁ ଉପଯୋଗ କରିବାକୁ ଉଭୟ ପକ୍ଷର ଶିଳ୍ପପତିମାନଙ୍କୁ ଆହ୍ୱାନ କରିଛନ୍ତି । ରାଜା ଅବଦୁଲ୍ଲା ଦ୍ୱିତୀୟ କହିଛନ୍ତି ଯେ, ଜୋର୍ଡାନର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏବଂ ଭାରତର ଆର୍ଥିକ ଶକ୍ତିକୁ ମିଶ୍ରଣ କରି ଦକ୍ଷିଣ ଏସିଆ ଓ ପଶ୍ଚିମ ଏସିଆ ତଥା ଅନ୍ୟ ଅନ୍ତର୍ଜାତୀୟ ସ୍ତରରେ ଏକ ଆର୍ଥିକ କରିଡର ସୃଷ୍ଟି କରାଯାଇପାରିବ ।


   ଏହି ଫୋରମକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ଓ ଜୋର୍ଡାନ ମଧ୍ୟରେ ଏକ ଗତିଶୀଳ ସହଭାଗିତା ରହିଛି, ଯାହାକି ଏକ ଦୃଢ ସଭ୍ୟତାଗତ ବନ୍ଧନର  ଭିତ୍ତି ଉପରେ ଆଧାରିତ । ସେ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ନେତୃତ୍ୱକୁ ପ୍ରଶଂସା କରି କହିଥିଲେ, ତାଙ୍କ ନେତୃତ୍ୱରେ ଜୋର୍ଡାନ ବିଭିନ୍ନ ବଜାର  ତଥା ଅଞ୍ଚଳଗୁଡ଼ିକୁ ସଂଯୋଗ କରୁଥିବା ଏକ ସେତୁ ପାଲଟିଛି, ଯାହା ବାଣିଜ୍ୟ ଓ ପ୍ରଗତିକୁ ପ୍ରୋତ୍ସାହିତ କରୁଛି । ପ୍ରଧାନମନ୍ତ୍ରୀ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଜୋର୍ଡାନ ସହିତ ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ଦୁଇଗୁଣ କରି ୫ ବିଲିୟନ ଆମେରିକୀୟ ଡଲାର(୫ଶହ କୋଟି ଡଲାର) କରିବାକୁ ପ୍ରସ୍ତାବ ଦେଇଥିଲେ । ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଓ ଏହା ୩ୟ ବୃହତ୍ତମ ଅର୍ଥନୀତି ହେବା ଆଡକୁ ଅଗ୍ରସର ହେଉଛି ବୋଲି ଉଲ୍ଲେଖ କରି ମୋଦି କହିଥିଲେ ଯେ, ଜୋର୍ଡାନ ଓ ସାରା ବିଶ୍ୱରେ ଏହାର ଅଂଶୀଦାରମାନଙ୍କ ପାଇଁ ଭାରତ ବିପୁଳ ବ୍ୟବସାୟିକ ସୁଯୋଗ ପ୍ରଦାନ କରେ । ସେ ଜୋର୍ଡାନ କମ୍ପାନୀଗୁଡ଼ିକୁ ଭାରତ ସହିତ ଅଂଶୀଦାର ହେବାକୁ ଓ ଏହାର ୧୪୦ କୋଟି ବିଶାଳ ଗ୍ରାହକ ଥିବା ବଜାର, ଦୃଢ଼ ଉତ୍ପାଦନ ଭିତ୍ତି ଏବଂ ସ୍ଥାୟୀ, ସ୍ୱଚ୍ଛ ତଥା ପୂର୍ବାନୁମାନଯୋଗ୍ୟ ନୀତି ବାତାବରଣର ସୁଯୋଗ ନେବାକୁ ଆମନ୍ତ୍ରଣ କରିଥିଲେ । 


     ଏହି ଫୋରମରେ ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଔଷଧ ଏବଂ ଔଷଧ ଉତ୍ପାଦନ, ସାର, କୃଷି, ନବୀକରଣୀୟ ଶକ୍ତି, ବୟନଶିଳ୍ପ, ଲଜିଷ୍ଟିକ୍ସ, ଅଟୋମୋବାଇଲ୍‌, ଶକ୍ତି, ପ୍ରତିରକ୍ଷା ଏବଂ ଉତ୍ପାଦନ କ୍ଷେତ୍ରର ବ୍ୟବସାୟିକ ପ୍ରମୁଖମାନେ ଯୋଗ ଦେଇଥିଲେ । ଏହି ପ୍ରତିନିଧି ଦଳରେ ଏଫଆଇସିସି ଏବଂ ଜୋର୍ଡାନ ଚାମ୍ବର ଅଫ୍‌ କମର୍ସର ପ୍ରତିନିଧିମାନେ ମଧ୍ୟ ସାମିଲ ଥିଲେ । ଏହି ଅବସରରେ ବାଣିଜ୍ୟ ଏବଂ ଆର୍ଥିକ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏଫଆଇସିସି ଏବଂ ଜୋର୍ଡାନ ଚାମ୍ବର ଅଫ୍‌ କମର୍ସ ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା ।