ଭାରତ ସୀମାରେ ଚାଇନା କରୁଛି ବାୟୁ ପ୍ରତିରକ୍ଷା କେନ୍ଦ୍ର

ନୂଆଦିଲ୍ଲୀ : ତିବ୍ଦତର ପାଙ୍ଗଙ୍ଗ ହ୍ରଦ କୂଳରେ ଚାଇନା ଏକ ବାୟୁ ପ୍ରତିରକ୍ଷା କେନ୍ଦ୍ର ସ୍ଥାପନ କରୁଛି । ଯେଉଁ କେନ୍ଦ୍ରରେ କମାଣ୍ଡ ଓ କଣ୍ଟ୍ରୋଲ ବିଲଡ଼ିଂ, ବାରାକ୍‌, ଯୁଦ୍ଧାସ୍ତ୍ର ଗୋଦାମ, ରାଡ଼ାର ଆଦିର ବ୍ୟବସ୍ଥା କରାଯାଉଛି । ସାଟେଲାଇଟ୍‌ ଫଟୋଚିତ୍ରରୁ ଚାଇନାର ଏହି ଚାଲର ପର୍ଦ୍ଦାଫାଶ ହୋଇଛି । ବିଶେଷଜ୍ଞଙ୍କ ମତରେ ଚାଇନା ସେଠାରେ ମିସାଇଲ୍‌ ଲଞ୍ଚିଂ ବ୍ୟବସ୍ଥା ବି କରୁଛି । ଯେଉଁଠାରୁ ସେମାନେ ମିଶାଇଲ୍‌ ମାଡ଼ କରିପାରିବେ । ଚାଇନାର ସ୍ଥଳରୁ ଆକାଶକୁ ଆକ୍ରମଣ କରିପାରିବା ଭଳି ଲଙ୍ଗ ରେଞ୍ଜ ମିସାଇଲ୍‌ ଏଚକ୍ୟୁ-୯ ପାଇଁ ବ୍ୟବସ୍ଥା କରାଯାଇଛି । ଆମେରିକୀୟ ଗବେଷକମାନେ ଏହା ଠାବ କରିଛନ୍ତି । ଲାଇନ ଅଫ କଣ୍ଟ୍ରୋଲର ୬୫ କିମି ଦୂରରେ ଏହି କେନ୍ଦ୍ର ନିର୍ମାଣ କରାଯାଉଥିବାବେଳେ ଏହାର ବିପରୀତ ଦିଗରେ ଭାରତର ନ୍ୟୋମା ଏୟାରଫିଲ୍ଡ ରହିଛି । ଅନ୍ୟମାନେ ଏ ବିଷୟରେ ଯେଭଳି ଜାଣିନପାରିବେ ସେଥିପାଇଁ ଚାଇନା ଏହାର ଛାତ ବନ୍ଦ କରିଦେଇଛି । ସେହି ଛାତଗୁଡ଼ିକ ଏମିତି ତିଆରି କରାଯାଇଛି, ଯାହାକି ମିଶାଇଲ୍‌ ମାଡ଼ରେ ବି କ୍ଷତିଗ୍ରସ୍ତ ହେବନାହିଁ ।