ଶକ୍ତି ବିଭାଗ କାର୍ଯ୍ୟାବଳୀ ସମୀକ୍ଷା କଲେ ରାଜ୍ୟପାଳ
ଭୁବନେଶ୍ୱର : ରାଜ୍ୟରେ ନବୀକରଣୀୟ ଶକ୍ତି ଭିତ୍ତିଭୂମି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ କ୍ଷୁଦ୍ର ସୌର ଶକ୍ତି ଉତ୍ପାଦନ ୟୁନିଟ୍ ସ୍ଥାପନ ଉପରେ ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତି । ଆଜି ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ଶକ୍ତି ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କରିବା ଅବସରରେ ରାଜ୍ୟପାଳ ଏପରି ଗୁରତ୍ୱାରୋପ କରି ଏଦିଗରେ ଶକ୍ତି ବିଭାଗ ବିହିତ ପଦକ୍ଷେପ ନେବାକୁ କହିଛନ୍ତି । ନବୀକରଣୀୟ ଶକ୍ତିର ବିକାଶ ଦିଗରେ ହୋଇଥିବା ଉଦ୍ୟମକୁ ରାଜ୍ୟପାଳ ପ୍ରଶଂସା କରି ଅଧିକାରୀ ଓ କର୍ମଚାରୀମାନେ ଆଗାମୀ ଦିନରେ ଅଧିକ ନିଷ୍ଠାର ସହ କାର୍ଯ୍ୟକରିବାକୁ ପ୍ରେରଣା ଦେଇଥିଲେ । ଶକ୍ତି ବିଭାଗ ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରି ରାଜ୍ୟପାଳ କହିଥିଲେ ଯେ, ଏପରି ସୌର ଶକ୍ତି ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ଉପଯୁକ୍ତ ଜମି ଚିହ୍ନଟ କରିବା ବଡ ସମସ୍ୟା ହେବ ନାହିଁ । ଏହି ସୌର ଶକ୍ତି ୟୁନିଟ୍ ସ୍ଥାପନ କରି ନବୀକରଣୀୟ ଶକ୍ତିର ଚାହିଦା ପୂରଣ କରିବା ସହିତ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରି ହେବ । ଏ ଦିଗରେ ଶକ୍ତି ବିଭାଗ ବ୍ୟାପକ ଯୋଜନା ପ୍ରସ୍ତୁତ କରିବାକୁ ରାଜ୍ୟପାଳ କହିଥିଲେ । ସବୁଜ ହାଇଡ୍ରୋଜେନର ସମ୍ଭାବନା ଉପରେ ରାଜ୍ୟପାଳ ଆଲୋକପାତ କରି ଏହାର ଉତ୍ପାଦନ ପାଇଁ ଏନ୍ଟିପିସିର ସହଯୋଗ ନେବାକୁ ଏବଂ ବିଶେଷତଃ ଆଇଆଇଟି ଏବଂ ଆଇଆଇଏମ୍ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଶକ୍ତି ବିଭାଗ ପଦକ୍ଷେପ ନେବାକୁ କହିଥିଲେ ।
ପ୍ରଧାନମନ୍ତ୍ରୀ କୁସୁମ ଯୋଜନାକୁ କୃଷକମାନଙ୍କ ପାଇଁ ଏକ ଭଲ ପଦକ୍ଷେପ ବୋଲି ରାଜ୍ୟପାଳ କହିବା ସହିତ ଏହାର ବ୍ୟାପକ କାର୍ଯ୍ୟାନ୍ୱୟନ ପାଇଁ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ରୂପା ରୋଶନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ଓପିଟିସିଏଲ୍ର ସିଏମ୍ଡି ଭାସ୍କର ଜ୍ୟୋତି ଶର୍ମା, ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ, ଓପିଜିସି, ଓଏଚପିସି, ଗ୍ରୀଡକୋ, ଓପିଟିସିଏଲ୍, ଓରେଡ଼ା ଏବଂ ଡିଆଇଏସ୍ସିଓଏମ୍ର କର୍ମକର୍ତ୍ତର୍ା ଏହି ବୈଠକରେ ଯୋଗ ଦେଇଥିଲେ ।