ଦୁଇଟି ଶ୍ମଶାନର ପୁନଃବିକାଶ କାର୍ଯ୍ୟ ହାତକୁ ନେଲା ବିଡିଏ

ଦୁଇଟି ଶ୍ମଶାନର ପୁନଃବିକାଶ କାର୍ଯ୍ୟ ହାତକୁ ନେଲା ବିଡିଏ

୪କୋଟି ଟଙ୍କା ବିନିମୟରେ ୨ଟି ଶ୍ମଶାନ ପୁନଃବିକଶିତ ହେବ

 ଭୁବନେଶ୍ୱର : ରାଜଧାନୀର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଶ୍ମଶାନ ସ୍ଥଳରେ ବିକାଶ ଓ ପୁନଉଦ୍ଧାର ଲାଗି ବିଡିଏ ପକ୍ଷରୁ ଏକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଶୁକ୍ରବାର ଏକାମ୍ର ବିଧାୟକ ବାବୁ ସିଂ ପୁରୁଣା ଭୁବନେଶ୍ୱର ଅଞ୍ଚଳର କାଳିଗାଡ଼ିଆ ଏବଂ ଗରାବାଡୁରେ ଶ୍ମଶାନର ପୁନଉଦ୍ଧାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସହରର ଶ୍ମଶାନଗୁଡ଼ିକର ଆଧୁନିକ ସୁବିଧା ଯୋଗାଇ ଦେବା ସହ ଶେଷକୃତ୍ୟ ପାଇଁ ସମ୍ମାନଜନକ ଓ ଶାନ୍ତିପୂର୍ଣ୍ଣ ପରିବେଶ ନିଶ୍ଚିତ କରିବା ଲକ୍ଷ୍ୟରେ ପୁନଃବିକାଶ କାର୍ଯ୍ୟ ହାତକୁ ନେଇଛି । ଏହି ପ୍ରକଳ୍ପରେ, କାଳି ଗାଡ଼ିଆ ଶ୍ମଶାନଟି ୨.୨୧ କୋଟି ଟଙ୍କା ବ୍ୟୟ ଅଟକଳରେ ବିକଶିତ ହେବ, ସେହିଭଳି ଗରାବଡୁ ଶ୍ମଶାନଟି ୧.୮୫ କୋଟି ଟଙ୍କା ବ୍ୟୟରେ ପୁନଃବିକଶିତ ହେବ । ବିଡିଏର ଯୋଜନାରେ ଉଭୟ ସ୍ଥାନରେ ପାର୍କିଙ୍ଗ ଅଞ୍ଚଳ, ପରିଷ୍କାର ସୀମା ଓ ସୁରକ୍ଷା କିଓସ୍କ ନିର୍ମାଣ ଅନ୍ତର୍ଭୁକ୍ତ ରହିବ । ପ୍ରତ୍ୟେକ ଶ୍ମଶାନରେ ଷ୍ଟାଫ୍‌ ରୁମ୍‌, କେୟାରଟେକର୍‌ ରୁମ୍‌, ପୁରୁଷ ଓ ମହିଳାଙ୍କ ପାଇଁ ପୃଥକ୍‌ ପୋଷାକ ବଦଳି କକ୍ଷ, ଅପେକ୍ଷା ଗୃହ, ଚିତା କାଠ ସଂରକ୍ଷଣ ଅଞ୍ଚଳ ଏବଂ ଶାବଦାହ ପ୍ଲାଟଫର୍ମ୍‌ (ପିଣ୍ଡି) ରହିବ । ସେହିଭଳି ଆଖପାଖର ପରିବେଶକୁ ଉନ୍ନତ କରିବା ପାଇଁ, ବିଡିଏ ଜଳାଶୟ, ଆଭ୍ୟନ୍ତରୀଣ ପଥ, ପାର୍ଶ୍ୱବର୍ତ୍ତୀ ଡ୍ରେନ ଏବଂ ଲ୍ୟାଣ୍ଡସ୍କାପ୍ଡ୍‌ ଅଞ୍ଚଳଗୁଡ଼ିକୁ ବିକଶିତ କରିବା ଦ୍ୱାରା ପରିଷ୍କାର, ସବୁଜ ଏବଂ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରିବ । ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା ଉଭୟ ପ୍ରକଳ୍ପର ସମୟସୀମା ସମାପ୍ତ କରିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ଏଥିସହ ବିଡିଏ ଡୁମୁଡୁମାରେ ଆଉ ଏକ ଆଧୁନିକ ଶ୍ମଶାନ ନିର୍ମାଣ କରୁଛି । ଏହି ପୁନଃବିକାଶ ପ୍ରକଳ୍ପଗୁଡ଼ିକ ମୃତକ ଏବଂ ସେମାନଙ୍କ ପରିବାର ପାଇଁ ମର୍ଯ୍ୟାଦାଜନକ, ସୁଗମ ଏବଂ ସୁରକ୍ଷମ ସୁବିଧା ଯୋଗାଇବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଏହି କାର୍ଯ୍ୟକ୍ରମରେ ବିଡିଏ ସଚିବ ମାନସ ରଞ୍ଜନ ପାଢ଼ୀ, ସ୍ଥାନୀୟ କର୍ପୋରେଟରମାନେ, ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।