ସିପାହୀ ବିଦ୍ରୋହର ପ୍ରଥମ ସହିଦ
ସିପାହୀ ବିଦ୍ରୋହର ପ୍ରଥମ ସହିଦ ମଙ୍ଗଲ ପାଣ୍ଡେ ବ୍ରିଟିଶ ସେନାରେ ସାଧାରଣ ସୈନିକ ଭାବେ ଚାକିରି କରିଥିଲେ । ପରେ ସେନା ବାହିନୀରେ ଚାଲିଥିବା ହିନ୍ଦୁ-ମୁସଲମାନ ବିରୋଧୀ କାର୍ଯ୍ୟକଳାପଗୁଡ଼ିକୁ ପସନ୍ଦ କରି ନପାରି, ବିଦ୍ରୋହୀ ହୋଇଉଠିଥିଲେ । ଉପରିସ୍ଥ କର୍ମଚାରୀମାନଙ୍କ ନିଦେ୍ର୍ଦଶ ପାଳନ ନକରିବା ପାଇଁ ସିପାହୀମାନଙ୍କୁ ଆହ୍ୱାନ ଦେଇ ସେ ବ୍ରିଟିଶ ସେନା ଅଫିସରମାନଙ୍କ ବିଷ ଦୃଷ୍ଟିରେ ପଡ଼ିଥିଲେ । ଏହାର ପରିଣାମ ସ୍ୱରୂପ ସେ ଅସ୍ତ୍ର ଧାରଣ କରି ଦୁଇ ଜଣ ବ୍ରିଟିଶ ସେନା ଅଧିକାରୀଙ୍କୁ ହତ୍ୟା ଉଦ୍ୟମ କରି ଗିରଫ ହୋଇଥିଲେ । ବିଚାର ପରେ ତାଙ୍କୁ ମୃତୁ୍ୟଦଣ୍ଡ ପ୍ରଦାନ କରାଯାଇଥିଲା । ତତ୍କାଳୀନ ଆଗରା ଓ ଅୱଧ ରାଜ୍ୟ ଅନ୍ତର୍ଗତ ବଲିୟାର ନାଗୱା ଗ୍ରାମର ଏକ ଭୂମିହାର ବ୍ରାହ୍ମଣ ପରିବାରରେ ମଙ୍ଗଲ ଜନ୍ମ ହୋଇଥିଲେ । ଅଠର ବର୍ଷ ବୟସରେ ସେ ଇଷ୍ଟ ଇଣ୍ଡିଆ କମ୍ପାନୀର ସେନା ବାହିନୀରେ ଯୋଗଦେଇଥିଲେ । ଚଉତିରିଶ ବେଙ୍ଗଲ ନେଟିଭ୍ ଇନ୍ଫାଣ୍ଟ୍ରିରେ କାମ କରୁଥିବା ବେଳେ ସେ ଏନ୍ଫିଲଡ଼୍ ରାଇଫଲରେ ବ୍ୟବହାର କରାଯାଉଥିବା ଗୁଳି ଗ୍ରହଣ ନକରିବା ପାଇଁ ମନା କରିଦେଇଥିଲେ । ଗୁଳିରେ ଗାଈ ଓ ଘୁଷୁରି ଚର୍ବି ବ୍ୟବହାର କରାଯାଉଥିଲା । ଏହା ଦ୍ୱାରା ଧର୍ମ ନଷ୍ଟ ହେବାର ଆଶଙ୍କା ଯୋଗୁଁ ସେ ବିରୋଧ କରିଥିଲେ । ଶାନ୍ତିପୂର୍ଣ୍ଣ ପ୍ରତିବାଦ କ୍ରମେ ହିଂସାତ୍ମକ ହୋଇଥିଲା ଏବଂ ରାଗରେ ସେ ଜନୈକ ଲେଫ୍ଟନାଣ୍ଟ ବଗ ଓ ସର୍ଜେଣ୍ଟ ମେଜର୍ ହୁ୍ୟସନ୍ଙ୍କୁ ହତ୍ୟା କରିବା ପାଇଁ ଗୁଳି ଚଳାଇଥିଲେ । ଗୁଳି ଲକ୍ଷ୍ୟ ଭ୍ରଷ୍ଟ ହେବା ପରେ ମଙ୍ଗଲ ତରବାରୀରେ ଆକ୍ରମଣ କରିଥିଲେ । ତେବେ ଦୁହେଁ ବର୍ତ୍ତି ଯାଇଥିଲେ । ମଙ୍ଗଲଙ୍କୁ ସମର୍ଥନ ଦେଇଥିଲେ ଜିମାଦାର ଈଶ୍ୱରୀ ପ୍ରସାଦ । ୧୮୫୭ ଏପ୍ରିଲ ଆଜିର ଦିନରେ ବାରକପୁରରେ ମଙ୍ଗଲଙ୍କୁ ଫାଶୀ ଦିଆଯାଇଥିଲା । ତେର ଦିନ ପରେ ଈଶ୍ୱରୀଙ୍କୁ ମଧ୍ୟ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ମଙ୍ଗଲଙ୍କୁ ଯେଉଁଠାରେ ଫାଶୀ ଦିଆଯାଇଥିଲା ଏବେ ସେଠାରେ ରହିଛି ତାଙ୍କ ସ୍ମୃତିରେ ବିକଶିତ ସହିଦ ମଙ୍ଗଲ ପାଣ୍ଡେ ମହା ଉଦ୍ୟାନ । ଭାରତ ସରକାର ୧୯୮୪ରେ ତାଙ୍କ ନାମରେ ଏକ ଡାକ ଟିକେଟ୍ ପ୍ରଚଳନ ପୂର୍ବକ ତାଙ୍କୁ ସମ୍ମାନିତ କରିଥିଲେ ।
ଡ.ସୁରେଶ କୁମାର ନାୟକ,କଟକ