ଭାରତୀୟ ନୌସେନାର ସାମିଲ ହେଲା ‘ରୋମିଓ’

ଭାରତୀୟ ନୌସେନାର ସାମିଲ ହେଲା ‘ରୋମିଓ’

ନୂଆଦିଲ୍ଲୀ : ଭାରତୀୟ ନୌସେନାର ସାମିଲ ହେଲା ‘ରୋମିଓ’ । ଗୋଆର ନେଭାଲ୍‌ ବେସ୍‌ରେ ଆଜି ବିଧିବଦ୍ଧ ଭାବେ ନୌସେନାରେ ସାମିଲ ହୋଇଛି ଅତ୍ୟାଧୁନିକ MH-60R ରୋମିଓ ହେଲିକପ୍ଟର । ହିନ୍ଦ ମହାସାଗରରେ ଶତ୍ରୁ ପକ୍ଷର ଗତିବିଧି ଉପରେ ନଜର ରଖିବ । ଏହା ହେଉଛି ଭାରତୀୟ ନୌସେନାର ଦ୍ୱିତୀୟ ରୋମିଓ ସ୍କ୍ୱାଡ୍ରନ୍‌, ଯାହାକୁ ପଶ୍ଚିମ ସାମୁଦ୍ରିକ ସୀମାରେ ନିୟୋଜିତ କରାଯିବ । ମଲ୍ଟି-ମୋଡ୍‌ ରଡାର ଏବଂ ହାଇ-ରିଜୋଲ୍ୟୁସନ କ୍ୟାମେରା, ଯାହା ସମୁଦ୍ର ଭିତରେ ଲୁଚି ରହିଥିବା ଶତ୍ରୁର ବୁଡ଼ାଜାହାଜକୁ ଖୋଜି ବାହାର କରିବାରେ ସକ୍ଷମ । ଏଥିରେ ଦୁଇଟି ଜେନେରାଲ୍‌ ଇଲେକ୍ଟ୍ରିକ୍‌ T700-GE-401C ଟର୍ବୋଶାଫ୍ଟ ଇଞ୍ଜିନ ରହିଛି ଯାହା ଘଣ୍ଟା ପ୍ରତି ୨୭୦ କିଲୋମିଟର ବେଗରେ ଉଡ଼ିପାରିବ। ହେଲଫାୟାର ମିସାଇଲ୍‌, ଏମ୍‌କେ ୫୪ ଟର୍ପିଡୋ ଏବଂ ଅତ୍ୟାଧୁନିକ ରକେଟ୍‌ ରହିପାରିବ । ମଲ୍ଟି-ମୋଡ୍‌ ରାଡାର୍‌, ନାଇଟ୍‌ ଭିଜନ୍‌ କ୍ୟାମେରା ରହିଛି । ଏହାର ସର୍ବାଧିକ ଟେକ୍‌-ଅଫ୍‌ ଓଜନ ପ୍ରାୟ ୧୦,୬୫୯ କିଲୋଗ୍ରାମ୍‌ ଅଟେ । ଏକାଥରକେ ପ୍ରାୟ ୮୩୦ କିଲୋମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ । 

   ଆଗାମୀ ଦିନରେ ଏହି ହେଲିକପ୍ଟରଗୁଡ଼ିକୁ ଆଇଏନଏସ୍‌ ବିକ୍ରମାଦିତ୍ୟ ଏବଂ ଆଇଏନଏସ୍‌ ବିକ୍ରାନ୍ତରେ ମଧ୍ୟ ମୁତୟନ କରାଯିବ। ଆମେରିକା ସହ ହୋଇଥିବା ୨୪ଟି ହେଲିକପ୍ଟର ଚୁକ୍ତି ମଧ୍ୟରୁ ଏହି ନୂତନ ସ୍କ୍ୱାଡ୍ରନ୍‌ ଚୀନ୍‌ ଓ ପାକିସ୍ତାନ ସୀମାରେ ଭାରତର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବ । ଏହାର ଅତ୍ୟାଧୁନିକ ସେନ୍ସର ଏବଂ ରଡାର୍‌ ପ୍ରଣାଳୀ ଯେକୌଣସି ପାଣିପାଗରେ ଶତ୍ରୁର ଗତିବିଧି ଉପରେ ନଜର ରଖିପାରିବ ।