ଭିନ୍ନକ୍ଷମ ଭତ୍ତା ରାଶି ୩୫୦୦ପାଇଁ ବିଡ଼ିଓଙ୍କୁ ଦାବି
ବିଞ୍ଝାରପୁର : ଅଶି ବର୍ଷରୁ ଊଦ୍ଧ୍ୱର୍ ବୟସ୍କ ଏବଂ ୮୦ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ମାନଙ୍କୁ ମାସିକ ୩୫୦୦ଟଙ୍କା ଭତ୍ତା ଦେବା ପାଇଁ ଘୋଷଣା କରିଛନ୍ତି ସରକାର । କିନ୍ତୁ ଏଭଳି ଘୋଷଣା କେବଳ କାଗଜ କଲମରେ ରହିଯାଇଥିବା ବେଳେ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ । ଏଭଳି ଅଭିଯୋଗ ହିତାଧିକାରୀଙ୍କ ପକ୍ଷରୁ ଅଣାଯାଇଛି । ଅଭିଯୋଗ ଅନୁଯାୟୀ ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଆଉଁରି ପଂଚାୟତର ଶ୍ରୀକ୍ଷେତ୍ର ସାହୁ, କାହ୍ନା ସେଠୀ, ସୁରେଶ ପାଢ଼ୀ ୮୦ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ବର୍ଦ୍ଧିତ ଭତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏନେଇ ସେ ବାରମ୍ବାର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଆବଶ୍ୟକୀୟ କାଗଜ ପ୍ରଦାନ କରୁଥିଲେ ହେଁ କୌଣସି ସୁଫଳ ମିଳିନି । ଫଳରେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅନ୍ୟପଟେ ୮୦ପ୍ରତିଶତ ଭିନ୍ନକ୍ଷମମାନଙ୍କ ତାଲିକା ବିଭାଗୀୟ ଅଧିକାରୀଙ୍କ ନିକଟକୁ ପଠାଯାଇଛି । ମଞ୍ଜୁର ହେଲେ ପ୍ରଦାନ କରାଯିବ ବୋଲି କହିଛନ୍ତି ବ୍ଲକ ଉନ୍ନୟନ ଅଧିକାରୀ ।