ବବିତାଙ୍କ ବିରୁଦ୍ଧରେ ମୋର୍ଚ୍ଚା ଖୋଲିପାରିବେ ତ ଲକ୍ଷ୍ମୀନାରାୟଣ?

 ଯାଜପୁର : ଗଲା ସାଧାରଣ ନିର୍ବାଚନ ପୂର୍ବରୁ ବବିତା ମଲିକଙ୍କୁ ସାଇଟ କରି ବିଜେପିର ଅନ୍ୟତମ ନେତା ଅମୀୟ ମଲିକ ଲୋକଙ୍କ ନିକଟତର ହୋଇଥିଲେ । ଯାହା ଆଜାଦ କୀ ଅମୃତ ମହୋତ୍ସବ ଅନ୍ତର୍ଗତ ମେରୀ ମାଟି ମେରା ଦେଶ ଅଭିଯାନ ସମୟରେ ବାରମ୍ବାର ଦେଖିବାକୁ ମିଳିଥିଲା । ଦଳ ଏହି ସାମାଜିକ କାର୍ଯ୍ୟକ୍ରମରେ ବିଞ୍ଝାରପୁର ବିଜେପିର ଅନ୍ତଃକନ୍ଦଳକୁ ପଦାରେ ପକାଇ ଦେଇଥିଲା । ସେସମୟରେ ଏକାଧିକବାର ଲୋକସଭା ନିର୍ବାଚନରେ ଲଢି ବାରମ୍ବାର ପରାଜୟ ମୁହଁ ଦେଖିଥିବା ଅମୀୟ ବିଞ୍ଝାରପୁର ବିଧାନସଭା ଆସନରୁ ଲଢିବାକୁ ମନବଳାଇଥିବାରୁ ଦଳର ଅନ୍ୟତମ ଦାବିଦାର ବବିତା ମଲିକଙ୍କ ଠାରୁ ଦୂରତା ବଜାୟ ରଖି ଲୋକଙ୍କ ନିକଟତର ହେଉଥିଲେ । ହେଲେ ବିଜେପି ଅମୀୟଙ୍କ ବଦଳରେ ବବିତାଙ୍କୁ ଚୟନ କରିଥିଲା । ନିର୍ବାଚନରେ ବବିତା ପୁଣିଥରେ ବିଜେଡ଼ି ପ୍ରମିଳା ମଲିକଙ୍କ ଠାରୁ ହାରିଯାଇଥିଲେ । ହେଲେ ରାଜ୍ୟରେ ବିଜେପି ସରକାର କରିଥିଲା । ନିର୍ବାଚନକୁ ଇତିମଧ୍ୟରେ ୯ମାସ ବିତିଗଲାଣି । ନିର୍ବାଚନ ସମୟରେ ଏକ ପ୍ରକାର ନିରବତା ଅବଲମ୍ବନ କରିଥିବା ଅମୀୟ ଦଳର କୌଣସି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବାର ଦେଖାଯାଇନଥିବା ବେଳେ ତାଙ୍କ ସୁପୁତ୍ର ଳକ୍ଷ୍ମୀନାରାୟଣ ମଲିକ କିନ୍ତୁ ବିଜେପି କାର୍ଯ୍ୟକ୍ରମରେ ଯୋଗ ଦେବାର ଦେଖାଗଲାଣି । ଗଲା ୬ ତାରିଖ ଥିଲା ବିଜେପିର ପ୍ରତିଷ୍ଠା ଦିବସ । ବିଞ୍ଝାରପୁର ବିଜେପି ପକ୍ଷରୁ କଲ୍ୟାଣପୁର ସ୍ଥିତ ମଙ୍ଗଳଚଣ୍ଡୀ ପୀଠ ଠାରେ ବବିତାଙ୍କ ନେତୃତ୍ୱରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିବା ବେଳେ କପିଳା ଠାରେ ପାଳିତପ୍ରତିଷ୍ଠା ଦିବସରେ ସାମିଲ ହୋଇଥିଲେ ଲକ୍ଷ୍ମୀନାରାୟଣ । କପିଳା ଠାରେ ପାଳିତ ପ୍ରତିଷ୍ଠା ଦିବସରେ ସଂଖ୍ୟାଧିକ ଯୁବ ନେତା ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା । ତେବେ ଏହା ରାଜନୈତିକ ମହଲ ପାଇଁ ଏକ ଛୁଙ୍କ ହୋଇନଥାନ୍ତା ଯଦି ଅମୀୟଙ୍କ ପୁଅ ଲକ୍ଷ୍ମୀନାରାୟଣ ଉପସ୍ଥିତ ହୋଇନଥାନ୍ତେ । ବାପାଙ୍କ ରାଜନୈତିକ କାର୍ଯ୍ୟକ୍ରମରେ ସହଯୋଗ କରି ଆସୁଥିବା ପୁଅ ଲକ୍ଷ୍ମୀନାରାୟଣ ଜଣେ ଯୁବ ନେତା । ବିଧାନସଭା ନିର୍ବାଚନ ପୂର୍ବରୁ ବାପା ଅମୀୟଙ୍କ ପାଇଁ ପ୍ରଚାର ପ୍ରସାର କାର୍ଯ୍ୟକୁ ଏକ ପ୍ରକାର ସଂଚାଳନ କରୁଥିଲେ । କିନ୍ତୁ ଦଳ ତାଙ୍କ ଉପରେ ଭରସା ନକରିବାରୁ ନିର୍ବାଚନରେ ନିରବ ରହିଥିଲେ । ତେବେ ବାପାଙ୍କ ପରି କୈାଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉନଥିବା ଲକ୍ଷ୍ମୀନାରାୟଣ ପ୍ରତିଷ୍ଠା ଦିବସରେ ଆଗକୁ ଆସିବା ବିଞ୍ଝାରପୁର ବିଜେପିରେ ଆଗକୁ ସମାନ୍ତରାଳ ସଂଗଠନର ଏକ ସଙ୍କେତ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ଯଦି ଆକଳନ ସତ ହୁଏ ତେବେ ପ୍ରଶ୍ନ ଆସୁଛି ଲକ୍ଷ୍ମୀନାରାୟଣ ବବିତାଙ୍କ ନେତୃତ୍ୱ ବିରୁଦ୍ଧରେ ମୋର୍ଚ୍ଚା ଖୋଲିବାକୁ ସମର୍ଥ ହୋଇପାରିବେ ତ? ଅଲଗା ପ୍ରତିଷ୍ଠା ଦିବସ ପାଳନ କରିବା ଏବଂ ଭବିଷ୍ୟତ ଲକ୍ଷ୍ୟ ସଂପର୍କରେ ଏହି ପ୍ରତିନିଧି ଲକ୍ଷ୍ମୀନାରାୟଣଙ୍କ ମତାମତ ନେବାକୁ ଚେଷ୍ଠା କରିଥିଲେ ହେଁ ସେ ଫୋନ ଗ୍ରହଣ କରିନଥିଲେ । ସେହିପରି ଭବିଷ୍ୟତ ରାଜନୀତି କ’ଣ ରହିବ ଜାଣିବାକୁ ଅମୀୟ ମଲିକଙ୍କୁ ସମ୍ପର୍କ କରାଯାଇଥିଲେ ହେଁ ସେବି ଫୋନ ଗ୍ରହଣ କରି ନଥିଲେ ।