ଭୁତକୋଠି ପାଲଟିଛି ଚକ୍ରଧରପୁର କଲ୍ୟାଣ ମଣ୍ଡପ : ସନ୍ଧ୍ୟା ହେଲେ ଜମୁଛି ଅସାମାଜିକ ବ୍ୟକ୍ତିଙ୍କ ଭିଡ଼
କବାଟବନ୍ଧ : ଧର୍ମଶାଳା ବ୍ଲକ ଚକ୍ରଧରପୁର ପଞ୍ଚାୟତରେ ନିର୍ମିତ କଲ୍ୟାଣ ମଣ୍ଡପ ଭୁତ କୋଠି ପାଲଟିଛି । ପୂର୍ବ ସରକାର ସମୟରେ ମଣ୍ଡପ ନିର୍ମାଣ କାମ ସରିଛି । ଏଠାରେ ନିର୍ମାଣ ହୋଇଥିବା ମଣ୍ଡପ ବିଭିନ୍ନ ପଞ୍ଚାୟତ ତଥା ପାଖ ଆଖ ଗ୍ରାମ ଗୁଡିକର ଜନସାଧାରଣ ବିବାହ ଉତ୍ସବ, ବ୍ରତଘର, ଜନ୍ମଦିନ, ରାଜନୈତିକ ସଭାସମିତି, ସାମାଜିକ କାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ଉଦ୍ଧିଷ୍ଟ ଥିଲା । କିନ୍ତୁ ଉଦଘାଟନ ହେବା ପୂର୍ବରୁ ପରିତ୍ୟକ୍ତ ଅବସ୍ଥାରେ କଲ୍ୟାଣ ମଣ୍ଡପ ପଡ଼ି ରହିଥିବା ଦେଖିବାକୁ ମିଳିଛି । ଏହା ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ସୁବିଧା ବା ଉପଯୋଗୀ ହୋଇପାରି ନାହିଁ । ଯଦ୍ୱାରା ଏହା ଲୋକ ମାନଙ୍କ କାର୍ଯ୍ୟରେ ଲାଗି ପାରୁନାହିଁ । ଏମିତି ଦୀର୍ଘ ବର୍ଷ ହେଲା ମଣ୍ଡପ ପଡ଼ି ରହିବା କାରଣରୁ ଏବେ ଏହା ଅସାମାଜିକ ବ୍ୟକ୍ତି ଓ ମଦ୍ୟପଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ଖବର ମତେ ପ୍ରାୟ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମାଣ ହୋଇଥିବା ଏହି କଲ୍ୟାଣ ନିର୍ମାଣ କରାଯାଇଛି । ବିଲ୍ଡିଂର ଭିତରେ ଇଲେକ୍ଟ୍ରି ୱାରିଂ କାମ ଅଧା ହୋଇଥିବା ଦେଖିବାକୁ ମିଳୁଛି । ହେଲେ ମଣ୍ଡପକୁ ବିଦୁ୍ୟତ ସଂଯୋଗ କରାଯାଇନାହିଁ । ନିର୍ଜନ ସ୍ଥାନ ହୋଇଥିବାରୁ ଅନପକ୍ଷରେ ଏଥିରେ ଲାଗିଥିବା ଦୁଇଟି ପ୍ରବେଶ ଦ୍ୱାର ଥିବା କବାଟ ମଧ୍ୟରୁ ଗୋଟିଏରେ କବାଟ ଥିବା ସ୍ଥଳେ ଅନ୍ୟ ଏକ ପ୍ରବେଶ ଦ୍ୱାର କବାଟ ତାଡି କିଏ ଚୋରି କରିନେଇଥିବା ଦେଖିବାକୁ ମିଳିଛି । କବାଟ ଚୋରି ହୋଇଥିବା ସ୍ଥଳେ କେବଳ ଭଙ୍ଗା ବନ୍ଧ ଝୁଲି ରହିଛି । ଏହା ଭିତରେ ଥିବା ଶୌଚାଳୟ ମଧ୍ୟ ବ୍ୟବହାର ଉପଯୋଗୀ ହୋଇ ନାହିଁ । ଶୌଚାଳୟରେ ବ୍ୟବହାର ପାଇଁ ବିଭିନ୍ନ ଉପକାରଣ ଲଗାଯାଇନାହିଁ । ଦୀର୍ଘ ବର୍ଷ ହେବ ଏହାକୁ କାହିଁକି ସମ୍ପୂର୍ଣ୍ଣ କରାଯାଉ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ମଣ୍ଡପ ନିର୍ମାଣ ହୋଇଥିବା ସ୍ଥାନଟି ଶ୍ମଶାନ ନିକଟରେ ହୋଇଥିବାରୁ ଉପଯୋଗ୍ୟ ହେଉନି ବୋଲି କୁହାଯାଉଛି । ଏହା ଉପରେ ଜିଲାପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।