ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ହେବ ଅର୍ଥନୈତିକ କରିଡ଼ର : ନିର୍ମାଣ ହେବ ୬୪୫ କିମିର ୩ ରିଙ୍ଗ୍ ରୋଡ୍
ଅଞ୍ଚଳର ସବୁ ସହର ହେବ ‘ଗ୍ରୋଥ୍ ହବ୍’ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅଞ୍ଚଳକୁ ନେଇ ଇକୋନୋମିକ୍ ରିଜିଅନ୍ ଗଠନ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମଗ୍ର ଅଞ୍ଚଳରେ ଥିବା ସହରଗୁଡିକୁ ‘ଗ୍ରୋଥ୍ ହବ୍’ ଭାବେ ବିକଶିତ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଥିଲେ ।
ବୈଠକରୁ ଜଣାଯାଇଛିଯେ, ଏହି ଇକୋନୋମିକ୍ ରିଜିଅନ୍ରେ ୩ଟି ରିଙ୍ଗ୍ ରୋଡ୍ ନିର୍ମାଣ କରାଯିବ । ଏଥିରେ କ୍ୟାପିଟାଲ ରିଙ୍ଗ୍ ରୋଡ୍ ଅଧିନରେ ପାରାଦୀପରୁ ଟାଙ୍ଗୀ, ସପ୍ତଶଯ୍ୟା, ରାମେଶ୍ୱର ଦେଇ ପୁରୀ ପର୍ଯ୍ୟନ୍ତ ୪୩୨ କିଲୋମିଟରର ରିଙ୍ଗ୍ ରୋଡ୍ ନିର୍ମାଣ କରାଯିବ । ଏହାକୁ କେନ୍ଦ୍ର ସରକାରଙ୍କ କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ୍ ରୋଡ୍ (୧୧୧ କିଲୋମିଟର) ସହିତ ସମନ୍ୱିତ କରି ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି । ଏହାସହିତ କଟକ ଜିଲ୍ଲା ଜାତମୁଣ୍ଡିଆ-ତ୍ରିଶୁଳିଆ-ଉରାଳି ଦେଇ ବାଲିପାଟଣା-ପିପିଲି-ଜଟଣୀ-ଖୋର୍ଦ୍ଧା ପର୍ଯ୍ୟନ୍ତ ୧୪୮ କିମିର ଏକ ଆଉଟର ରିଙ୍ଗ୍ ରୋଡ୍ ଏବଂ ଖୋର୍ଦ୍ଧା ଜିଲ୍ଲା ତମାଣ୍ଡୋ ଠାରୁ ଚନ୍ଦକା-ପାହାଳ-ଧଉଳି ଦେଇ ୬୫ କିମିର ଏକ ଇନ୍ର ରିଙ୍ଗ୍ ରୋଡ୍ ନିର୍ମାଣ କରାଯିବାର ଯୋଜନା ରହିଛି । ଏହିପରି ସମୁଦାୟ ୬୪୫ କିଲୋମିଟରର ୩ ରିଙ୍ଗ୍ ରୋଡ୍ ନିର୍ମାଣ କରାଯିବ । ଏଥିସହିତ ଏହି ଯୋଜନାରେ ପୁରୀଠାରୁ କୋଣାର୍କ ପର୍ଯ୍ୟନ୍ତ ୩୨ କିମି ରେଳପଥ ଏବଂ କୋଣାର୍କରୁ ଭୁବନେଶ୍ୱର ଭାୟା ନିମାପଡା ଦେଇ ୭୦ କିମି ରେଳପଥ ନିର୍ମାଣ କରାଯିବାର ଯୋଜନା ରହିଛି ।
ଯେହେତୁ ଏହା ପାରାଦୀପକୁ ସଂଯୋଗ କରୁଛି, ତେଣୁ ଏହି ଇକୋନୋମିକ୍ ରିଜିଅନ୍ ଗଠନ ହେବା ପରେ ସମ୍ପୃକ୍ତ ଅଞ୍ଚଳଗୁଡିକରେ ଶିଳ୍ପ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବ । ଏହି ରିଜିଅନ୍ ମଧ୍ୟରେ କୃଷି ଓ ମତ୍ସ୍ୟ ଉଦ୍ୟୋଗ, ମାନୁଫାକ୍ଚରିଙ୍ଗ୍, ପରିବହନ, ବନ୍ଦର ଭିତ୍ତିକ ଶିଳ୍ପ, କେମିକାଲ୍ସ, ଟେକ୍ସଟାଇଲ୍ସ, ଆଇଟି ଭଳି ଅନେକ ଶିଳ୍ପାନୁଷ୍ଠାନ ଗଢି ଉଠିବ । ଏସବୁ ଅଞ୍ଚଳଗୁଡିକରେ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଘଟିବ। ବୈଠକରେ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ସହିତ ନିୟମିତ ଯୋଗାଯୋଗରେ ରହି ଏହି ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ନୂଆ ନୀତି ଆଣିବା ସହିତ ଆବଶ୍ୟକ ସ୍ଥଳେ ପ୍ରଚଳିତ ନୀତିରେ ସଂଶୋଧନ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଏସବୁ ଅଞ୍ଚଳଗୁଡିକରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ କହିଥିଲେ। ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ପୌର ନିର୍ଦ୍ଦେଶକ ଅରିନ୍ଦମ୍ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।
Samir Kumar Rout