ଭୂକମ୍ପ ବିଭୀଷିକା : ୨୦୫୬ ମୃତ

ଭୂକମ୍ପ ବିଭୀଷିକା : ୨୦୫୬ ମୃତ

ମିଆଁମାର ଭୂକମ୍ପରେ ଏଯାବତ୍‌ ୨୦୫୬ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ପ୍ରାୟ ୪ ହଜାର ଲୋକ ଗୁରୁତର ଅବସ୍ଥାରେ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସରକାରୀ ଭାବେ ଜୁଣ୍ଟା ପକ୍ଷରୁ ଏହା କୁହାଯାଇଛି । ତେବେ ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିଯିବ ବୋଲି ଆମେରିକୀୟ ସଂସ୍ଥା ଦାବି କରିଥିଲା । ଅପରପକ୍ଷରେ ଭୂକମ୍ପର ୪୮ ଘଣ୍ଟା ପରେ ମାଟି ଭିତରେ ଫଶି ରହିଥିବା ଦୁଇ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଆସନ୍ତାକାଲି ଦେଶରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯିବ ବୋଲି ସେଠାକାର ସରକାର ଘୋଷଣା କରିଛନ୍ତି । ଭୂକମ୍ପ ଦିନ ଅନେକ ମୁସଲିମ୍‌ ମସଜିଦରେ ନମାଜ ପଢୁଥିଲେ । ରମଜାନ୍‌ ସହ ଶୁକ୍ରବାର ଥିବାରୁ ବହୁ ସଂଖ୍ୟକ ଲୋକେ ନମାଜ ପଢ଼ିବାରେ ନିମଗ୍ନ ଥିଲେ । ତେବେ ଭୂକମ୍ପ ଯୋଗୁଁ ମସଜିଦ୍‌ ଭୁଷୁଡ଼ି ପଡ଼ିଥିଲା । ଫଳରେ ୭ ଶହ ମୁସଲିମଙ୍କର ମୃତ୍ୟୁ ହୋଇଛି ବୋଲି ମୁସିଲମ୍‌ ସଂଗଠନ ପକ୍ଷରୁ କୁହାଯାଇଛି । ଭୂକମ୍ପ ଯୋଗୁଁ ୬୦ ମସଜିଦ୍‌ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ମିଆଁମାରରେ ଉଦ୍ଧାର କାର୍ଯ୍ୟ ପାଇଁ ଚାଇନା, ରୁଷିଆ ଓ ଭାରତ ଜରୁରୀକାଳୀନ ଟିମ୍‌ ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ପଠାଇଛି । ଅନ୍ୟ ଦେଶମାନଙ୍କରୁ ବି ମିଲିୟନ୍‌ ମିଲିୟନ୍‌ ସହାୟତା ମିଳିଛି । କିନ୍ତୁ ବିଶ୍ୱର ଧନୀ ରାଷ୍ଟ୍ର ଆମେରିକା ଏଯାବତ୍‌ କୌଣସି ସହାୟତା ଦେଇନଥିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି ।