ପାକରେ ଆତ୍ମଘାତୀ ବିସ୍ଫୋରଣ ୧୩ ସୈନିକ ମୃତ
ନୂଆଦିଲ୍ଲୀ : ଯେତେ ଯାହା କଲେ ବି ସୁଧୁରିବନି ପାକିସ୍ତାନ୍ । ବାହାରକୁ ପାକିସ୍ତାନ ଯେତେ ଉତ୍ତମ ବ୍ୟବହାର ଦେଖାଇଲେ ସୁଦ୍ଧା ଦେଶରେ ଅନ୍ତଃ କନ୍ଦଳ ଏବଂ ଆତଙ୍କୀଙ୍କୁ ପ୍ରଶ୍ରୟ ପାଇଁ ଆଜି ପାକିସ୍ତାନ୍ ନିଜେ ଦଶା ଭୋଗୁଛି । ଆଜି ପାକିସ୍ତାନ୍ର ଉତ୍ତର ୱାଜିରସ୍ତାନ୍ ଜିଲ୍ଲା ଖାଇବର ପଖତୁନୱାରେ ପାକ୍ ସେନାର ଏକ କନ୍ଭୟ (ଯାନବାହନ ସମୂହ ସୁରକ୍ଷା ସହଚର) ଉପରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି । ଏଥିରେ ୧୩ ପାକିସ୍ତାନୀ ସୈନିକ ପ୍ରାଣ ହରାଇଥିବା ବେଳେ ୧୦ ଜଣ ଗୁରୁତର ହୋଇଛନ୍ତି । ସେହିପରି ୧୯ରୁ ଊଦ୍ଧ୍ୱର୍ ସ୍ଥାନୀୟ ନାଗରିକ ଆହତ ହୋଇଛନ୍ତି । କନ୍ଭୟରେ ଧାଡ଼ି ହୋଇ ଯାଉଥିବା ସେନା ଗାଡ଼ିକୁ ବାହାରୁ ବୋମା ଖଞ୍ଜିତ ଅନ୍ୟ ଏକ ଗାଡ଼ି ଯାଇ ଧକା ଦେବାକୁ ଏହି ଦୁର୍ଘଟଣା ଘଟିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ନିକଟରେ ଥିବା ଦୁଇଟି ବିଲ୍ଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଫଳରେ ବିଲ୍ଡିଂ ମଧ୍ୟରେ ଥିବା ୬ରୁ ଊଦ୍ଧ୍ୱର୍ ଶିଶୁ ମଧ୍ୟ ଆହତ ହୋଇଛନ୍ତି । ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ସହିତ ଜଡ଼ିତ ହାଫିଜ୍ଗୁଲ୍ ବାହାଦୁର ଗ୍ରୁପ୍ ଏହି ଭୟାନକ କାଣ୍ଡ ଘଟାଇଥିବା ସ୍ୱୀକାର କରିଛି ।
ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସେନା ମାର୍ଚ୍ଚ ମାସରେ ଦାବି କରିଥିଲା ଯେ, ଟିଟିପି ସହିତ ଜଡିତ ୧୦ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି । ଦକ୍ଷିଣ ୱାଜିରିସ୍ତାନର ଜାଣ୍ଡୋଲା ଚେକ୍ପୋଷ୍ଟ ନିକଟରେ ଅବସ୍ଥିତ ଫ୍ରଣ୍ଟିୟର୍ କର୍ପସ ଶିବିର ଉପରେ ଆତ୍ମଘାତୀ ଆକ୍ରମଣ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏହି ଆକ୍ରମଣର ଜବାବରେ, ପାକିସ୍ତାନୀ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ଉପରେ ପ୍ରତିଶୋଧ ନେଇ ସେମାନଙ୍କୁ ହତ୍ୟା କରିଥିଲା । ସୂଚନାଯୋଗ୍ୟ, ଡିସେମ୍ବର ୨୦୨୪ରେ, ଆଫଗାନ ସୀମା ନିକଟରେ ଏକ ଆକ୍ରମଣରେ ୧୬ ଜଣ ପାକିସ୍ତାନୀ ସୈନିକଙ୍କ ମୃତୁ୍ୟ ହୋଇଥିଲା ଏବଂ ୮ ଜଣ ଆହତ ହୋଇଥିଲେ । ଟିଟିପି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ ବୋଲି ଦାବି କରିଥିଲା । ଏହା ସହିତ, ଜାନୁଆରୀରେ, ବଲୁଚ୍ ଲିବରେସନ୍ ଆର୍ମି (ବିଏଲଏ) କେଚ୍ ଅଞ୍ଚଳରେ ୩୫ ଥର ଆକ୍ରମଣ କରିଥିଲା, ଯେଉଁଥିରେ ୯୪ଜଣ ସୈନିକଙ୍କ ମୃତୁ୍ୟ ହୋଇଥିବା ଦାବି କରାଯାଇଥିଲା ।