ଭୂକମ୍ପରେ ଥରିଲା ଆଫଗାନିସ୍ତାନ ୮ଶହ ମୃତ, ୨୮ଶହ ଆହତ
କାବୁଲ : ଶକ୍ତିଶାଳୀ ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ଛାରଖାର ହୋଇଯାଇଛି କୁନାର ପ୍ରଦେଶ । ଅତି କମରେ ୮ଶହ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୨୮ଶହ ଆହତ ହୋଇଥିବା ସୂଚନା ଦେଇଛନ୍ତି ତାଲିବାନ ସରକାର । ରବିବାର ରାତିରେ ପୂର୍ବ ଆଫଗାନିସ୍ତାନର କୁନାର ପ୍ରଦେଶରେ ପ୍ରକୃତି ଦେଖାଇଛି ତାର କୋପ । ମାଟିରେ ମିଶିଛି ଶହ ଶହ ଘର । ପାର୍ବତ୍ୟ ଓ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) ଅନୁଯାୟୀ, ସ୍ଥାନୀୟ ସମୟ ରବିବାର ରାତି ୧୧ଟା ୪୭ମିନିଟରେ ରିକ୍ଟର ସ୍କେଲରେ ୬.୦ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଛି । ସର୍ବାଧିକ କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ପୂର୍ବ ଆଫଗାନିସ୍ତାନରେ ୧୬୦ କିଲୋମିଟର ଗଭୀରତାରେ ୩୪.୫୦ ଉତ୍ତର ଅକ୍ଷାଂଶ ଓ ୭୦.୮୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା । ପାକିସ୍ତାନ ଓ ଉତ୍ତର ଭାରତ ସମେତ ଏହି ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଦିଲ୍ଲୀ-ଏନସିଆର ଓ ଅନ୍ୟାନ୍ୟ ସହରଗୁଡ଼ିକର ବାସିନ୍ଦାମାନେ ପ୍ରବଳ ଭୂମିକମ୍ପର ସୂଚନା ମଧ୍ୟ ଦେଇଛନ୍ତି । ପ୍ରାରମ୍ଭିକ ଝଟକା ପରେ ପରବର୍ତ୍ତୀ ଝଟକା ଅନୁଭୂତ ହୋଇଥିଲା । ଆଫଗାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, କୁନାର ପ୍ରଦେଶର ତିନୋଟି ଗ୍ରାମ ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଛି । ଅନେକ ଅନ୍ୟ ଗ୍ରାମକୁ ପ୍ରବଳ କ୍ଷତି ହୋଇଛି । ମନ୍ତ୍ରଣାଳୟର ମୁଖପାତ୍ର ଶରାଫତ ଜମାନ କହିଛନ୍ତି, ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ । କୁନାରର ପ୍ରଦେଶ ସୂଚନା ମୁଖ୍ୟ ନଜିବୁଲ୍ଲା ହନିଫ ନିଶ୍ଚିତ କରିଛନ୍ତି ଯେ ଅତି କମରେ ୨୫୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୫୦୦ ଆହତ ହୋଇଛନ୍ତି, ଯଦିଓ ସେ ଏହି ସଂଖ୍ୟାକୁ ପ୍ରାଥମିକ ବୋଲି ସ୍ୱୀକାର କରିଛନ୍ତି । ପ୍ରାରମ୍ଭିକ ରିପୋର୍ଟରେ ଗୋଟିଏ ଗାଁରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚିତ ହୋଇଛି, ଶହ ଶହ ଆହତଙ୍କୁ ନିକଟବର୍ତ୍ତୀ ଅଞ୍ଚଳର ଡାକ୍ତରଖାନାକୁ ପଠାଯାଇଛି ।
ଭୂମିକମ୍ପର ପ୍ରଭାବରେ ଉକ୍ତ ଅଞ୍ଚଳ ଅତ୍ୟନ୍ତ ଅନୁନତ ଓ ଦୁର୍ବଳ ଭିତ୍ତିଭୂମି କାରଣରୁ ପ୍ରାୟତଃ ମାଟି ଓ ପଥର ଦ୍ୱାରା ଗଠିତ ଘର ଗୁଡିକ ସହଜରେ ଭୁଶୁଡ଼ି ପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଆଶ୍ୱାସନା ଦେଇଛନ୍ତି ଯେ ଭାରତ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ମାନବିକ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି । ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ କହିଛନ୍ତି ଯେ ଆଫଗାନିସ୍ତାନରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ପ୍ରଭାବିତ ଲୋକଙ୍କ ସହ ଠିଆ ହୋଇଛନ୍ତି । ସେ ପ୍ରଭାବିତ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଜାତିସଂଘ ପକ୍ଷରୁ ଏକ ସାହାଯ୍ୟକାରୀ ଟିମ ସେଠାକୁ ପଠାଯାଉଛି ବୋଲି କହିଛନ୍ତି ।