ଭୂକମ୍ପରେ ଥରିଲା ରୁଷ
ାା ଏଜେନ୍ସି ।ା ମସ୍କୋ : ଭୂକମ୍ପରେ ଥରିଲା ରୁଷ । ଭୟଙ୍କର ଭୂକମ୍ପରେ ଦୋହଲିଗଲା ଦେଶ । ସକାଳୁ ସକାଳୁ ଲାଗିଲା ଶକ୍ତିଶାଳୀ ଭୂକମ୍ପର ଝଟକା । ୮.୮ ତୀବ୍ରତାର ଭୂକମ୍ପରେ ଥରିଲା ରୁଷ । ରୁଷର ପୂର୍ବ କାମଚଟକା ଅଞ୍ଚଳରେ ବଡ ଧରଣର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୮ ରହିଛି । ୟୁଏଏସ୍ ଜିୟୋଲୋଜିକାଲ ସର୍ଭେର ସୂଚନା ମୁତାବକ, ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ଗର୍ଭରେ ସୃଷ୍ଟି ହୋଇଛି । ଯାହା ଅଧିକ ଭୟଙ୍କର ବୋଲି କୁହାଯାଉଛି । ଭୂକମ୍ପ ଫଳରେ ଘର ଗୁଡିକ ଦୋହଲିବା ସହ ଲୋକେ ପ୍ରାଣ ବିକଳରେ ବାହାରକୁ ବାହାରି ଆସିଥିଲେ । ରାସ୍ତାରେ ଦୌଡି ଥିଲେ । କାର ଗୁଡିକ ମଧ୍ୟ ଦୋହଲି ଉଠିଥିଲା । ବହୁ ଘରର ଛାତ ଭୁଶୁଡି ପଡିଛି ।
ଏହି ଶକ୍ତିଶାଳୀ ଭୂକମ୍ପ ଫଳରେ ଜାପାନ ଓ ଆମେରିକାର ଏଜେନ୍ସି ସୁନାମୀର ଆଲର୍ଟ ଜାରି କରିଛନ୍ତି । ରୁଷ, ଜାପାନ ଓ ଆମେରିକାର କାଲିଫର୍ଣ୍ଣିଆରେ ମଧ୍ୟ ସୁନାମୀ ଆଲର୍ଟ ଜାରି କାରାଯାଇଛି । ଏହାସହ ୧୨ଟି ଦେଶକୁ ସୁନାମୀ ଆଲର୍ଟ ଜାରି କରାଯାଇଛି । ସମୁଦ୍ରରେ ବଡ ଲହଡି ଆସିବା ସହ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବା ନେଇ ଆଲର୍ଟ କରାଯାଇଛି । ୪ ମିଟର ଉଚ୍ଚତାର ଜୁଆର ଆସିବା ନେଇ ସତର୍କ କରାଯାଇଛି । ତେବେ ଭୂକମ୍ପର କେନ୍ଦ୍ରସ୍ଥଳ ସମୁଦ୍ରର ଗର୍ଭର ମାତ୍ର ୧୯ କିଲୋମିଟର ତଳେ ରହିଛି । ଭୂକମ୍ପ ଦ୍ୱାରା ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି । ବିରାଟ କ୍ଷୟକ୍ଷତି ନେଇ ଆଶଙ୍କା କରାଯାଉଥିବା ବେଳେ ଧିରେ ଧିରେ ରିପୋର୍ଟ ସାମ୍ନାକୁ ଆସୁଛି । ଆମେରିକା ସୁନାମୀ ସତର୍କତା ପ୍ରଣାଳୀ ତିନି ଘଣ୍ଟା ମଧ୍ୟରେ "ବିପଜ୍ଜନକ ସୁନାମୀ ତରଙ୍ଗ’ ଆସିବାର ସମ୍ଭାବନା ଥିବା ସତର୍କତା ଜାରି କରିଛି । ରୁଷର ପ୍ରଶାନ୍ତ ମହାସାଗରୀୟ ଉପକୂଳ ଏବଂ ଉତ୍ତର-ପଶ୍ଚିମ ହାୱାଇ ଦ୍ୱୀପପୁଞ୍ଜର କିଛି ଅଂଶରେ ଜୁଆର ସ୍ତରଠାରୁ ୩ ମିଟର (୧୦ ଫୁଟ) ଅଧିକ ଉଚ୍ଚତାରେ ତରଙ୍ଗର ଆଶଙ୍କା କରାଯାଇଥିଲା । ଏହି ପରାମର୍ଶ ଅନେକ ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ରକୁ ମଧ୍ୟ ପ୍ରସାରିତ ହୋଇଛି । ଏଜେନ୍ସି ଫିଲିପାଇନ୍ସ, ପାଲାଉ, ମାର୍ଶାଲ ଦ୍ୱୀପପୁଞ୍ଜ, ଚୁଉକ୍ ଏବଂ କୋସରେ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଜୁଆର ସ୍ତରଠାରୁ ୦.୩ ରୁ ୧ ମିଟର (୧ ରୁ ୩.୩ ଫୁଟ) ମଧ୍ୟରେ ସୁନାମୀ ତରଙ୍ଗର ପୂର୍ବାନୁମାନ କରିଛି । ଦକ୍ଷିଣ କୋରିଆ, ଉତ୍ତର କୋରିଆ ଏବଂ ତାଇୱାନ ଉପକୂଳରେ ୦.୩ ମିଟର (ପ୍ରାୟ ୧ ଫୁଟ) ରୁ କମ୍ ଛୋଟ ସୁନାମୀ ତରଙ୍ଗ ଅନୁମାନ କରାଯାଇଛି ।