ଭୋଟର ସଚେତନତା ପାଇଁ ପଥ ଉତ୍ସବ ଓ ୱାକଥନ
ମାଲକାନଗିରି:- ଗଣତନ୍ତ୍ର ପ୍ରକ୍ରିୟାରେ ନୂତନ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ନିର୍ବାଚନ ବିଭାଗ ଦ୍ୱାରା ସ୍ୱତନ୍ତ୍ର ସଂକ୍ଷିପ୍ତ ଅଭିଯାନ କାର୍ଯ୍ୟକ୍ରମ ଅଧିନରେ ଆୟୋଜନ ହେଲା ପଥ ଉତ୍ସବ ଓ ୱାକଥନ । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଡିଏନକେ ଛକ ମଧ୍ୟରେ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୧୭ ରୁ ୧୮ ବର୍ଷ ହୋଇଥିବା ଯୁବକଯୁବତୀଙ୍କୁ ଭୋଟର ପରିଚୟ ପତ୍ର କରିବା ପାଇଁ ଆହ୍ୱାନ କରିଛନ୍ତି । ଅଧିକରୁ ଅଧିକ ଯୁବକଯୁବତୀ ପଞ୍ଜିକରଣ କରିବା ଦ୍ୱାରା ଗଣତନ୍ତ୍ର ପ୍ରକ୍ରିୟା ସୁଦୃଢ଼ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବନଖଣ୍ଡ ଅଧିକାରୀ ପ୍ରତାପ କଟ୍ଟାପଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ ଉପସ୍ଥିତ ଥିଲେ । ପଥ ଉତ୍ସବରେ ଜାତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ମ୍ୟାନେଜର ଦାୟିତ୍ୱ ନିର୍ବାହ କରିଥିବା ସତବୀର ସିଂ ଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ତା ସହିତ ଟ୍ରାନ୍ସଜେଣ୍ଡର, ଦିବ୍ୟାଙ୍ଗ ଓ ବିରଷ୍ଠ ନାଗରିକ ଭୋଟରଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଏହି ଉତ୍ସବରେ ସିଗ୍ନେଚର୍ କ୍ୟାମ୍ପେନ୍, ଝୋଟି, ମାର୍ଶାଲ ଆର୍ଟ, ତୀରନ୍ଦାଜୀ, ସ୍କେଟିଂ, ପୋଲିସ ବ୍ୟାଣ୍ଡ ଦ୍ୱାରା ସଙ୍ଗୀତ, ବିଭିନ୍ନ କଲେଜ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ନୃତ୍ୟ ପରିବେଷଣ କରାଯାଇଛି । କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ସମ୍ମାନୀତ କରାଯାଇଛି । ସେହିପରି ଡିଏନକେ ଖେଳ ପଡିଆରେ ୱାକାଥନକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଏନସିସି କ୍ୟାଡେଟ ସାମିଲ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ନିୟୋଜନ ଅଧିକାରୀ ମାନସ୍ୱୀ ସେଠୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ, ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା, ସହାୟକ ଜିଲ୍ଲାପାଳ, ଅଜୟ ମାଣ୍ଡାଙ୍ଗୀ, ଅଶୋକ ଚକ୍ରବର୍ତୀଙ୍କ ସମେତ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଜିଲ୍ଲା ନିର୍ବାଚନ ବିଭାଗର କର୍ମଚାରୀ ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ପୋଲିସ୍ ଆଇଆଇସି ରିଗାନ୍ କିଣ୍ଡୋ ଓ ସବ୍ ଇନ୍ସପେକ୍ଟର ସୁବ୍ରତ ଗୌଡଙ୍କ ତତ୍ୱାବଧାନରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ତଦାରଖ କରାଯାଇଥିଲା ।ପ୍ରମୋଦ କୁମାର ସେନାପତି ଓ ଶ୍ୟାମ ସୁନ୍ଦର ନାୟକ ମଂଚ ପରିଚାଳନା କରିଥିଲେ ।