ମଡେଲ୍‌ଙ୍କ ବେକ କାଟି ଫୋପାଡିଦେଲେ ବୟଫ୍ରେଣ୍ଡ!

ହରିୟାଣାର ଉଦୀୟମାନ ମ୍ୟୁଜିକ୍‌ ଭିଡିଓ ଆର୍ଟିଷ୍ଟ ତଥା ମଡେଲ ଶୀତଲ ଓରଫ ସିମ୍ମୀ ଚୌଧୁରୀ (୨୩)ଙ୍କର ମୃତଦେହ ସୋମବାର ସୋନେପତର ଖରଖୋଦା ଥାନା ଅଞ୍ଚଳରେ ଥିବା ଏକ କେନାଲ ନିକଟରୁ ମିଳିଛି। ୨ ଦିନ ତଳେ ଶୀତଲ ଶୁଟିଂ ପାଇଁ ଘରୁ ବାହାରି ନିଖୋଜ ହୋଇଯାଇଥିଲେ। ତାଙ୍କ ବେକରେ ଗଭୀର କଟା ଚିହ୍ନ ରହିଛି, ଯେଉଁଥିରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି। ହତ୍ୟା କରାଯିବା ପରେ ତାଙ୍କ ମୃତଦେହକୁ କେନାଲରେ ଫୋପଡ଼ା ଯାଇଥିଲା। ପୋଲିସ ମୃତଦେହ ମିଳିଥିବା କେନାଲର ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଏବଂ ତାଙ୍କ ମୋବାଇଲର ଲୋକେଶନ ଡେଟାକୁ ବ୍ୟବହାର କରି ଘଟଣାର ତଦନ୍ତ ଚଳାଇଛି। ହତ୍ୟାକାଣ୍ଡକୁ ନେଇ ପରିବାର ଲୋକେ ଶୀତଲଙ୍କ ବୟଫ୍ରେଣ୍ଡ ସୁନୀଲଙ୍କୁ ଦୋଷ ଦେଇଛନ୍ତି। ଶୀତଲଙ୍କ ଭଉଣୀ ନେହା କହିଛନ୍ତି, ଶନିବାର ଶୀତଲ ଭିଡିଓ କଲ୍‌ କରି ସୁନୀଲ ତାଙ୍କୁ ଆକ୍ରମଣ କରିବା ସହ ମାରପିଟ କରିଥିଲେ ବୋଲି କହିଥିଲେ। ପରେ ଶୀତଲଙ୍କ ଫୋନ୍‌ କଭରେଜ ବାହାରେ ଥିଲା। ପୋଲିସ ସୁନୀଲଙ୍କୁ ଆହତ ଅବସ୍ଥାରେ ପାଇ ହସ୍ପିଟାଲରେ ଭର୍ତ୍ତି କରିଥିଲା।